ଭୁବନେଶ୍ବର: ସାମାନ୍ୟ ଦୁର୍ଘଟଣାକୁ ‌ନେଇ ଯୁବକଙ୍କୁ ମଝି ରାସ୍ତାରେ ଅଟକାଇଲେ। ସଂଘବଦ୍ଧ ହୋଇ କାର୍‌ରୁ ଟାଣିଆଣି ନିସ୍ତୁକ ମାଡ଼ ମାରିବା ସହ ଗାଡ଼ିକୁ ଭଙ୍ଗାରୁଜା କଲେ। ଏଭଳି ଦେଖିବାକୁ ମିଳିଛି ରାଜଧାନୀର ଭିଏସ୍‌ଏସ୍‌ନଗର ଫ୍ଲାଏଓଭର ଉପରେ। ଏ ମାମଲାରେ ମଞ୍ଚେଶ୍ବର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଦିଲୀପ ସେନା(୩୫), ବଡ଼ଗଡ଼ ବିଜେବିନଗର ଅଞ୍ଚଳର ମୋନାସ ସିଂହ(୨୫) ଓ ସାନଭାଇ ଜନେଶ କୁମାର ସିଂହ(୨୧)। ପୁଲିସ ସେମାନଙ୍କ ନିକଟରୁ ଦୁଇଟି କାର୍‌ ଜବତ କରିଛି।

Advertisment

ସୂଚନା ମୁତାବକ, ଗତ ୩୦ ତାରିଖ ଦିନ ପାଖାପାଖି ସାଢ଼େ ୨ଟା ସମୟରେ ବିରଞ୍ଚି ନାରାୟଣ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି କାର୍‌ରେ ଏମ୍‌ସ ହସ୍ପିଟାଲ୍‌ରୁ ପରିବାର ସଦସ୍ୟଙ୍କ ସହ ଘରକୁ ଫେରୁଥିଲେ। ସେ ସିଆର୍‌ପି ଛକ ନିକଟରେ ଯାଉଥିବା ସମୟରେ ଦିଲୀପଙ୍କ କାର ସହ ତାଙ୍କ ଗାଡ଼ି ସାମାନ୍ୟ ଧକ୍କା ହୋଇଥିଲା। ଯାହାକୁ ନେଇ ଦିଲୀପ ରାଗିଯାଇ କାର୍‌ରୁ ବାହାରି ବିରଞ୍ଚି ଓ ତାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲେ। କଥା କଟାକଟି ପରେ ବିରଞ୍ଚି ସେଠାରୁ ପଳାଇବା ପରେ ଦିଲୀପ ତାଙ୍କୁ ପିଛା କରିଥିଲା। ଆଉ ତାର ଦୁଇ ସହଯୋଗୀ ମୋନାସ୍‌ଓ ଜନେଶକୁ ଫୋନ୍‌କରି ଘଟଣା ସମ୍ପର୍କରେ ଜଣାଇବା ସହ ବିରଞ୍ଚିଙ୍କୁ ପାନେ ଦେବାପାଇଁ ପାଞ୍ଚିଥିଲା। ବିରଞ୍ଚି ଭିଏସ୍‌ଏସ୍‌ନଗର ଫ୍ଲାଏଓଭର ଉପରେ ଯାଉଥିବା ସମୟରେ ହଠାତ୍‌ଦିଲୀପ ଓ ତାର ସହଯୋଗୀ ଆଗପଛ ହୋଇ ତାଙ୍କୁ ଘେରିଯାଇଥିଲେ। ସେ କିଛି ବୁଝିବା ପୂର୍ବରୁ ତାଙ୍କୁ କାର୍‌ରୁ ଟାଣିଆଣି ମାଡ଼ ମାରିଥିଲେ। ପରିବାର ଲୋକେ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ବିଚ୍‌ରାସ୍ତାରେ  ଯୁବକମାନଙ୍କ ଏଭଳି ଉତ୍ପାତ ଦେଖି କେହି ଅଟକାଇବାକୁ ସାହସ କରି ନଥିଲେ।  ବିରଞ୍ଚିଙ୍କୁ ମାଡ଼ମାରି ଅଭିଯୁକ୍ତମାନେ ସେଠାରୁ ଫେରାର୍‌ହୋଇଯାଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍‌ପଠାଇବା ସହ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଏନେଇ ବିରଞ୍ଚି ଥାନାରେ ଅଭି‌ଯୋଗ ପରେ ପୁଲିସ ମାମଲା ରୁଜୁକରି ଗୁରୁବାର ଦିନ ୩ଜଣଙ୍କୁ ଗିରଫ କରିବା ସହ ୨ଟି କାର୍‌ଜବତ କରିଥିଲା। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି।