ଧଉଳି: କିଛି ଦିନର ନିରବତା ପରେ ପୁଣି ଧଉଳିରେ ସିନ୍ଧିଚୋରି ହୋଇଛି। ଗତକାଲି ରାତିରେ ସିନ୍ଧିଚୋର ଦଳ ଜଣେ ଡାକସେବା ଅଧିକାରୀଙ୍କ ଘରେ କଳାକନା ବୁଲାଇଛନ୍ତି। ନଗଦ ୮୦ ହଜାର ଟଙ୍କା, ହଳେ ସୁନା ଚୁଡ଼ି ଓ କିଛି ରୁପା ଅଳଙ୍କାର ଚୋରି ହୋଇଛି ବୋଲି ଧଉଳି ଥାନାରେ ଅଭିଯୋଗ ହୋଇଛି। ରାତିରେ ଘରେ କେହି ରହୁନଥିବା ମଉକାରେ ରେକି କରିଥିବା ସିନ୍ଧିଚୋର ଦଳ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ଛାନ୍ଭିନ୍ କରିବା ସହ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି।
ସରଦେଇପୁର ମେଳଣପଡ଼ିଆ ନିକଟସ୍ଥ ଡ୍ୟୁପ୍ଲେକ୍ସରେ ରହୁଛନ୍ତି ଡାକସେବା ଅଧିକାରୀ ସପନ କୁମାର ମହାନ୍ତି। ସେ ମଞ୍ଚେଶ୍ବରସ୍ଥିତ ଡାକସେବା କାର୍ଯ୍ୟାଳୟରେ ସର୍ଟିଂ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ। ତାଙ୍କ ସ୍ତ୍ରୀ ମଧ୍ୟ ଡାକ ବିଭାଗରେ କାମ କରନ୍ତି ଏବଂ ଏବେ ସେ ରାୟପୁରରେ ଅବସ୍ଥାପିତ। ତେଣୁ ଏଠାରେ ଶ୍ରୀ ମହାନ୍ତି ଏକାକୀ ରହୁଛନ୍ତି। ଗତକାଲି ତାଙ୍କର ରାତି ଡ୍ୟୁଟି ଥିଲା। ତେଣୁ ସେ ଘରେ ତାଲା ପକାଇ ସନ୍ଧ୍ୟା ୫ଟାରୁ ଅଫିସ୍ ବାହାରିଯାଇଥିଲେ। ଆଜି ସକାଳୁ ସେ ଘରକୁ ଫେରିବା ପରେ ଘରର ମୁଖ୍ୟ କବାଟର ତାଲା ଭଙ୍ଗା ହୋଇଥିବା ଦେଖିଥିଲେ। ପରେ ୩ କବାଟର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ସେହିଭଳି ଭିତରେ ୨ଟି ଆଲ୍ମିରା ଭଙ୍ଗା ହୋଇଥିବା ଦେଖିଥିଲେ। ତୁରନ୍ତ ସେ ଧଉଳି ଥାନାକୁ ଫୋନ୍ କରି ଜଣାଇଥିଲେ। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ଶ୍ରୀ ମହାନ୍ତିଙ୍କ କହିବା କଥା ତାଙ୍କ ସ୍ତ୍ରୀ ଘରେ ରହୁନଥିବାରୁ ସୁନା ଅଳଙ୍କାର ବେଶି ନଥିଲା। କେବଳ ହଳେ ସୁନା ଚୁଡ଼ି ଥିଲା। କିନ୍ତୁ ବେଶି ଥିଲା ରୁପା ଅଳଙ୍କାର। ୨ହଳ ପାଉଜି, ରୁପା କଏନ, ୪ଟି ରୁପା ବିସ୍କୁଟ ଚୋରି ହୋଇଛି। ସେହିଭଳି ୨ଟି ଆଲ୍ମିରାରେ ପୃଥକ ପୃଥକ ଭାବେ ଥିବା ୬୦ ହଜାର ଓ ୨୦ ହଜାର ଟଙ୍କା ଚୋରି ହୋଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଅଧିକାଂଶ ରାତିରେ ମେଳଣ ପଡ଼ିଆରେ ଅସାମାଜିକ ତତ୍ତ୍ବଙ୍କ ଆଡ଼ା ଜମୁଛି। ତେଣୁ କେଉଁ ଘରେ ଲୋକେ ରହୁନାହାନ୍ତି, ସେମାନେ ରେକି କରୁଛନ୍ତି ଏବଂ ମଉକା ଦେଖି କଳାକନା ବୁଲାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/09/VWsExAPPzqbwZw8DhkGf.jpg)