ଭୁବନେଶ୍ବର: ଚୋର ମାତିଛନ୍ତି। ପୁଲିସ ଶୋଇଛି। ‘ସମ୍ବା‌ଦ’ର ଚିଫ୍‌ ରିପୋର୍ଟର ଚୌଧୁରୀ ଅମିତାଭ ଦାସଙ୍କ କାର୍‌ର କାଚ ଭାଙ୍ଗି ଚୋରି ଘଟଣାକୁ ୫ ଦିନ ନ ପୂରୁଣୁ ଗତ ରାତିରେ ଆଉ ଦୁଇଟି ଅନୁରୂପ ଘଟଣା ଘଟିଛି। ଭିଏସ୍‌ଏସ୍‌ ନଗର ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲ ନିକଟ ଓ ଚର୍ଚ୍ଚ ନିକଟରେ ଦୁଇଟି ଧଳା ସ୍କର୍ପିଓ କାଚ ଭାଙ୍ଗି ଚୋରି ହୋଇଛି। ତିନିଟିଯାକ ଘଟଣା ସହିଦନଗର ଥାନା ଅଞ୍ଚଳରେ ଘଟିଛି। ‘ସମ୍ବାଦ’ ସାମ୍ବାଦିକଙ୍କ ଗାଡ଼ିରୁ ଚୋରି ଘଟଣାରେ ପୁଲିସର ବିଫଳତା ଦୁର୍ବୃତ୍ତମାନଙ୍କୁ ପ୍ରୋତ୍ସାହିତ କରିଛି। ବଡ଼କଥା ହେଉଛି ଭିଏସ୍‌ଏସ୍‌ ନଗର ଫାଣ୍ଡି ଠାରୁ ମାତ୍ର କେଇ ମିଟର ଦୂରରେ ଏହି ଦୁଇଟି ଘଟଣା ଘଟିଛି।

Advertisment

ଉଭୟ ଗାଡ଼ିକୁ ସମାନ ଢଙ୍ଗରେ ଭଙ୍ଗା ଯାଇଛି। ପ୍ରଥମେ ଚାଳକ ପଟର କାଚ ଭଙ୍ଗାଯାଇଛି। ପରେ ଚାବି କିଟକୁ ଭଙ୍ଗା ଯାଇଛି। ଗାଡି ଷ୍ଟାର୍ଟ ନ ହୋଇ ପାରିବାରୁ ସେମାନେ ଫେରାର ହୋଇଯାଇଛନ୍ତି। ତେବେ ପାଖରେ ଥିବା ଏକ ଘରୋଇ ସିସିଟିଭିରେ ଦୁର୍ବୃତ୍ତଙ୍କର କାରନାମା ରେକର୍ଡ ହୋଇଛି। ଫୁଟେଜ୍‌ରେ ଦୁର୍ବୃତ୍ତ ଏକ ୱିଙ୍ଗର ଗାଡ଼ିରେ ଆସିଥିବା ପ୍ରମାଣ ରହିଛି। ଭୋର ୩ଟା ବେଳେ ସେମାନେ ଏହି କାଣ୍ଡ କରିଛନ୍ତି। ସେମାନେ ଗାଡ଼ି ଚୋରାଇ ନେବା ପାଇଁ ପ୍ରାୟ ଏକ ଘଣ୍ଟା ଧରି ଉଦ୍ୟମ କରିଛନ୍ତି। ଗୋଟିଏ ଗାଡ଼ିର ମାଲିକ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ଭିଏସଏସ ନଗରର ଦୀପକ ନାୟକ। ତାଙ୍କ ଗାଡ଼ିର ନମ୍ବର ହେଉଛି (ଓଡି୦୨ଏଏ-୧୪୨୨)। ତିନିଟି ଯାକ ମାମଲାରେ ଅଭିଯୁକ୍ତ ଏକା ବୋଲି ପୁଲିସ ଅନୁମାନ କରୁଛି। ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଛାନ୍‌ଭିନ୍‌ ଆରମ୍ଭ କରିଛି। ନିକଟ ଅତୀତରେ ନୂଆପଲ୍ଲୀ ଅଞ୍ଚଳରେ ଏଭଳି ଚୋର ମାତିଥିଲେ। ପୁଲିସ ଏକ ଗ୍ୟାଙ୍ଗ୍‌କୁ ଧରିଥିଲା। ଭୁବନେଶ୍ବରରୁ ଦୁଇଜଣ ଚୋରଙ୍କୁ ଧରାଯାଇ ପାରିଥିବା ବେଳେ ୮ଟି କାର୍‌ ବି ଜବତ କରାଯାଇଥିଲା।