ଭୁବନେଶ୍ବର: ୩ବର୍ଷ ହେଲା ଲିଭ୍-ଇନ୍ରେ ରହୁଥିବା ଜଣେ ଯୁବତୀ ଶେଷରେ ପ୍ରେମିକକୁ ଅପହରଣ କରିବା ସହ ମୁଣ୍ଡଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କରିବା ଭଳି ଘଟଣା ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ବଡ଼ ଭଉଣୀର ପ୍ରେମିକ ସହ ମିଶି ପ୍ରେମିକା ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ୩୧ ତାରିଖ ରାତିରେ ଏହି ଅପହରଣ ଘଟିଥିଲା ଏବଂ ୧ ତାରିଖ ରାତିରେ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା। ରାତାରାତି କମିସନରେଟ୍ ପୁଲିସ ଏକ ହୋଟେଲ୍ରୁ ଅପହର୍ତ୍ତାମାନଙ୍କୁ ଗିରଫ କରିବା ସହ ଅପହୃତ ସୋମନାଥ ସ୍ବାଇଁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଖାରବେଳନଗର ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ଅପହର୍ତ୍ତାମାନେ ହେଲେ ପ୍ରେମିକା ପ୍ରାପ୍ତି ଶର୍ମା(୨୩), ଅପହରଣର ମାଷ୍ଟରମାଇଣ୍ଡ କେନ୍ଦୁଝର ଆନନ୍ଦପୁରର ଆକାଶ କୁମାର ପରିଡ଼ା(୨୯), ୟୁନିଟ୍-୬ ଅଞ୍ଚଳର ଶିବରାମ ବେହେରା(୨୮), ଜଗତସିଂହପୁର ଭୂତମୁଣ୍ଡେଇର ଶ୍ୟାମସୁନ୍ଦର ସାହୁ(୨୨) ଓ ଢେଙ୍କାନାଳ କାମାକ୍ଷାନଗରର ରାକେଶ ଚନ୍ଦ୍ର ବାରିକ(୩୩)। ପୁଲିସ ଅପହର୍ତ୍ତାମାନଙ୍କ ନିକଟରୁ ୨ଟି କାର୍, ୮ମୋବାଇଲ ଓ ବହ୍ଲା ତଥା ଲାଠି ଜବତ କରିଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।
କେମିତି ଧରାପଡ଼ିଲେ
ଆଜି ସିପି ଏସ୍ ଦେବଦତ୍ତ ସିଂ ଓ ଡିସିପି ଜଗମୋହନ ମିନା ଦେଇଥିବା ସୂଚନାନୁସାରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଜାମସେଦପୁରରେ ରହୁଥିବା ଅଞ୍ଜିତା ନାୟକ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଭାଇ ସୋମନାଥଙ୍କୁ ଅପହରଣ କରାଯାଇଛି ଏବଂ ଦୁର୍ବୃତ୍ତମାନେ ମୁଣ୍ଡଜାମିନ ରଖି ୧୦ ଲକ୍ଷ ଟଙ୍କା ମାଗୁଛନ୍ତି ବୋଲି କହିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ରାମମନ୍ଦିର ନିକଟକୁ ଡକାଇଥିଲେ। କିନ୍ତୁ ସେ ଜାମସେଦପୁରରୁ ଆସି ରାମମନ୍ଦିର ନିକଟରେ ପହଞ୍ଚିବା ପରେ ଅପହର୍ତ୍ତାମାନେ ଆସିନଥିଲେ। ତେଣୁ ଅଘଟଣ ଆଶଙ୍କାରେ ଅଞ୍ଜିତା ଖାରବେଳନଗର ଥାନାରେ ଜଣାଇଥିଲେ। ପୁଲିସ ଅଞ୍ଜିତାଙ୍କଠାରୁ ସମସ୍ତ ସୂଚନା ସଂଗ୍ରହ କରିଥିଲା ଏବଂ ୩ଟି ଟିମ୍ ଅପହର୍ତ୍ତାମାନଙ୍କ ପିଛା କରିଥିଲେ। ଅଭିଯୁକ୍ତମାନଙ୍କ ମୋବାଇଲ ଟ୍ରାକ୍ କରିକରି ପୁଲିସ ବିଳମ୍ବିତ ରାତିରେ ସମ୍ ହସ୍ପିଟାଲ୍ ନିକଟ ହୋଟେଲ ଗ୍ରିନ୍ ଇନ୍ରେ ଚଢ଼ଉ କରିଥିଲା। ଦୁର୍ବୃତ୍ତମାନେ ସୋମନାଥଙ୍କୁ ବାନ୍ଧି ପ୍ରବଳ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପଛରେ ଆହୁରି କିଛି ବଡ଼ଧରଣର କାରଣ ଲୁଚି ରହିଥିବାରୁ ପୁଲିସ ତଦନ୍ତ ଜାରି ରଖିଛି।
ଘଟଣାର ଅନ୍ତରାଳେ
ଜଗତସିଂହପୁର ଘଡ଼ିମୂଳ ଗାଁର ସୋମନାଥ ଓ ପ୍ରାପ୍ତି ୩ବର୍ଷ ହେଲା ଝାରପଡ଼ା ମହାବୀରନଗରରେ ଏକାଠି ରହୁଥିଲେ। କିଛି ଦିନ ହେଲା ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ପ୍ରେମିକା ପ୍ରାପ୍ତି ଅନ୍ୟ କାହାକୁ ଭଲ ପାଉଛନ୍ତି ବୋଲି ସୋମନାଥ ସନ୍ଦେହ କରିବାରୁ ଏହି ବିବାଦ ଆରମ୍ଭ ହୋଇଥିଲା। ୩୧ ତାରିଖ ରାତିରେ ଏହି ସନ୍ଦେହକୁ ନେଇ ସୋମନାଥ ରାଗରେ ପ୍ରାପ୍ତିଙ୍କୁ ମାଡ଼ ମାରିଥିଲେ। ଉତ୍କ୍ଷିପ୍ତ ହୋଇ ପ୍ରାପ୍ତି ତାଙ୍କ ବଡ଼ ଭଉଣୀକୁ ଏହା ଜଣାଇଥିଲେ। ପ୍ରାପ୍ତିଙ୍କ ବଡ଼ ଭଉଣୀ ତାଙ୍କ ପ୍ରେମିକ ଆକାଶକୁ ଏହା ଜଣାଇବା ପରେ ସେ ଦଳବଳ ନେଇ ଝାରପଡ଼ାରେ ପହଞ୍ଚିଥିଲା ଏବଂ କାର୍ରେ ସୋମନାଥକୁ ଉଠାଇ ଆଣିଥିଲେ। ମଙ୍ଗଳବାର ଅପରାହ୍ଣରେ ଆକାଶ ଫୋନ୍ କରି ସୋମନାଥଙ୍କ ଭଉଣୀ ଅଞ୍ଜିତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲା। ଟଙ୍କା ନ ମିଳିଲେ ସେମାନେ ସୋମନାଥଙ୍କୁ ହତ୍ୟା କରିବେ ବୋଲି ଚରମବାଣୀ ଶୁଣାଇଥିଲେ।