ଚର୍ଚ୍ଚାରେ ଅଡିଓ ଟେପ୍‌ : ଚୋରା ଗାଡ଼ି ବିକ୍ରିରେ ପୁଲିସ ମଧ୍ୟସ୍ଥ!

ଦୁଷ୍କର୍ମକାରୀ ସବ୍ଇନ୍ସପେକ୍ଟରଙ୍କ ଚୋରା ଗାଡ଼ି ଲିଙ୍କର ଗୁମର ଖୋଲୁଛି

ତଦନ୍ତ କାହିଁକି ଅଧାରୁ ବନ୍ଦ ହୋଇ ଯାଇଥିଲା
ଗ୍ୟାଙ୍ଗ ସହ ଆଉ ଜଣେ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ବାର୍ତ୍ତାଳାପ

ଭୁବନେଶ୍ବର : ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇ ପଡ଼ିଥିବା କ୍ୟାପିଟାଲ ଥାନାର ନିଲମ୍ବିତ ସବ୍ଇନ୍ସପେକ୍ଟର ରାକେଶ ସାମଲ ଚୋରା ଗାଡ଼ି ବିକ୍ରିରେ ସାମିଲ ଥିଲେ ବୋଲି ପୀଡ଼ିତା ଯୁବତୀ ଅଭିଯୋଗ କରିଛନ୍ତି। ଏକ ଗାଡ଼ି ଦେବା ପାଇଁ ରାକେଶ ତାଙ୍କଠାରୁ ୫ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ ଦର୍ଶାଇଥିଲେ। ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଚୋରା ଗାଡ଼ି କାରବାର ନେଇ ଏକାଧିକ ଅଡିଓ ବାର୍ତ୍ତାଳାପ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯେଉଁଥିରେ ଗାଡ଼ି ଚୋରି ସଂପର୍କରେ ସାଂଘାତିକ ବାର୍ତ୍ତା​ଳାପ ରହିଛି। ଆଉ ଜଣେ ପୁଲିସ କର୍ମଚାରୀ ଏହି ଗାଡ଼ି ଚୋରି ରାକେଟ୍ ସହ ସଂପୃକ୍ତ ଥିବା ଅଡିଓ ବାର୍ତ୍ତାଳାପରେ ରେକର୍ଡ ହୋଇ ରହିଛି। ଯଦି ଏହା ସତ ହୋଇଥାଏ, ତାହାଲେ ପୁଣି ଜଣେ ପୁଲିସ କର୍ମଚାରୀଙ୍କ ଅସଲ ମୁଖା ଖୋଲିବ ବୋଲି କୁହାଯାଉଛି। କିନ୍ତୁ ଏହି ଘଟଣାକୁ ପୁଲିସ କେତେ ଗୁରୁତ୍ବର ସହକାରେ ଗ୍ରହଣ କରୁଛି, ତାହା ଦେଖିବା ବାକି ରହିଲା।

ଅଭିଯୁକ୍ତ ସବଇନ୍ସପେକ୍ଟର୍‌ ରାକେଶ ସାମଲଙ୍କ ବିରୋଧରେ ଦୁଷ୍କର୍ମ ଓ ଠକେଇ ମାମଲା ରୁଜୁ ହେବା ପରେ ସାଂଘାତିକ ତଥ୍ୟ ପଦାକୁ ଆସିବାରେ ଲାଗିଛି। ରାକେଶଙ୍କର ଜଣେ ବ୍ୟକ୍ତିଙ୍କ ସହ ଲମ୍ବା ବାର୍ତ୍ତାଳପର ଅଡିଓ ଟେପ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତବର୍ଷ ଡିସେମ୍ବରରେ କମିସନରେଟ୍‌ ପୁଲିସର ସ୍ପେସାଲ ସ୍କ୍ବାଡ୍ ହାତରେ ଧରା ପଡ଼ିଥିବା ବଡ଼ଧରଣର ଅନ୍ତଃରାଜ୍ୟ ଗାଡ଼ି ଚୋରି ଲିଙ୍କ୍ ସହ ଏକ ପ୍ରମୁଖ ଥାନାର ଜଣେ ପୁଲିସ କର୍ମଚାରୀଙ୍କ ଲିଙ୍କ୍ ଥିବା ନେଇ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିବା ଅଡିଓ ଟେପ୍‌ରୁ ଜଣାପଡ଼ିଛି। ସ୍ପେସାଲ ସ୍କ୍ବାଡ୍ ହାତରେ ଗାଡ଼ି ଚୋର ଗ୍ୟାଙ୍ଗର ଚିନ୍ମୟ ସାହୁ ଓ ଗୋପାଳ ମହାନ୍ତି ଧରାପଡ଼ିବା ପରେ ରାକେଶଙ୍କ ସହ ସମ୍ପୃକ୍ତ ବ୍ୟକ୍ତିଙ୍କର ଫୋନ୍‌ରେ ବାର୍ତ୍ତାଳାପର ଅଡିଓ ଟେପ୍ ଏବେ ପୁଲିସ ହାତରେ ଲାଗିଛି। ସେହି ଗ୍ୟାଙ୍ଗ ସହ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କର କେତେ ନିବିଡ଼ ସମ୍ପର୍କ ଥିଲା, ତାକୁ ନେଇ ଆଲୋଚନା ମଧ୍ୟ ହୋଇଛି। ପୁଲିସ କର୍ମଚାରୀଙ୍କ ସହ ରୁମରେ ରହିବା, ବୁଲିବା, ଖାଇବା କଥା ମଧ୍ୟ ଉଭୟ କଥାବାର୍ତ୍ତା ହୋଇଛନ୍ତି। ଏହି ମାମଲାରୁ କେମିତି ସମ୍ପୃକ୍ତ ପୁଲିସ କର୍ମଚାରୀ ବର୍ତ୍ତିଗଲେ, ସେ କଥା ମଧ୍ୟ ବାର୍ତ୍ତାଳାପରେ ରହିଛି।

ସୂଚନା ଅନୁଯାୟୀ, ଗତ ଡିସେମ୍ବରରେ ସ୍ପେସାଲ ସ୍କ୍ବାଡ୍‌ ଦେଢ଼ କୋଟି ଟଙ୍କାର ଗାଡ଼ି ଜବତ କରିଥିଲା। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ଫର୍ଚ୍ୟୁନର୍‌, ଇନୋଭା ଭଳି ଦାମୀ ଗାଡ଼ି ମଧ୍ୟ ରହିଥିଲା। ସେତେବେଳ ସ୍ପେସାଲ ସ୍କ୍ବାଡ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା। ତେବେ ଆଉ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପଶ୍ଚିମବଙ୍ଗରୁ ଚୋରା ଗାଡ଼ି ରାଜଧାନୀକୁ ଆସିବା ସହ ଏଠାରେ ଜାଲ କାଗଜପତ୍ର ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଥିବା ପଦାକୁ ଆସିଥିଲା। ଏହି ଗ୍ୟାଙ୍ଗରେ ପଶ୍ଚିମବଙ୍ଗର ଜଣେ ଅଭିଯୁକ୍ତ ରହିଥିବା ବେଳେ ରାଜଧାନୀରେ ଦୁଇଜଣ ଥିଲେ। ପାଖାପାଖି ୪୦ରୁ ଅଧିକ ଚୋରା ଗାଡ଼ି କାରବାର ହୋଇଥିବା ଅଡିଓ ଟେପ୍‌ରେ ରେକର୍ଡ ହୋଇରହିଛି। ଏଭଳି ଏକ ବଡ଼ଧରଣର ଗ୍ୟାଙ୍ଗ ଧରିଥିବା କମିସନରେଟ୍‌ ପୁଲିସର ତଦନ୍ତ କିନ୍ତୁ ଆଉ ବଢ଼ି ପାରି ନ ଥିଲା। ତଦନ୍ତକୁ ସେଠାରେ ସୀମିତ ରଖିବା ପାଇଁ ପୁଲିସ ଉପରେ ଚାପ ପଡ଼ିଥିଲା ବୋଲି ଅଡିଓ ଟେପ୍‌ରେ ରହିଛି। ଏହି ଅଡିଓ ଟେପ୍ ଅଭିଯୁକ୍ତ ସବ୍‌ଇନ୍ସପେକ୍ଟର ରାକେଶ ସାମଲ ଓ ଜଣେ ବ୍ୟକ୍ତିଙ୍କ ଭିତରେ ହୋଇଥିବା କୁହାଯାଉଥିବା ବେଳେ ତାହାର ସତ୍ୟାସତ୍ୟ ଯାଞ୍ଚ ହୋଇନି। ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଗାଡ଼ି ଚୋରି ଗ୍ୟାଙ୍ଗ ସମ୍ପର୍କରେ ପୁଲିସ ତଦନ୍ତ କାହିଁକି ଆଗକୁ ବଢ଼ିପାରି ନଥିଲା? ଖାକିରେ କଳଙ୍କର ଛିଟା ପଡ଼ିବା ଆଶଙ୍କାରେ ତଦନ୍ତ ବନ୍ଦ ହୋଇଯାଇଥିଲା କି? ଏହି ଅଡିଓ ଟେପ୍‌ର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ତଦନ୍ତ ଆଗକୁ ବଢ଼ାଇବ କି ପୁଲିସ?

ଏ ସଂପର୍କରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ପୀଡ଼ିତା ମହିଳାଙ୍କ ଅଭିଯୋଗ ଆଧାରରେ ଗତକାଲି ମାମଲା ରୁଜୁ ପରେ ମହିଳା ବିରୋଧୀ ଅପରାଧର ତଦନ୍ତ ୟୁନିଟ୍‌ (ଆଇୟୁସିଡବ୍ଲୁ)ର ଇନ୍ସପେକ୍ଟରଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ପ୍ରଥମେ ଯୁବତୀଙ୍କର ଡାକ୍ତରୀମାଇନା କରାଯିବା ସହ ବୟାନ ରେକର୍ଡ କରାଯିବ। ସେହିପରି ଅଭିଯୁକ୍ତ ବର୍ତ୍ତମାନ କେଉଁଠି ଅଛନ୍ତି, ତାହା ଜଣାପଡ଼ିନାହିଁ। ତାଙ୍କର ମଧ୍ୟ ବୟାନ ରେକର୍ଡ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ଯାହା କିଛି ନିଷ୍ପତ୍ତି ନେଇ ହେବ।

ସମ୍ବନ୍ଧିତ ଖବର