ଭୁବନେଶ୍ବର: ବେକରେ ଖଣ୍ଡା ଥୋଇ ଜଣେ ଯୁବକଙ୍କୁ କାର୍‌ରେ ଅପହରଣ କରିନେବା ଓ କାର୍‌ ଭିତରେ ତାଙ୍କୁ ଲୁଟିସାରି ବାଟରେ ଫୋପାଡ଼ି ଦେବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୩ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ୟୁନିଟ୍‌- ୮ ପାୱାର ହାଉସ୍‌ କଲୋନିରେ ରହୁଥିବା କଟକ ମାହାଙ୍ଗା ଥାନା କୋଳିଅଠାର ଅଭିଜିତ୍‌ ଜୟନାରାୟଣ ଓରଫ ବବ୍‌ଲୁ(୨୩), ତା’ର ସମ୍ପର୍କୀୟ ଭାଇ ଶାନ୍ତି ସ୍ବରୂପ ଓରଫ ବାପୁ(୧୯) ଓ ନାରାୟଣବସ୍ତିରେ ରହୁଥିବା କଟକ ଜଗତପୁରର ସେକ୍‌ ସର୍ଫରାଜ ଓରଫ ରୋହନ୍‌(୧୯)। ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର୍‌ ଓ ଖଣ୍ଡା ଜବତ କରାଯାଇଛି। ତ୍ରିକୋଣୀୟ ପ୍ରେମକୁ ନେଇ ଏହି ମାମଲା ହୋଇଥିବା ଜଣାପଡ଼ିଛି। ଜଣେ ଯୁବତୀଙ୍କୁ ଭଲ ପ୍ରେମ କରୁଥିବା ୨ ଯୁବକ( ଅଭିଯୁକ୍ତ ଅଭିଜିତ୍‌ ଓ ଅପହୃତ ସୁନୀଲ)ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରୁ ଏହି ଗଣ୍ଡଗୋଳ ବଢ଼ିଥିବା ସୂଚନା ମିଳିଛି।  
ପୁଲିସ ସୂଚନା ମୁତାବକ ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କୁ ଉଭୟ ଅଭିଜିତ୍‌ ଓ ସୁନୀଲ ଭଲପାଉଥିଲା। ପ୍ରଥମରୁ ଯୁବତୀଙ୍କ ସହ ଅଭିଜିତି୍‌ର ସମ୍ପର୍କ ଗଢ଼ିଉଠିଥିଲା। କିନ୍ତୁ ପରେ ସେମାନଙ୍କ ମଝିକୁ ପଶି ଆସିଲେ ସୁନୀଲ। ସୁନୀଲ୍‌ଙ୍କ ପ୍ରବେଶ ପରେ ପ୍ରେମ କାହାଣୀ ନୂଆ ମୋଡ଼ ନେଇଥିଲା। କାରଣ ଯୁବତୀଜଣକ କାହାକୁ ବି ପ୍ରତ୍ୟାଖ୍ୟାନ କରିନଥିଲେ। ଉଭୟଙ୍କ ସହ ସମ୍ପର୍କ ରଖିଥିଲେ। ଏହା ଭିତରେ ପ୍ରଥମ ପ୍ରେମିକ ଅଭିଜିତ୍‌ ବଳପ୍ରୟୋଗ କରିବା ଆରମ୍ଭ କରିଥିଲେ। ସୁନୀଲ୍‌ଙ୍କୁ ମଝିରୁ ହଟିଯିବାକୁ ଧମକ ଦେଇଥିଲେ। କିନ୍ତୁ ସୁନୀଲ୍‌ ଡରିଯାଇ ନଥିଲେ। ସେପଟେ ଅଭିଜିତ୍‌ର ଏଭଳି ଆଚରଣକୁ ନାପସନ୍ଦ କରି ଯୁବତୀ ବେଶିବେଶି ସୁନୀଲ ସହ ମିଳାମିଶା କରିଥିଲେ। ଫଳରେ ଅଭିଜିତ୍‌ର ଈର୍ଷା ଓ ରାଗ ବଢ଼ିବାରେ ଲାଗିଥିଲା। ଗତକାଲି ରାତିରେ ସୁନୀଲ୍‌ ୟୁନିଟ୍‌ ୮ ଡିଏଭି ସ୍କୁଲ୍‌ ନିକଟରେ ଥିବା ବେଳେ ଅଭିଜିତ୍‌ ଓ ତାର ଦୁଇ ସହଯୋଗୀ ଏକ କାର୍‌ରେ ସେଠାରେ ପହଞ୍ଚିଥିଲେ। ସୁନୀଲ୍‌ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କ ବେକରେ ଖଣ୍ଡା ଲଗାଇ ବଳପୂର୍ବକ କାର୍‌ ଭିତରକୁ ଟାଣି ନେଇଥିଲେ। ସେମାନେ କାର୍‌ ନେଇ ଏକାମ୍ର ପାର୍କ ଆଡ଼କୁ ପଳାଇଥିଲେ। କାର୍‌ ଭିତରେ ସେମାନେ ସୁନୀଲ୍‌ଙ୍କ ମୋବାଇଲ୍‌ ଛଡ଼ାଇ ନେଇ ସେଥିରୁ ଯୁବତୀଙ୍କ ନମ୍ବର ଡିଲିଟ୍‌ କରିଦେଇଥିଲେ ଏବଂ ବାଟରେ ଡିଏସ୍‌ବିଏମ୍‌ ନିକଟରେ ତାଙ୍କୁ କାର୍‌ରୁ ଠେଲି ପଳାଇଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ପିଛା କରିଥିଲା।