ବାରଙ୍ଗ : ଚନ୍ଦକା ଥାନା ପୁଲିସ ପାଇଁ ମୁଣ୍ତ ବିନ୍ଧା ପାଲଟିଥିବା ଘରୁ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଚନ୍ଦକା ରାଜବାଟିକା ଆପାର୍ଟମେଣ୍ଟର ବିଜୟ କୁମାର ମହାନ୍ତିଙ୍କ ଘରୁ ଚୋରି ଯାଇଥିବା ପାଣି ପମ୍ପ ଓ ଗ୍ୟାସ ସିଲିଣ୍ତର ମାମଲାର ତଦନ୍ତ କରିବା ବେଳେ ୭ ଜଣିଆ ଚୋର ଦଳଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ, ଦାରୁଠେଙ୍ଗର ଗ୍ରାମ ପାଟଣା ସାହିର ଶିବ ସାହୁ ଓରଫ ଖୁରୁଡ଼ି(୨୨), ନୂଆସାହିର ବିଶ୍ବନାଥ ଦେହୁରି (୨୨), ଚନ୍ଦନ ମାହାପାତ୍ର (୧୯), ଶିମିଳିପାଟଣାର ବଚନ ନାଏକ(୨୩) ଓ ଆରତ ଜେନା(୩୫), ଭୁଆଶୁଣିର ଧୀରେନ୍ଦ୍ର ଦେହୁରି (୨୯) ଓ ପିଙ୍କୁ ବେହେରା(୨୭)। ଏମାନେ ନିୟମିତ ଭାବେ ବିଭିନ୍ନ ଘରୁ ସାମଗ୍ରୀ ଚୋରି କରି ବିକୁଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ପୁଲିସ ଦାରୁଠେଙ୍ଗ ଗ୍ରାମର ଚନ୍ଦ୍ରଶେଖର ମାଝି ଓରଫ ଦଣ୍ତ(୩୫), ପାଟଣା ସାହିର ରମେଶ ସାହୁ(୩୬), ଭୁଆଶୁଣିର ଜିତେନ୍ଦ୍ର ପାଟ୍ଟସାହାଣୀ(୨୭), ଭରତପୁରରେ ରହୁଥିବା ମହାକାଳପଡ଼ା ଜମ୍ବୁ ଗ୍ରାମର କମଳ ଦାସ(୨୯) ଓ ସମ୍‌ ହସ୍ପିଟାଲ ନିକଟରେ ରହୁଥିବା ଗଞ୍ଜାମ ଜିଲ୍ଲା ବିଟାନିର ଅନିରୁଦ୍ଧ ନାୟକ ଓରଫ ଅନି(୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସେମାନଙ୍କଠାରୁ ଲାପଟପ୍‌, ଆଇପ୍ୟାଡ୍‌, ଟ୍ୟାବ, ମୋବାଇଲ ଫୋନ୍, ହାତ ଘଣ୍ଟା, କ୍ୟାମେରା, ରୁପା ଟଙ୍କା ଓ ଅଳଙ୍କାର, ୧୪ଟି ପାଣିପମ୍ପ,୯ଟି ଗ୍ୟାସ ସିଲିଣ୍ତର ଓ ଗୋଟିଏ ଗ୍ରାଇଣ୍ତର ଜବତ କରିଛି।