ମହିଳା ବିଜ‌ନେସ୍ ମେଳାର ତୃତୀୟ ଦିନ: ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ

ଭୁବନେଶ୍ବର: ଜନତା ମଇଦାନଠାରେ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ମହିଳା ଉଦ୍ୟୋଗୀ ପରିଷଦ (ଆଇଡବ୍ଲ୍ୟୁଇସି) ପକ୍ଷରୁ ଚାଲିଥିବା‌ ‘ପ୍ରଥମ ମହିଳା ବାଣିଜ୍ୟ ମେଳା’ର ଆଜି ଥିଲା ତୃତୀୟ ଦିବସ। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ‘ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ଭବିଷ୍ୟତ’ ଶୀର୍ଷକ ଆଲୋଚନାରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଯାଦବ ଯୋଗଦେଇ କହିଲେ, ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଭିତ୍ତିଭୂମି, ରହଣୀସ୍ଥଳ, ଉତ୍ତମ ଯୋଗାଯୋଗ ଆଦିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।

ଓଡ଼ିଶା ସରକାର ଏହା କରିବାରେ ସକ୍ଷମ ହୋଇଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ସମୟରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି। ଇକୋ-ରିଟ୍ରିଟ୍ ଭଳି କାର୍ଯ୍ୟକ୍ରମ ଦ୍ବାରା ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି। ଆଇସିସି ମହିଳା ଉଦ୍ୟୋଗୀ ପରିଷଦର ସଦସ୍ୟ ଶୁଭଶ୍ରୀ ଭଞ୍ଜଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ସ୍ୟାଣ୍ଡ ପିବିଲସ୍ ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ହସ୍ପିଟାଲିଟି ନିର୍ଦ୍ଦେଶକ ପ୍ରଦୀପ୍ତ ମହାପାତ୍ର କହିଲେ, କରୋନା ମାଡ଼ରୁ ପର୍ଯ୍ୟଟନ କ୍ଷେତ୍ର ଏବେ ଧୀରେଧୀରେ ଅଣ୍ଟା ସଳଖିବା ଆରମ୍ଭ କରୁଛି। ଆଲୋଚନାରେ ପୁରସ୍କାରପ୍ରାପ୍ତ ବନ୍ୟଜନ୍ତୁ ସଂରକ୍ଷଣ ପରିବେଶ ଫଟୋଗ୍ରାଫର ଆଦିତ୍ୟ ପଣ୍ଡା କହିଲେ, ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆମର ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି।

ଗ୍ରାମାଞ୍ଚଳ ଯୁବତୀଙ୍କୁ ଉଦ୍ୟୋଗୀ କରାଯାଉ

ମୁଁ ମହିଳାଙ୍କୁ ସମ୍ମାନ ଦେଇ ଆସିଛି ଏବଂ ମହିଳାଙ୍କ ଶିକ୍ଷା ଓ ସଶକ୍ତୀକରଣ ପାଇଁ ସୁଯୋଗ ସୃଷ୍ଟି କରିଛି। ଏହା ମୋ ସଫଳତାର ଏକ ବଡ଼ ଦିଗ। ପଞ୍ଚମ ଅଧିବେଶନରେ ମହିଳା-ଶିକ୍ଷା-ସଶକ୍ତୀକରଣ ଶୀର୍ଷକ ବିଷୟବସ୍ତୁ ଉପରେ ସାଂସଦ ଅଚ୍ୟୁତ ସାମନ୍ତ ଆଲୋଚନା କରି ଏହା କହିଥିଲେ। ଗ୍ରାମାଞ୍ଚଳରେ ରହୁଥିବା ଝିଅମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଦେବାକୁ ପଡ଼ିବ ବୋଲି ସେ କହିଥିଲେ। ଏହି ଅବସରରେ ଏହି ବାଣିଜ୍ୟ ମେଳା ଆୟୋଜନ କରୁଥିବା ମହିଳାମାନେ ଅନ୍ତତଃ ୧୦ଜଣ ମହିଳାଙ୍କୁ ସଶକ୍ତ କରିବାକୁ ସେ ଆହ୍ବାନ ଦେଇଥିଲେ।

ଆର୍ଥିକ ପରିଚାଳନାରେ ମହିଳା ବେଶି ଦକ୍ଷ

ଚତୁର୍ଥ ଅଧିବେଶନ ‘ମହିଳା ଏବଂ ଅର୍ଥ: ମ୍ୟାନେଜିଂ ଫିନାନ୍‌ସେସ୍‌ ଏଣ୍ଡ ଆସେସ୍‌ ଟୁ ଫାଇଣ୍ଡିଂ’ ଆଲୋଚନାରେ ଟିମ୍‌ ଏଡ୍‌ମାର୍କର ସିଏମ୍‌ଡି ନିଶିକାନ୍ତ ମିଶ୍ର, କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇର ଡେପୁଟି ଡାଇରେକ୍ଟର ନୀତୀଶା ମାନ୍‌ ଯୋଗଦେଇ ଆଲୋଚନା କରିଥିଲେ। ନିଶିକାନ୍ତ ମିଶ୍ର କହିଲେ, ଆର୍ଥିକ ପରିଚାଳନାରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ବେଶି ଦକ୍ଷ ଓ ପରିପକ୍ବ। ଏହା ତାଙ୍କର ଈଶ୍ବରଦତ୍ତ ଗୁଣ। କରୋନା ବେଳେ, ଆର୍ଥିକ ଅନଟନରେ ମହିଳାମାନେ ସୁରୁଖୁରୁରେ ଘର ଚଳାଇ ତାହାର ପ୍ରମାଣ ଦେଇଛନ୍ତି। ମହିଳାମାନଙ୍କ ଅର୍ଥନୈତିକ ସ୍ବାଧୀନତା ରହିଲେ, ସମାଜ ଆହୁରି ଉନ୍ନତି କରିବ ବୋଲି ସେ କହିଥିଲେ। ଆଇଡବ୍ଲ୍ୟୁଇସିର ସଦସ୍ୟା ସ୍ବସ୍ତି ମିଶ୍ର ଅଧିବେଶନକୁ ସଂଯୋଜନା କରିଥିଲେ।

ଶିକ୍ଷାରେ ଡିଜିଟାଲ ଭିତ୍ତିଭୂମିର ଗୁରୁତ୍ବ ବଢ଼ିଛି

କରୋନା ପାଇଁ ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ଓ ଇଣ୍ଟରନେଟ୍‌ର ଗୁରୁତ୍ବ ବଢ଼ିଛି। ମହାମାରୀ ଆମକୁ ଅନ୍‌ଲାଇନ୍ କ୍ଲାସ ବିଷୟରେ ଶିକ୍ଷା ଦେଇଛି। ‘ଶିକ୍ଷା ଓ ସଶକ୍ତୀକରଣ: ଲିଙ୍ଗଗତ ବ୍ୟବଧାନ’ ଶୀର୍ଷକ ଦ୍ବିତୀୟ ଅଧିବେଶନରେ ଯୋଗଦେଇ ମୋ ସ୍କୁଲ୍ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଏହା କହିଛନ୍ତି। ସେ କହିଥିଲେ, ସରକାରୀ ହେଉ କି ବେସରକାରୀ ବିଦ୍ୟାଳୟ, ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ଡିଜିଟାଲ ଓ ବୌଦ୍ଧିକ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଆଇସିସି ମହିଳା ଉଦ୍ୟୋଗୀ ପରିଷଦର ସଦସ୍ୟ ନିଧି ଧାୱନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ଦ ଡିଏନ୍ ୱିଜ୍‌ଡମ୍‌ ଟ୍ରି ଗ୍ଲୋବାଲ୍‌ ସ୍କୁଲ୍ ଉପାଧ୍ୟକ୍ଷା ପଞ୍ଚମୀ ମାନୁ ଉକିଲ କହିଥିଲେ, ଆଜିର ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ପାଠ ପଢ଼ାକୁ ଉପଭୋଗ କରୁଛନ୍ତି। କାର୍ଯ୍ୟକ୍ରମରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ ଅଧ୍ୟକ୍ଷା ମୋନାଲିସା ବଳ କହିଲେ, ଆଜି ଭର୍ଚୁଆଲ୍‌ ମାଧ୍ୟମ‌େର ଶିକ୍ଷାଦାନର ଗୁରୁତ୍ବ ବଢ଼ିଛି।

ମହିଳାମାନେ ବି ବଡ଼ ବଡ଼ ମେସିନ୍‌ର ଅପରେଟର୍‌

ତୃତୀୟ ଅଧିବେଶନରେ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ ଓ ମହିଳା ସଶକ୍ତୀକରଣ ଶୀର୍ଷକ ଆଲୋଚନାରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ପ୍ରୋଜେକ୍ଟ ହେଡ୍‌ ଆଶେଷ କେ.ପାଢ଼ୀ କହିଲେ, ସାଧାରଣରେ ଏକ ଧାରଣା ଥିଲା ଯେ କମ୍ପାନି ଓ ଖଣି ଖାଦାନରେ କେବଳ ପୁରୁଷମାନେ କାମ କରିପାରିବେ। କିନ୍ତୁ ଏବେ ନୂତନ ଜ୍ଞାନକୌଶଳର ବ୍ୟବହାର ଯୋଗୁଁ ୨୫ ପ୍ରତିଶତରୁ ଅଧିକ ମହିଳା ଅପରେଟର୍‌ ବଡ଼ ବଡ଼ ମେସିନ୍‌ ଚଳାଉଛନ୍ତି। ମହିଳାମାନେ ବହୁତ ଦାୟିତ୍ବବାନ, ସଂକଳ୍ପବଦ୍ଧ। ଏବେ ୨୫ ପ୍ରତିଶତ ମହିଳା କମ୍ପାନି‌ରେ କାମ କରୁଛନ୍ତି, ଆଗକୁ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି କହିଥିଲେ।

ମହିଳା ଅଧିକ ପରିଶ୍ରମୀ

ଶେଷ ଅଧିବେଶନରେ ରାଜ୍ୟସଭା ସାଂସଦ ସୁଜିତ୍‌ କୁମାର ଯୋଗଦେଇ ‘ପରିବର୍ତ୍ତନର ଉତ୍‌‌ପ୍ରେରକ: ରାଜନୀତିରେ ମହିଳାଙ୍କ ଭାଗୀଦାରିତା’ ଶୀର୍ଷକ ଆଲୋଚନା କରି କହିଲେ, ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ପରିଶ୍ରମୀ ଓ ପରିଚାଳନାରେ ସିଦ୍ଧହସ୍ତା। ତେଣୁ ଅଧିକରୁ ଅଧିକ ମହିଳା ରାଜନୀତିକୁ ଆସିଲେ, ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ପ୍ରତିଶତ ମହିଳାଙ୍କୁ ରାଜନୀତିରେ ସୁଯୋଗ ଦେଇଛନ୍ତି। ମହିଳା ଉଦ୍ୟୋଗୀମାନେ ମଧ୍ୟ ରାଜନୀତିକୁ ଆସିବା ଦରକାର ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଆଇସିସି ମହିଳା ଉଦ୍ୟୋଗୀ ପରିଷଦ (ଆଇଡବ୍ଲୁଇସି)ର ସଂଯୋଜିକା ସୁକୀର୍ତ୍ତି ପଟ୍ଟନାୟକ ଓ ସହସଂଯୋଜିକା ତନୟା ପଟ୍ଟନାୟକ ପ୍ୟାନେଲିଷ୍ଟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଓଲିଉଡ୍‌ କଳାକାରଙ୍କ ଦ୍ବାରା ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର