ଥାନାରୁ ଚୋର ଚମ୍ପଟ, ଥାନା ଘେରିଲେ ବସ୍ତିବାସିନ୍ଦା

ଭୁବନେଶ୍ୱର: ଗୁରୁବାର ସନ୍ଧ୍ୟାରେ ସହିଦନଗର ଥାନାରୁ ଜଣେ ଚୋର ଚମ୍ପଟ ମାରିବା ନେଇ ଥାନା ପରିସରରେ ଉତ୍ତେଜନା ଦେଖାଯାଇଥିଲା। ଉତ୍ତ୍ୟକ୍ତ ଲୋକେ ପ୍ରତିବାଦରେ ଥାନା ଘେରାଉ କରିବା ସହ ସେଠାରେ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ। କିଛିଦିନ ହେବ ଉକ୍ତ ଯୁବକ ଜଣଙ୍କ ତ୍ରିନାଥବସ୍ତିରେ ଥିବା ଅଟୋଗୁଡ଼ିକର ଚକା ଚୋରି କରୁଥିଲା। ଚକା ଚୋରକୁ ଧରିବା ପାଇଁ ସ୍ଥାନୀୟ ଲୋକ ଯୋଜନା କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଏକ ଅଟୋରୁ ଚକା ଚୋରି ବେଳେ ସ୍ଥାନୀୟ ଲୋକ ଯୁବକ ଜଣକୁ କାବୁ କରିଥିଲେ। ପରେ ତାକୁ ନିସ୍ତୁକ ମାଡ଼ମାରି ଥାନାରେ ଦେଇଥିଲେ। କିନ୍ତୁ ସନ୍ଧ୍ୟାରେ ଯୁବକ ଜଣକ ପୁଲିସ୍‌କୁ ଚକମା ଦେଇ ଥାନାରୁ ଚମ୍ପଟ ମାରିଥିଲା। ଏହା ଜାଣିବା ପରେ ସ୍ଥାନୀୟ ଲୋକମାନେ ଥାନା ଘେରାଉ କରିଥିଲେ। ପୁଲିସ ବୁଝାସୁଝା କରିବା ପରେ ଲୋକମାନେ ଧାରଣାରୁ ଉଠିଥିଲେ। ଅନ୍ୟପଟେ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ୪ଜଣ ଯୁବକଙ୍କୁ ଅଟକ ରଖାଯାଇଥିଲା। ତେବେ ଦୁଇ ଜଣ ଯୁବକଙ୍କ ସମ୍ପୃକ୍ତି ନ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଅଣ୍ଡରଟେକିଂରେ ଛଡ଼ାଯାଇଛି। କେହି ଥାନାରୁ ଚମ୍ପଟ ମାରି ନଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର