ଭୁବନେଶ୍ୱର: ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସ୍ଡି) ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ଥିଏଟର ଅଲିମ୍ପିକ୍ସର ଆଜି ଥିଲା ଚତୁର୍ଥ ସନ୍ଧ୍ୟା। ଆଜି ଦର୍ଶକ ମଞ୍ଚରେ ପାଶ୍ଚାତ୍ୟ ଓ ପ୍ରାଚ୍ୟ ନାଟ୍ୟଶୈଳୀରେ ପ୍ରସ୍ତୁତ ବଙ୍ଗଳା ନାଟକ ମିତ୍ବ୍ରିଙ୍ଗ୍ ଦେଖିବାକୁ ପାଇଥିଲେ। ଯେଉଁଥିରେ କଳାକାରମାନେ ଉଭୟ ଚରିତ୍ର ଏବଂ ଘୋଷକଭାବେ ଅବତୀର୍ଣ୍ଣ ହୋଇଥିଲେ। ଗ୍ରାମରେ ଓ୍ଵାଙ୍ଗଲା ଉତ୍ସବ ପାଳନ ଅବସରରେ ମିଟ୍ଟି ଓ କାନୁ ପ୍ରେମରେ ପଡ଼ନ୍ତି। ମିଟ୍ଟିର ମା’ ଝିଅର ବିବାହ ପରିବର୍ତେ ଝିଅ ସହର ଯାଇ ଚାକିରି କରିବା ଚାହୁଁଥିଲେ। ସମୟକ୍ରମେ କାନୁ ସହରକୁ ଯାଇଛି। ମିଟ୍ଟି ଗ୍ରାମରେ ରହିଯାଇଛି। ଏକ ପ୍ରକଳ୍ପ ନିର୍ମାଣ ପାଇଁ ଗ୍ରାମକୁ ଆସିଥିବା କମ୍ପାନିକୁ ବିରୋଧ କରିବାରୁ ଉକ୍ତ କମ୍ପାନି ମିଟ୍ଟିକୁ ଅପହରଣ କରି ସହରକୁ ନେଇ ଯାଇଛି। ମିଟ୍ଟି ଓ କାନୁର ଏପରି ପ୍ରେମ ବିରହର କାହାଣୀ ନାଟକରେ ଦେଖିବାକୁ ମିଳିଥିଲା। ସାଧନା ଅହମଦ ରଚିତ ଏହି ନାଟକର ନିର୍ଦେଶନା ଦେଇଥିଲେ ଏ.କେ.ଏମ୍ ୟୁସୁଫ ହାସନ । ନାଟକରେ ବିବର୍ତନ ଜେଶୋର, ବାଂଲାଦେଶର କଳାକାର ବେଶ୍ ନିଖୁଣ ଭାବେ ନିଜର କଳା ପ୍ରଦର୍ଶନ କରିଥିଲେ। ଆଜି ସନ୍ଧ୍ୟାରେ ବହୁ ନାଟ୍ୟପ୍ରେମୀ ପ୍ରେକ୍ଷାଳୟରେ ଉପସ୍ଥିତ ଥିଲେ।
ଆଜିଠାରୁ ଆଇଏମ୍ଟିରେ ଥିଏଟର ଅଲିମ୍ପିକ୍ସ
୨୮ ତାରିଖରୁ ମାର୍ଚ ୭ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟାରେ ଆଚାର୍ଯ୍ୟ ବିହାର ସ୍ଥିତ ଆଇଏମ୍ଟି ପ୍ରେକ୍ଷାଳୟରେ ଥିଏଟର ଅଲିମ୍ପିକ୍ସ ଅନୁଷ୍ଠିତ ହେବ। ପ୍ରଥମ ସନ୍ଧ୍ୟାରେ ସାର୍ଥକ, ଜୟପୁର ନାଟ୍ୟାନୁଷ୍ଠାନର ନାଟକ ‘ବେହଦ ନଫରତ୍ କେ ଦିନୋ ମେଁ’ ନାଟକ ପ୍ରଦର୍ଶିତ ହେବ। ୧ ତାରିଖରେ ସ୍ତ୍ରୀର୍ ପତ୍ର, ୩ ତାରିଖରେ ଇସ୍କ ମାଲାଙ୍ଗି, ୪ ଓ ୫ ରେ ଇଂରାଜୀ ନାଟକ ମେନ୍ ଅପ୍ ଦି ହାର୍ଟ, ଦି ସସ୍ପେନଡେଜ୍ ଥ୍ରେଡ୍ ପ୍ରଦର୍ଶିତ ହେବ। ଆଇଏମ୍ଟି ପ୍ରେକ୍ଷାଳୟରେ ଶେଷ ଦୁଇଦିନ କଥା କର୍ଣ୍ଣଭାର ଓ ହିୟାର ମାଝେ ନାଟକ ଦେଖିବାକୁ ମିଳିବ।
ହୋଲିରେ ବନ୍ଦ ରହିବ, ୮ରୁ ପୁଣି ରବୀନ୍ଦ୍ର ମଣ୍ଡପରେ
ଆସନ୍ତା ଦୁଇ ତାରିଖରେ ହୋଲି ଉତ୍ସବ ପଡ଼ୁଥିବାରୁ ଥିଏଟର ଅଲିମ୍ପିକ୍ସ ବନ୍ଦ ରହିବ। ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ପୁନର୍ବାର ରବୀନ୍ଦ୍ର ମଣ୍ଡପରେ ନାଟକ ମଞ୍ଚସ୍ଥ ହେବ। ୮ରେ ମଣିପୁରୀ ନାଟକ ହୋଜାଙ୍ଗ ତାରେତ, ୯ରେ ଇଂରାଜୀ ନାଟକ ଏଲିଫେଣ୍ଟ୍ ଇନ୍ ଦି ରୁମ୍ ଓ ଶେଷ ଦିନ ଆସାମୀ ନାଟକ ଶ୍ରୀ ରାମ ବିଜୟ ଦେଖିବାକୁ ମିଳିବ।