ଭୁବନେଶ୍ବର: ନୂଆ ସାଇଫନ୍ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବି ହେଲା। କିନ୍ତୁ ଅଧିକାରୀମାନେ ଲୋକଙ୍କ କଥାକୁ କର୍ଣ୍ଣପାତ କଲେ ନାହିଁ। ଟଙ୍କା ନାହିଁ କହି ସମୟ ଗଡ଼ାଇଲେ। ବର୍ଷ ବର୍ଷ ଧରି ସାଇଫନ୍କୁ ସଫା ମଧ୍ୟ କଲେ ନାହିଁ। ଯେଉଁଥିପାଇଁ ଲୋକେ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି। ବର୍ଷା ଆରମ୍ଭରୁ ବଡ଼ଗଡ଼ ନିକଟ ଦୟାୱେଷ୍ଟ କେନାଲ ଦେଇ ଯାଇଥିବା ସାଇଫନ୍ ଦବି ଯିବାରୁ ୬ ନମ୍ବର ଡ୍ରେନ୍ ପାଣି ଶହ ଶହ ଲୋକଙ୍କ ଘରେ ପଶିଲା। ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ଦୋଷ ଲୁଚାଇବାକୁ ବିଭାଗ ବିଭାଗ ମଧ୍ୟରେ ଦୋଷ ଠେଲା ଠେଲି ଚାଲିଛି।
୧୯୬୨ ମସିହାରେ ନିର୍ମାଣ କରାଯାଇଥିବା ଏହି ସାଇଫନ୍ ୧୦ ବର୍ଷରୁ ଅଧିକ ସମୟ ହେବ ଦୁର୍ବଳ ହୋଇଗଲାଣି। ତୁରନ୍ତ ନୂଆ ସାଇଫନ୍ ନିର୍ମାଣ ନେଇ ସ୍ଥାନୀୟ ବାସିନ୍ଦା ଜଳସମ୍ପଦ ବିଭାଗକୁ ଅନୁରୋଧ କରିଥିଲେ ମଧ୍ୟ କରାଗଲା ନାହିଁ। ୨୦୧୦ ମସିହାରେ ଦୟାୱେଷ୍ଟ କେନାଲର ଦୁଇ ପାଖ ରାସ୍ତାକୁ ଜଳସମ୍ପଦ ବିଭାଗ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କଲା। ୨୦୧୭ ମସିହାରେ ପୂର୍ତ୍ତ ବିଭାଗ ଦ୍ବାରା କେନାଲ ରାସ୍ତାକୁ ଚଉଡ଼ା କରାଗଲା। ଏହି ସମୟରେ କେନାଲ ରାସ୍ତାର ଦୁଇ ପାଖରେ ଥିବା ସାଇଫନ୍କୁ ଲଗାଇ ପାଣି ଯିବା ପାଇଁ ଏହାକୁ ସଂପ୍ରସାରିତ କରାଗଲା। କିନ୍ତୁ ବିଭାଗୀୟ ସମନ୍ବୟ ଅଭାବରୁ ପୁରୁଣା ସାଇଫନ୍ ମରାମତି କିମ୍ବା ଭଙ୍ଗା ଯାଇ ନୂଆ କରାଗଲା ନାହିଁ। ରାସ୍ତା ଚଉଡ଼ା ହେବା ପରେ ଭାରୀଯାନ ଚଳାଚଳ ବଢ଼ିଲା ଓ ସାଇଫନ୍ ଦବିଗଲା। କେବଳ ଏତିକି ନୁହେଁ, ବହୁବର୍ଷ ଧରି ସାଇଫନ୍କୁ ସଫା କରାଗଲା ନାହିଁ। ଫଳରେ ୬ ନମ୍ବର ଡ୍ରେନ୍ରେ ଆସୁଥିବା ଆବର୍ଜନା ଜମିରହି ସାଇଫନ୍କୁ ଜାମ୍ କରିଦେଲା। ସାଇଫନ୍ର ୪ଟି ମୁହଁରୁ ୩ଟି ପୁରା ଜାମ୍ ରହିଥିଲା। ସାଇଫନ୍ ନିର୍ମାଣ ସମୟରେ ଏହାର ଓସାର ୩୮ ଫୁଟ ଥିବାବେଳେ ଏବେ ସଙ୍କୁଚିତ ହୋଇ ୧୮ ଫୁଟରେ ପହଞ୍ଚିଛି। ଏହିସବୁ କାରଣ ପାଇଁ ଚଳିତ ବର୍ଷ ବର୍ଷା ଆରମ୍ଭରୁ ଲଗାତାର ଲୋକଙ୍କ ଘରେ ପାଣି ପଶୁଛି। ଗୁରୁବାରର ବଡ଼ ବର୍ଷା ଏବେ ହଜାରରୁ ଅଧିକ ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି।
ଏନେଇ ସ୍ଥାନୀୟ କର୍ପୋରେଟର୍ ଅମରେଶ ଜେନା କହିଛନ୍ତି, ପୂର୍ବରୁ ସହରର ବଡ଼ ଡ୍ରେନ୍ ଜଳସମ୍ପଦ ବିଭାଗ ଅଧୀନରେ ଥିଲା। ଏବେ କିନ୍ତୁ ବିଏମ୍ସିର ଡ୍ରେନେଜ୍ ଡିଭିଜନ ଅଧୀନକୁ ଆସିଯାଇଛି। ତଥାପି ୬ ନମ୍ବର ଡ୍ରେନ୍ ସଫା ହେଲାନି। ସେହିପରି ସାଇଫନ୍ ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ କେହିବି ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ। ଜଳସମ୍ପଦ ବିଭାଗ, ବିଏମ୍ସି ଓ ପୂର୍ତ୍ତ ବିଭାଗର ସମନ୍ବୟ ଅଭାବ ପାଇଁ ସାଧାରଣ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି।
ଦୁର୍ଦ୍ଦଶା ଭିତରକୁ ଠେଲିଦେଲେ
ନୂଆ ସାଇଫନ୍ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବି ହେଲା। କିନ୍ତୁ ଅଧିକାରୀମାନେ ଲୋକଙ୍କ କଥାକୁ କର୍ଣ୍ଣପାତ କଲେ ନାହିଁ। ଟଙ୍କା ନାହିଁ କହି ସମୟ ଗଡ଼ାଇଲେ। ବର୍ଷ ବର୍ଷ ଧରି ସାଇଫନ୍କୁ ସଫା ମଧ୍ୟ କଲେ ନାହିଁ।
/sambad/media/media_files/2025/07/05/mnbvcxz-2025-07-05-06-27-08.jpg)