ଭୁବନେଶ୍ବର: ବରମୁଣ୍ଡା ଅଞ୍ଚଳର କୁଖ୍ୟାତ ସିନ୍ଧିଚୋର ମଣ୍ଟୁ ପାଇକରାୟ(୪୦)କୁ ପୁଣି ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ଦୁଇ ଦୁଇଟି ଚୋରି ମାମଲାରେ ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି। ତା’ ନିକଟରୁ ମୋଟ୍ ୫୭ ହଜାର ଟଙ୍କା, ୩ଟି ସୁନା ଚେନ୍, ଗୋଟିଏ ଲାପ୍ଟପ୍, ସ୍ବାର୍ଟ ୱାଚ୍, ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟାନ୍ୟ ଦାମୀ ଜିନିଷ ଜବତ କରାଯାଇଛି। ପୁଲିସ ସୂଚନାନୁସାରେ ଅବିନାଶ ସାମନ୍ତରାୟଙ୍କ ବରମୁଣ୍ଡାସ୍ଥିତ ଘରୁ ଚୋରି ହୋଇଥିବା ଅଭିଯୋଗ ପରେ ପୁଲିସ ମଣ୍ଟୁକୁ ଉଠାଇ ପଚରାଉଚରା କରିଥିଲା ଏବଂ ତା’ ଘର ତଲାସି କଲା ବେଳେ ଏତେ ସବୁ ଜିନିଷ ମିଳିଥିଲା। ଅବିନାଶଙ୍କ ଘରୁ ଚୋରି କରିବା ପୂର୍ବରୁ ସେ ବରମୁଣ୍ଡା ପ୍ଲଟ୍ ନମ୍ବର-୭୭୯ରୁ ବି ଚୋରି କରିଥିବା ମାନିଥିଲା। ତା’ ନାମରେ ପୂର୍ବରୁ ୨୫ଟି ସିନ୍ଧିଚୋରି ମାମଲା ରହିଛି।
ସେହିଭଳି ଭରତପୁର ଥାନା ପୁଲିସ ଏକ ମୋବାଇଲ ଚୋରି ମାମଲାରେ ଡୁମୁଡୁମା ଅଞ୍ଚଳର ସେକ୍ ରହମାନ(୨୫) କୁ ଗିରଫ କରିଛି। ଗତକାଲି ରାତିରେ ସେ ଘାଟିକିଆ ରାସ୍ତାରେ ଅଜିମ୍ଙ୍କୁ ଅଟକାଇ ମୋବାଇଲ୍ ଛଡ଼ାଇବା ବେଳେ ଧରା ପଡ଼ିଥିଲା।