ଚୋରି କାଳୀମୂର୍ତ୍ତିକୁ ମନ୍ଦିର ସମ୍ମୁଖରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ବାଲିଅନ୍ତା : ଆଜି ପୂର୍ବାହ୍ନରେ ବାଳକାଟି ଫାଣ୍ଡି ପୁଲିସ ବାଳକାଟି ନୂଆପାଟଣାସ୍ଥିତ ମଦନମୋହନ ଦେବ ମନ୍ଦିର ସମ୍ମୁଖରୁ ଏକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ପାଖାପାଖି ଏକଫୁଟ ଉଚ୍ଚତାର ପିତ୍ତଳ କାଳୀମୂର୍ତ୍ତିକୁ ଜବତ କରି ବାଲିଅନ୍ତା ଥାନା ପୁଲିସକୁ ହସ୍ତାନ୍ତର କରିଛି। କୌଣସି ମନ୍ଦିର ଭିତରୁ ଲୁଟେରାମାନେ ଚୋରି କରି ଆଣିଥିବା ଏହି କାଳୀ ମୂର୍ତ୍ତିଟିକୁ ସୋମବାର ବିଳମ୍ବିତ ରାତିରେ ଅଘଟଣ ଘଟିବା ଆଶଙ୍କା କରି ଉକ୍ତ ମନ୍ଦିର ସମ୍ମୁଖରେ ଫିଙ୍ଗିଦେଇ ପଳାଇଥିବା ନେଇ ଆଲୋଚନା ହେଉଛି। ଦଶଭୂଜାରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧାରଣ କରିଥିବା ମା ’ କାଳୀ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ଉପରେ ସ୍ଥାପିତ ହୋଇଛି । ଆଜି ସକାଳେ ମନ୍ଦିର ପ୍ରବେଶ ପଥରେ ଥିବା ହୁଣ୍ଡିବାକ୍ସ ନିକଟରେ ମୂର୍ତ୍ତିଟି ପଡ଼ିଥିବାର ଦେଖି ଗ୍ରାମବାସୀମାନେ ବାଳକାଟି ଫାଣ୍ଡିକୁ ଜଣାଇଥିଲେ। ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କ ନିକଟରୁ ମୂର୍ତ୍ତିଟିକୁ ଜବତ କରିଥିଲେ। ଅନ୍ୟ ପକ୍ଷରେ ଏହି ଚୋରି ମୂର୍ତ୍ତିକୁ ନେଇ ସଂପୃକ୍ତ ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର