ରାଜଧାନୀରେ ଥାଇଲାଣ୍ଡ ସେବା

ହୋଣ୍ଡା କାର୍‌, ଲାପଟପ୍‌, ୨୦ ମୋବାଇଲ୍‌୍‌, ପାସପୋର୍ଟ, ଭିସା ଜବତ

ଭୁବନେଶ୍ୱର: ଦେହ ବେପାର ପାଇଁ କୁଖ୍ୟାତ ଥାଇଲାଣ୍ଡର ଯୁବତୀମାନଙ୍କୁ ନେଇ ରାଜଧାନୀରେ ଚାଲୁଥିଲା ସେକ୍ସ ର‍୍ୟାକେଟ୍‌। ସ୍ପା’ ଆଳରେ ଗ୍ରାହକଙ୍କୁ ସବୁ ପ୍ରକାରର ସେବା ଯୋଗାଇ ଦିଆଯାଉଥିଲା। ଆଉ ଏହି ଘୃଣ୍ୟ କାମରେ ନିୟୋଜିତ ହେଉଥିଲେ ଦେଶୀ ଓ ବିଦେଶିନୀ ଦେହଜୀବୀ। ଆଜି ଖାରବେଳନଗର ଥାନା ପୁଲିସ ହେଭେନ୍‌ ଥାଇ ସ୍ପା’ ଉପରେ ଚଢ଼ଉ କରି ଏହାର ପର୍ଦାଫାସ୍‌ କରିଛି। ଜଣେ ଜଣାଶୁଣା ଶିଳ୍ପପତିଙ୍କ ଭଡ଼ାଘରେ ଚାଲିଥିବା ଏହି ସ୍ପା’ରୁ ଥାଇଲାଣ୍ଡର ୩ ଯୁବତୀଙ୍କ ସମେତ ୫ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨ ଗ୍ରାହକ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ସେଠାରୁ ପୁଲିସ ଏକ ହୋଣ୍ଡା କାର୍‌, ଲାପଟପ୍‌, ୨୦ଟି ମୋବାଇଲ ଫୋନ୍‌, ୩ ଥାଇ ଯୁବତୀଙ୍କ ପାସପୋର୍ଟ, ଭିସା ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ତେବେ ଏହି ସ୍ପା ଚଳାଉଥିବା ଶ୍ରୀନିବାସ ନନ୍ଦ ଫେରାର ହୋଇଯାଇଛି।

ରାଜଧାନୀରେ ବିଦେଶିନୀଙ୍କୁ ନେଇ ସେକ୍ସ ର‍୍ୟାକେଟ୍‌ ଚାଲିବା କିଛି ନୂଆ କଥା ନୁହେଁ। କିଛି ମାସ ତଳେ ଖାରବେଳନଗର ଥାନା ପୁଲିସ ଜଣେ ଉଜବେକିସ୍ତାନ ଯୁବତୀଙ୍କୁ ଏକ ହୋଟେଲରୁ ନିଶାସକ୍ତ ଅବସ୍ଥାରେ ଗିରଫ କରିବା ପରେ ସେ ଏକ ସେକ୍ସ ର‍୍ୟାକେଟ୍‌ରେ ସଂପୃକ୍ତ ଥିବା ଜଣା ପଡ଼ିଥିଲା। ସେହିପରି ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ମଧ୍ୟ ପୁଲିସ ରୁଷୀୟ ଯୁବତୀଙ୍କୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରିଥିଲା। ତେବେ ଏହିସବୁ ର‍୍ୟାକେଟ୍‌କୁ ପର୍ଦାଫାସ୍‌ କରିବାରେ ପୁଲିସ ସଫଳ ହୋଇ ନ ଥିଲା। କିନ୍ତୁ ଆଜି ଖାରବେଳନଗର ଥାନା ପୁଲିସ ସ୍ପା’ରେ କାର୍ଯ୍ୟରତ ୩ ଥାଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ମସାଜ୍‌ ଆଳରେ ଚାଲିଥିବା ଏହି କଳା କରାନାମାକୁ ପଦାରେ ପକାଇବାରେ ସମର୍ଥ ହୋଇଛି। କେବଳ ସେତିକି ନୁହେଁ, ଥାଇ ସେବା ନେବା ପାଇଁ ଏହି ସ୍ପା’କୁ ବହୁ ନାମୀଦାମୀ ଗ୍ରାହକ ଆସୁଥିବା ସନ୍ଦେହ କରି ପୁଲିସ ଏହାର ଖୋଳତାଡ଼ ଜାରି ରଖିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ୟୁନିଟ୍‌-୩ ଅଞ୍ଚଳରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ନିଜର ଏକ ବହୁତଳ ବିଶିଷ୍ଟ କୋଠାରେ ଏକ ମାର୍କେଟ କଂପ୍ଲେକ୍ସ ରହିଛି। ସେଥିରୁ ଚତୁର୍ଥ ମହଲାରେ ଥିବା ଏକ ଘରେ ଚାଲୁଥିଲା ହାଭେନ୍‌ ଥାଇ ସ୍ପା। ଆଜି ସେଠାରେ ଚଢ଼ଉ ବେଳେ ୩ ଥାଇ ଯୁବତୀଙ୍କ ସହ ଯାଜପୁର ଜିଲ୍ଲା ଓ ମହାରାଷ୍ଟ୍ରର ୨ ଯୁବତୀ ଉଦ୍ଧାର ହୋଇଛନ୍ତି। ଧରା ପଡ଼ିିଥିବା ଗ୍ରାହକ ଦ୍ୱୟ ହେଲେ ଏୟାରଫିଲ୍ଡ ଥାନା ଅଞ୍ଚଳର ଅଶ୍ୱଜିତ ମହାନ୍ତି(୪୦) ଓ ଜାଗମରା ଅଞ୍ଚଳର ସଞ୍ଜୀବ ସ୍ୱାଇଁ(୨୫)। ସେହିପରି ସ୍ପାରେ କାମ କରୁଥିବା ଦୁଇ କର୍ମଚାରୀ ମହେଶ୍ୱର ସେଠୀ ଓ ପ୍ରଶାନ୍ତ ସେଠୀ ମଧ୍ୟ ଗିରଫ ହୋଇଛନ୍ତି। ଜବତ ହୋଇଥିବା ଭିସାଗୁଡ଼ିକରୁ ଜଣାପଡ଼ିଛି ଯେ, ୩ ଥାଇ ଯୁବତୀ ବର୍ଷିକିୟା ଟୁରିଷ୍ଟ ଭିସାରେ ଚଳିତ ବର୍ଷ ୧୨ଏପ୍ରିଲରୁ ୧୭ ଅଗଷ୍ଟ ମଧ୍ୟରେ ଭାରତକୁ ଆସିଥିଲେ। ଭିସାର ସର୍ତ୍ତ ଅନୁଯାୟୀ ସେମାନେ ଭାରତରେ କୌଣସି ସ୍ଥାନରେ ଚାକିରି କରି ପାରିବେ ନାହିଁ। ଏହି ଯୁବତୀମାନେ କିଭଳି ଭାବେ ଏଠାରେ ସେବା ଯୋଗଉଥିଲେ ଏବଂ ଏମାନଙ୍କ ସହ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହା ଜାଣିବା ଲାଗି ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।

ବିଳାସପୂର୍ଣ୍ଣ ଘରେ ତାରକା ହୋଟେଲ ଭଳି ସାଜସଜ୍ଜା

ଗ୍ରାହକମାନଙ୍କୁ ଖୁସି କରିବା ଓ ଓଡ଼ିଶାରେ ଥାଇଲାଣ୍ଡଭଳି ସେବା ଯୋଗାଇବା ପାଇଁ ସ୍ପା ଭିତର ଯେମିତି ଏକ ତାରକା ହୋଟେ୍‌ ଭଳି ସଜା ଯାଇଥିଲା। ସ୍ପା ଭିତରେ ଥିବା ରୁମ୍‌ଗୁଡ଼ିକ ଜଣେ ଜେଣେ ଗ୍ରାହକଙ୍କ ପାଇଁ କରାଯାଇଥିଲା। ଏସି ଲଗିଥିବା ଏହି ରୁମ୍‌ରେ ଉନ୍ନତମାନର ବେଡ୍‌ ସାଙ୍ଗକୁ ବ୍ଳୁ ଲାଇଟ୍‌ରେ ସାଜ ଯାଇଥିଲା। ରୁମ୍‌ରେ ଥିବା ବାଥ୍‌ରୁମ୍‌କୁ ଅତ୍ୟାଧୁନିକ ଭାବେ ସଜା ଯାଇଥିଲା। ପରିବେଶକୁ ଏଭଳି କରାଯାଇଥିଲା ଯେ, ଗ୍ରାହକମାନେ ଥରେ ଅସିଲେ ବାରମ୍ବାର ଆସିବାକୁ ମନ ବଳାଇବେ।

ଗ୍ରାହକଙ୍କ ପ୍ରଥମ ପସନ୍ଦ ଥାଇଲାଣ୍ଡ ଯୁବତୀ

ଗ୍ରାହକ ମାନଙ୍କ ପ୍ରଥମ ପସନ୍ଦ ଥିଲା ଥାଇଲାଣ୍ଡ ଯୁବତୀ। ଏହାଛଡ଼ା କେତେକ ଗ୍ରାହକ ମହାରାଷ୍ଟ, କଲିକତା, ଓଡ଼ିଶାର ଯୁବତୀଙ୍କ ପାଇଁ ମଧ୍ୟ ଅଗ୍ରୀମ ବୁକିଂ କରୁଥିଲେ। ଥାଇଲାଣ୍ଡ ଯୁବତୀଙ୍କ ପାଇଁ ଗ୍ରାହକମାନେ ମୋଟାରକମର ଟଙ୍କା ଦେଉଥିଲେ। ଥରେ ମସାଜ ପାଇଁ ୫ହଜାରରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ। ସେହିପରି ମହାରାଷ୍ଟ୍ର, କଲିକତା, ଓଡ଼ିଶାର ଯୁବତୀଙ୍କଠାରୁ ମସାଜ ପାଇଁ ୨ହଜାରରୁ ଆରମ୍ଭ କରି ୮-୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ। ସ୍ପା ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ସନ୍ତୁଷ୍ଟ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଉଥିଲା। ବିଶେଷକରି ଥାଇଲାଣ୍ଡର ଯୁବତୀମାନଙ୍କୁ କଲିକତାର ଏକ ସଂସ୍ଥା ମାଧ୍ୟମରେ ଅଣାଯାଉଥିଲା। ସେମାନଙ୍କୁ ମାସିକିଆ କଣ୍ଟ୍ରାକ୍ଟରେ ଅଣାଯାଉଥିଲା। ମାସ ସରିବା ପରେ ଥାଇଲାଣ୍ଡର ନୂଆ ନୂଆ ଯୁବତୀଙ୍କୁ ଯୋଗାଯୋଗ କରାଯାଉଥିଲା।

କନେଷ୍ଟବଳ ସାଜିଥିଲେ ଗ୍ରାହକ

ଦୀର୍ଘ ୩ମାସରୁ ଊର୍ଧ୍ୱ ହେବ ହେଭେନ୍‌ ସ୍ପା’ରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌ା ତେବେ ଦୁଇ ଦିନ ତଳେ ଥାନା ଅଧିକାରୀ ଅନୁପ କାନୁନ୍‌ଗୋ ଏହି ଖବର ପାଇଥିଲେ। ତେଣୁ ର‍୍ୟାକେଟ୍‌ ଠାବ ପାଇଁ ସେ ନିଜେ ୨ଦିନ ହେବ ସେଠାରେ ଚକ୍କର କାଟିଥିଲେ। ପ୍ରଥମେ ଗୁରୁବାର ଦିନ ର‍୍ୟାକେଟ୍‌କୁ ଠାବ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ତେଣୁ ଆଜି ଜଣେ କନେଷ୍ଟବଳଙ୍କୁ ଗ୍ରାହକ ସଜାଇ ସ୍ପାକୁ ପଠାଇଥିଲେ। କନଷ୍ଟବଳ ଜଣକ ସ୍ପାରେ ପହଞ୍ଚିବା ପରେ ମସାଜ୍‌ ପାଇଁ ଦର ବୁଝିଥିଲେ। ସେଠାରେ ଥିବା କର୍ମଚାରୀ ଜଣଙ୍କ କହିଥିଲେ ୧୪ଶହ ଟଙ୍କା ଦେଲେ କେବଳ ସ୍ପା। କନେଷ୍ଟବଳ ପଚାରିଥିଲେ ଆଉ କିଛି ଅଧିକ ସେବା ମିଳିବ କି? ଉତ୍ତର ଆସିଥିଲା, ଅଢ଼େଇ ହଜାର ଟଙ୍କା ଦିଅ ତମକୁ ଯୁବତୀମାନେ ମସାଜ୍‌ କରିବେ ଆଉ ତମେବି ସେମାନଙ୍କୁ ମସାଜ କରି ପାରିବ। କନେଷ୍ଟବଳଙ୍କୁ ସେ ଏକ ରୁମ୍‌କୁ ନେଇ ଆହୁରି ବିସ୍ତତ ଭାବେ ବୁଝାଇଥିଲେ। ଏହାପରେ କନେଷ୍ଟବଳ ଜଣକ ହଜାରେ ଟଙ୍କା ଅଗ୍ରୀମ ଦେଇ ତଳୁ ଏଟିଏମ୍‌ରୁ ଅବଶିଷ୍ଟ ଟଙ୍କା ଆଣୁଛି କହି ବାହାରକୁ ଚାଲିଆସିଥିଲେ। ପରେ ପରେ ଯୋଜନା ମୁତାବକ ଅପରାହ୍ଣ ପ୍ରାୟ ୪ଟାବେଳେ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ପହଞ୍ଚି ଚଢ଼ଉ କରିଥିଲା ଏବଂ ୨ଜଣ ଯୁବତୀଙ୍କ ସହ ୨ଜଣ ଗ୍ରାହକ ଅସଞ୍ଜତ ଅବସ୍ଥାରେ ଥିବା ପୁଲିସ ଦେଖିଥିଲା।

ଚନ୍ଦ୍ରଶେଖରପୁରରେ ଆଉ ଏକ ସ୍ପା

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରାୟ ୪ ମାସ ତଳେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କଠାରୁ ଏହି ଘର ଭଡ଼ା ନେଇ ଶ୍ରୀନିବାସ ନନ୍ଦ ନାମକ ଜଣେ ବ୍ୟକ୍ତି ଥାଇ ହେଭେନ୍‌ ସ୍ପା ଖୋଲିଥିଲା। ସ୍ପା ଅନୁମତି ପାଇଁ ସେ ବିଏମ୍‌ସିକୁ ଅଢ଼େଇ ହଜାର ଟଙ୍କା ଦେଇ ପଞ୍ଜୀକରଣ କରିଥିଲା। ତେବେ ସ୍ପା’ ଆଳରେ ଥାଇ ଯୁବତୀଙ୍କୁ ଆଣି ଏଠାରେ ଦେହ ବେପାର ଚଳାଇଥିଲା। ଆଜି କିନ୍ତୁ ପୁଲିସ ଚଢ଼ଉ ବେଳେ ଶ୍ରୀନିବାସକୁ ପାଇ ନଥିଲା। ପୂର୍ବରୁ ଖବର ପାଇ ସେ ପୁଲିସ ଆଖିରେ ଧୂଳି ଦେଇ ଖସି ଯାଇଥିବା କୁହାଯାଉଛି। କେବଳ ଏହି ସ୍ପା ନୁହେଁ ଶ୍ରୀନିବାସର ଚନ୍ଦ୍ରଶେଖରପୁରରେ ଆଉ ଏକ ସ୍ପା ଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ ସେଠରେ ମଧ୍ୟ ସେକ୍ସ ର‍୍ୟାକେଟ୍‌ ଚାଲିଥିବା ପୁଲିସ ସନ୍ଦେହ କରୁଛି।

ବୁକିଂ ପାଇଁ ଗ୍ରାହକଙ୍କ କଲ୍‌ ଉଠାଇଲା ପୁଲିସ

ଆଜି କ’ଣ କିଛି ନୂଆ ଆସିଛି ନା ପରେ ଆସିବ? ଯଦି ଆସିନି ଆସିଲେ କଲ୍‌ କରି ଜଣାଇବ। କେତେ କ’ଣ ପ୍ରାଇସ୍‌ ଅଛି ହ୍ଵାଟସାପ୍‌ରେ ରେଟ୍‌ ଚାଟ୍‌ ପଠାଇବ। ଆମ ପାଇଁ ଡିସ୍କାଉଣ୍ଟ ଟିକେ କରିଦେବ। ଆଜି ସ୍ପା’ରେ ବୁକିଂ ପାଇଁ ଏମିତି ଜଣେ ଗ୍ରାହକଙ୍କ ଫୋନ୍‌ କଲ୍‌କୁ ଖୋଦ୍‌ ପୁଲିସ ହିଁ ରିସିଭ୍‌ କରିଥିଲା। ଆଜି ପୁଲିସ ଚଢ଼ଉ ପରେ ସଂସ୍ଥାର ମୋବାଇଲ୍‌ ନମ୍ବରଗୁଡ଼ିକୁ ଗ୍ରାହକଙ୍କ ଏପରି ଘନଘନ ଫୋନ୍‌ ଆସିଥିଲା। ପୁଲିସ ସେମାନଙ୍କ ସହ କଥା ହେଉଛି ବୋଲି ଗ୍ରାହକମାନେ ଜାଣିପାରି ନ ଥିଲେ। ଗ୍ରାହକମାନଙ୍କ ଏଭଳି କଲ୍‌ ପାଇବା ପରେ ପୁଲିସ ଗ୍ରାହକମାନଙ୍କ ନମ୍ବରଗୁଡ଼ିକୁ ଯାଞ୍ଚ କରିଥିଲା।

 

ସମ୍ବନ୍ଧିତ ଖବର