ଭୁବନେଶ୍ବର: ଭଡ଼ାରେ ଲାଗିବ କଞ୍ଜରଭାନ୍ସି ଲେନ୍। କୋଟି କୋଟି ଟଙ୍କା ବ୍ୟୟରେ ଏହି ସବୁ ଲେନ୍ରୁ ଆବର୍ଜନା ବାହାର କରିବା ସହ ପେଭରବ୍ଲକ୍ ପକାଇବା ପରେ ଏଠାରେ ବୁଲା ବିକାଳିଙ୍କୁ ଥଇଥାନ କରିବା ପାଇଁ ଯୋଜନା କରିଛି ବିଏମ୍ସି। ରାସ୍ତା କଡ଼ରେ କିମ୍ବା ଗଳିରେ ବୁଲା ବିକାଳି ବୁଲିବେ ନାହିଁ। ଏଭଳି ଯୋଜନା କରି କେଉଁ ଅଞ୍ଚଳରେ କେତେ ବୁଲାବିକାଳି ଅଛନ୍ତି, କେଉଁ ଲେନ୍ରେ ବସାଇଲେ ସୁବିଧା ହେବ, ସେ ନେଇ ହିସାବନିକାଶ ଆରମ୍ଭ ହୋଇଛି। ବ୍ୟବସାୟୀମାନଙ୍କୁ ନିର୍ଦ୍ଦିଷ୍ଟ ଲେନ୍ରେ ଟ୍ୟାଗ୍ କରାଯିବ। ସେହି ଲେନ୍ ଛଡ଼ା ସେମାନେ ଅନ୍ୟ କୌଣସି ଲେନ୍ରେ ବସିବେ ନାହିଁ। ଏଣୁ ପୁରା ସହର ବୁଲା ବିକାଳି ମୁକ୍ତ ହେବ ଓ ସେମାନେ ମଧ୍ୟ ଶୃଙ୍ଖଳିତ ଢଙ୍ଗରେ ବ୍ୟବସାୟ କରିପାରିବେ ବୋଲି ବିଏମ୍ସି ଯୋଜନା ହୋଇଛି।
ବିଭିନ୍ନ ଉନ୍ନୟନମୂଳକ କାମ କରିବାକୁ ଏବେ ବିଏମ୍ସିରେ ଅର୍ଥ ନାହିଁ। ଏଥିପାଇଁ କେତେକ ପ୍ରକଳ୍ପ ଅଧାପନ୍ତରିଆ ରହିଥିବା ବେଳେ ଆଉ କେତେକ ୱାର୍କଅର୍ଡର ଦିଆଯାଇ ପାରୁନି। ବାସ୍ତବରେ କୋଟି କୋଟି ଟଙ୍କା ବେକାର ଖର୍ଚ୍ଚ ହୋଇଛି। ଆବଶ୍ୟକ ନଥାଇ ବିଏମ୍ସି ଏଭଳି ବରବାଦ କରିଥିବା ଅଭିଯୋଗ ହୋଇଛି। ଏହି ବରବାଦ ତାଲିକାରେ ରହିଛି କଞ୍ଜର୍ଭାନ୍ସି ଲେନ୍। ବର୍ଷ ବର୍ଷ ଧରି ଏହି ଲେନ୍ ସଫା ହେଉ ନଥିଲା। ଏହାକୁ ସଫା କରିବା ସହ ପେଭରବ୍ଲକ୍ ପକାଇବା ପାଇଁ ବିଏମ୍ସି ୫୩ କୋଟି ଟଙ୍କା ବ୍ୟୟ ଅଟକଳ କରିଥିଲା। ସବୁ କଞ୍ଜରଭାନ୍ସି ଲେନ୍ ପେଭରବ୍ଲକ୍ ପଡ଼ିଥିଲା। କିନ୍ତୁ ଅର୍ଥ ଅଭାବରୁ ୨୭ କୋଟି ଟଙ୍କା ବିଲ୍ ଦିଆଯାଇଥିଲା। ଅର୍ଥାତ୍ ପେଭର ବ୍ଲକ୍ ପକାଇବା ପାଇଁ ଏ ଯାବତ୍ ୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୧୦ କୋଟି ଟଙ୍କା କେବଳ ପିସିରେ ଯାଇଥିବା ଅଭିଯୋଗ ହୋଇଛି।
ପିସିରେ ଯାଇଛି ୧୦ କୋଟି!
ବସିବେ ବୁଲାବିକାଳି
ଆଦାୟ ହେବ ୟୁଜର୍ସ ଫି
ଏହି ସବୁ ଲେନ୍ ସଫା ହେବା ପରେ ଏହାକୁ ସଫା କରିବା ପାଇଁ ସମ୍ପୃକ୍ତ ଜୋନ୍ ଦାୟତ୍ବ ନେଇଥିବା ଏଜେନ୍ସିକୁ କୁହାଯାଇଥିଲା। ହେଲେ ଏହା ସଫା ହେଲା ନାହିଁ। ଏଜେନ୍ସିଙ୍କ ସହ ହୋଇଥିବା ଚୁକ୍ତିରେ ଏହି କଞ୍ଜର୍ଭାନ୍ସି ଲୋନ୍ ନଥିବାରୁ ସେମାନେ ବିଏମ୍ସିର ଆଦେଶକୁ ଏଡ଼ାଇ ଯାଇଥିଲେ। ଫଳରେ ଏଠାରେ ଅଳିଆ ଆବର୍ଜନା ପଡ଼ିବା ସହ କୁକୁର ମଳତ୍ୟାଗ କଲେ, ସର୍ବସାଧାରଣ ପରିସ୍ରାଗାର ପାଲଟିଲା। ଅର୍ଥାତ୍ ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ ପରେ ବି ୮୦ ପ୍ରତିଶତ କଞ୍ଜରଭାନ୍ସି ଲେନ୍ ପୂର୍ବ ସ୍ଥିତିକୁ ଫେରିଗଲା। ଏଣୁ ଏହା କିଭଳି ସଫା ରହିବ ଓ ଜବରଦଖଲ ହେବ ନାହିଁ ସେଥିପାଇଁ ବିଏମ୍ସି ଏହାକୁ ବୁଲା ବିକାଳିଙ୍କୁ ଭଡ଼ା ଦେବାକୁ ଚିନ୍ତା କରିଛି। ସେହି ଅଞ୍ଚଳର ପାଖାପାଖି ରାସ୍ତା ଉପରେ ବସୁଥିବା ପରିବା ଓ ଫଳ ଦୋକାନୀଙ୍କୁ ସେଠାରେ ବସିବେ ଓ ସେମାନଙ୍କ ଠାରୁ ୟୁଜର୍ସ ଫି’ ଆଦାୟ ହେବ। କେଉଁ ଲେନ୍ରେ କେଉଁ ବ୍ୟବସାୟୀମାନେ ବସିଲେ ତାହାର ତାଲିକା ରଖାଯିବ, ତାହା ଠାରୁ ଅଧିକ ବେପାରୀ ଯେପରି ନବସିବେ ସେଥିପାଇଁ ଜେଡ୍ଡିସିମାନେ ନିଶ୍ଚିତ କରିବେ ବୋଲି ବିଏମ୍ସି ମାସିକ ବୈଠକରେ ନିଷ୍ପତ୍ତି ନେଇଛି। କଳ୍ପନା ଛକର ଫଳ ବ୍ୟବସାୟୀ ନରେନ୍ଦ୍ର ପୃଷ୍ଟି କହିଛନ୍ତି, ରାସ୍ତାକଡ଼ରୁ ସମସ୍ତ ଫଳ ଦୋକାନୀଙ୍କୁ ହଟାଇବା ପାଇଁ ବିଏମ୍ସି ୟୁନିଟ୍-୨ରେ ଏକ ବଡ଼ ମାର୍କେଟ୍ କମ୍ପ୍ଲେକ୍ସ କରିଥିଲା। ଗ୍ରାହକମାନେ ୩ ମହଲା କୋଠା ଚଢ଼ି ଫଳ ପାଇଁ ଆସିଲେ ନାହିଁ। ସେଥିପାଇଁ ତାହା ବିଫଳ ହେଲା। ଏବେ କଞ୍ଜରଭାନ୍ସି ଲେନ୍ରେ ବସାଇବା ପାଇଁ ଯୋଜନା କରୁଛନ୍ତି। ସବୁ ଲେନ୍ ଆବର୍ଜନାରେ ଭର୍ତ୍ତି ହୋଇଛି। ଲୋକମାନେ ସେଠାରେ ପରିସ୍ରା କରୁଛନ୍ତି। ବଡ଼ବଡ଼ ଲୋକମାନେ ସେଠାରେ କୁକୁରକୁ ଝାଡ଼ା ଫେରାଉଛନ୍ତି। ସେଠାକୁ କୌଣସି ଗ୍ରାହକ ଯିବେ ନାହିଁ। ଏଭଳି ଯୋଜନା ବିଫଳ ହେବ।