ପୁନରୁଦ୍ଧାର ହେଲା ଢିଙ୍କି, ଆରମ୍ଭ ହେଲା ‘ଆମ ଗାଁ ଢିଙ୍କିଶାଳ’

ବାଲିପାଟଣା: ଓଡ଼ିଆଙ୍କ ଘରେ ଘରେ ଶୋଭା ପାଉଥିବା ଢିଙ୍କି ଆଉ ଖୋଜିଲେ ବି ମିଳୁନାହିଁ। ବିକାଶର ସ୍ରୋତରେ ଏହା ଲୋପ ପାଇ ଯାଇଛି। ମାତ୍ର ଢିଙ୍କିକୁଟା ଖାଦ୍ୟ ସାମଗ୍ରୀ ବିକ୍ରି କରି ରୋଜଗାରର ବାଟ ପାଇଛନ୍ତି ବାଲିପାଟଣା ବ୍ଲକ୍‌ ଭୈରପୁର ଗାଁର କିଛି ମହିଳା। ସ୍ବେଚ୍ଛାସେବୀ ସଂଗଠନ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେସନ ଆଣ୍ଡ୍‌ କେୟାର (ଆଇଆଇଇସି) ପକ୍ଷରୁ ଆରମ୍ଭ ହୋଇଥିବା ‘ଆମ ଗାଁ ଢିଙ୍କିଶାଳ’ ଆଣିଛି ଏହି ନିଆରା ସୁଯୋଗ। ଗ୍ରାମର ପ୍ରାୟ ଶହେ ପରିବାର ଏହି ପ୍ରକଳ୍ପରେ ଯୋଡ଼ି ହୋଇଛନ୍ତି।

ଢିଙ୍କିକୁଟା ଚାଉଳ, ଚୁଡ଼ା, ଡାଲି ଜାତୀୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯିବା ସହ ସୁଲଭ ମୂଲ୍ୟରେ ବଜାରକୁ ଛଡ଼ା ଯାଉଛି। ଲୋକେ ବେଳକୁ ବେଳ ସ୍ବାସ୍ଥ୍ୟ ସଚେତନ ହେଉଥିବା ବେଳେ ଢିଙ୍କିକୁଟା ଶସ୍ୟ ପ୍ରତି ମଧ୍ୟ ଆଦର ବଢ଼ୁଛି। ତେଣୁ ମହିଳାମାନେ କିଛି ରୋଜଗାରର ରାହା ପାଇଛନ୍ତି ବୋଲି ଆଇଆଇଇସିର ନିର୍ଦେଶକ ଡ. ଶିଶିର କୁମାର ଦାସ କହିଛନ୍ତି। ବୟସ୍କା ମହିଳାଙ୍କଠାରୁ ଯୁବତୀମାନେ ଓଡ଼ିଆ ଘରର ଏହି ଦୁର୍ଲଭ ଜିନିଷକୁ ପୁନର୍ଜୀବିତ କରିବା ସହ ରୋଜଗାରକ୍ଷମମ ହୋଇପାରିବେ। ଏହି ପ୍ରକଳ୍ପକୁ ଦୀର୍ଘସ୍ଥାୟୀ କରାଯିବ ବୋଲି ନିର୍ଦେଶିକା ଶର୍ମିଳା ପଟ୍ଟନାୟକ କହିଛନ୍ତି। ଗତକାଲି ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ପ୍ରକଳ୍ପକୁ ବୁଲି ଦେଖିବା ସହ ପ୍ରଶଂସା କରିଥିଲେ। ତୁଷାର ପରିଡ଼ା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର