ଭୁବନେଶ୍ବର: ବିଏମ୍ସି ମାର୍କେଟ୍ ଉପବିଭାଗ ପଛରୁ ବିବାଦ ପିଛା ଛାଡ଼ୁନି। ୧ ନମ୍ବର ହାଟରେ ୫ଶହରୁ ଊର୍ଦ୍ଧ୍ବ ଦୋକାନର ବେଆଇନ ମ୍ୟୁଟେସନ ହେଉ ବା ବିଭିନ୍ନ ହାଟରେ ବ୍ୟବସାୟୀଙ୍କ ସଂଖ୍ୟାକୁ ନେଇ ଖେଳ ହେଉ, ଏ ସବୁକୁ ନେଇ ମାର୍କେଟ୍ ଉପବିଭାଗ ଚର୍ଚ୍ଚାରେ ଥିବା ବେଳେ ଏହି ଉପବିଭାଗର ଆଉ ଏକ କେଳେଙ୍କାରୀ ପଦାକୁ ଆସିଛି। ଉଚ୍ଛେଦ କରିବା ବେଳେ କେତେକ ବ୍ୟବସାୟୀଙ୍କୁ କିଓସ୍କ ଦେବାକୁ କହିଥିଲେ, ହେଲେ କ’ଣ ହେଲା କେଜାଣି, ୧୮ ବର୍ଷ ପରେ ଟଙ୍କା ଫେରାଇ ଦେବାକୁ କହୁଛି ବିଏମ୍ସି। ତାହା ପୁଣି ବିନା ସୁଧରେ। ବଡ଼କଥା ହେଉଛି, ଗୋଟିଏ ସମୟରେ ଉଚ୍ଛେଦ ହୋଇଥିବା ଏକାଧିକ ବ୍ୟବସାୟୀଙ୍କ ମଧ୍ୟରୁ କେତେକଙ୍କୁ କିଓସ୍କ ଯୋଗାଇ ଦିଆଯାଇଥିବା ବେଳେ କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ଏଭଳି ଟଙ୍କା ଫେରସ୍ତ ଦେବାକୁ ବିଏମ୍ସି କହୁଛି। ଏଣୁ ସନ୍ଦେହ ପ୍ରକାଶ ପାଇଛି। ମୋଟା ଅଙ୍କର ହାତଗୁଞ୍ଜା ନେଇ କିଓସ୍କ ଯୋଗାଇ ଦିଆଯାଇଛି।
ଯେଉଁମାନେ ଦେଇ ପାରିନାହାନ୍ତି, ସେମାନଙ୍କୁ କାଟି ଦିଆଯାଇଛି। ଏବେ ୧୮ବର୍ଷ ପରେ ଟଙ୍କା ଫେରାଇ ଦେବାକୁ ଧମକ ଦେଉଛି। ମାମଲା ଏବେ ଭୁବନେଶ୍ବର ସିଭିଲ୍କୋର୍ଟ ସମେତ ହାଇକୋର୍ଟରେ ପହଞ୍ଚିଛି। ଉଭୟ କୋର୍ଟ ବିଚାର କରି କିଓସ୍କ ଦେବା ପାଇଁ ଆଦେଶ ଦେଇଛନ୍ତି। ହେଲେ ବିଏମ୍ସି ଶୁଣୁ ନଥିବା ଅଭିଯୋଗ ହୋଇଛି। ବିଏମ୍ସିର ଏଭଳି ଦୋମୁହାଁ ନୀତି ପାଇଁ ଏବେ ହିତାଧିକାରୀ ବାରଦୁଆର ହେଉଛନ୍ତି। ଅନ୍ୟପଟେ ଆସନ୍ତାକାଲି ବିଏମ୍ସି ଗ୍ୟାଲେରିଆ ମଲ୍ରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ରହିଥିବା ଏହି ସବୁ ବ୍ୟବସାୟୀଙ୍କୁ ଉଚ୍ଛେଦ କରିବାକୁ ବିଏମ୍ସି ନୋଟିସ୍ ଦେଇଛି।
ବାଙ୍କୁଆଳର ପ୍ରଶାନ୍ତ ମହାରଣା ୧୯୯୬ ମସିହାରେ କଳ୍ପନା ଛକ( ବର୍ତ୍ତମାନର ଗ୍ୟାଲେରିଆ ମଲ୍ ସମ୍ମୁଖ)ରେ ଏକ ଗ୍ୟାରେଜ୍ କରିଥିଲେ। ମଲ୍ ନିର୍ମାଣ ପୂର୍ବରୁ ଏମାନଙ୍କୁ ବିଏମ୍ସି ଉଚ୍ଛେଦ କରିଥିଲା। ପ୍ରଶାନ୍ତଙ୍କ ସହ ପ୍ରାୟ ୧୧ଜଣ ଏଠାରୁ ଉଚ୍ଛେଦ ହୋଇଥିଲେ। ସେଠାରୁ ଉଚ୍ଛେଦ ହେବା ବେଳେ ବିଏମ୍ସି ସମସ୍ତଙ୍କୁ କିଓସ୍କ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ସେମାନେ ସେଠାରୁ ହଟିବା ପରେ ପ୍ରଶାନ୍ତ ବିଏମ୍ସି ଅଫିସ୍ ସାମ୍ନାରେ ଗ୍ୟାରେଜ୍ କରିଥିବା ବେଳେ ଅନ୍ୟମାନେ ମାଉସୀ ମା’ ଛକ ଆଡ଼କୁ ରାସ୍ତା ପାର୍ଶ୍ବରେ ଉଠାଦୋକାନ କରି ବ୍ୟବସାୟ କରୁଥିଲେ। ୨୦୨୦ ମସିହାରେ ବିଏମ୍ସି ଏମାନଙ୍କୁ କିଓସ୍କ ଦେବାକୁ ନିଷ୍ପତ୍ତି ନେଲା। ଏଣୁ ସିକ୍ୟୁରିଟି ଜମା ଓ ଗୋଟିଏ ମାସର କିଓସ୍କ ଭଡ଼ା ବାବଦକୁ ୫ହଜାର ଦୁଇଶହ ଟଙ୍କା ଅଗ୍ରିମ ଦାଖଲ କରିବାକୁ ବିଏମ୍ସି ନୋଟିସ୍ କରିଥିଲା। ନୋଟିସ୍ ଆଧାରରେ ବ୍ୟବସାୟୀମାନେ ଟଙ୍କା ଜମା କରିଥିଲେ।
ବିଏମ୍ସିର ଦୋମୁହାଁ ନୀତି
ଆଜି ଉଚ୍ଛେଦ କରିବାକୁ ନୋଟିସ୍
୨୦୦୦ରୁ ୨୦୦୬ ଭିତରେ ପ୍ରାୟ ୭ଜଣଙ୍କୁ ବିଏମ୍ସି କିଓସ୍କ ଦେଇଥିଲା। ହେଲେ ପ୍ରଶାନ୍ତଙ୍କ ସମେତ ଅନ୍ୟମାନଙ୍କୁ କିଓସ୍କ ମିଳି ନଥିଲା। ମାର୍କେଟ୍ ଉପବିଭାଗଠାରୁ ‘ଆଜି ହେବ, କାଲି ହେବ’ ଶୁଣି ଶୁଣି ଏମାନେ ହତାଶ ହୋଇଥିଲେ। ପ୍ରାୟ ୧୮ବର୍ଷ ଦଉଡ଼ାଇବା ପରେ ୨୦୧୮ ମସିହାରେ ବିଏମ୍ସି ଟଙ୍କା ଫେରାଇଦେବା ପାଇଁ କହିଥିଲା। ଏତେ ଦିନ ପରେ ହଠାତ୍ ଏଭଳି ନିଷ୍ପତ୍ତିକୁ ନେଇ ବ୍ୟବସାୟୀମାନେ ଚିନ୍ତାରେ ପଡ଼ି ଯାଇଥିଲେ। ଏ ନେଇ ପ୍ରଶାନ୍ତ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଭୁବନେଶ୍ବର ସିଭିଲ୍ କୋର୍ଟରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। ହେଲେ କିଛି ଲାଭ ହୋଇନଥିଲା। ବିଏମ୍ସି କିଛି ଶୁଣିନଥିଲା।
ମାର୍କେଟ୍ ଉପବିଭାଗ ଦାୟିତ୍ବରେ ଥିବା ଡେପୁଟି କମିସନର ପ୍ରମୋଦ ପୃଷ୍ଟି କହିଛନ୍ତି, ବିଏମ୍ସି ନିଷ୍ପତ୍ତି ନେଇଛି କିଓସ୍କ ଦିଆଯିବ ନାହିଁ। ଟଙ୍କା ଫେରସ୍ତ କରାଯିବ। କିନ୍ତୁ ୧୮ ବର୍ଷ ପରେ ଏଭଳି ନିଷ୍ପତ୍ତି କାହିଁକି ବୋଲି ପ୍ରଶ୍ନର ଉତ୍ତରରେ ସେ କିଛି କହିବାକୁ ଚାହିନାହାନ୍ତି।