ଭୁବନେଶ୍ବର: ଭାଷା ଓ ଭାବର ଖେଳ ହେଉଛି ସାହିତ୍ୟ। କିନ୍ତୁ ଆମର ଆଚରଣ ଉଚ୍ଚାରଣ ଭାଷାକୁ ଦୁର୍ବଳ କରିବା ସହ ସାହିତ୍ୟରେ ଭାବର ଅଭାବବୋଧ ବାରି ହୋଇପଡ଼ୁଛି। ଯଦି ଭାଷା ଦୁର୍ବଳ ହେବ, ଭାବର ଅଭାବ ଦେଖା ଦେବ ଏବଂ ଅନୁଭବର ସୀମା ସଙ୍କୁଚିତ ହେବ ତେବେ ସାହିତ୍ୟ ଉଚ୍ଚାଙ୍ଗ ହୋଇପାରିବ ନାହିଁ। ଓଡ଼ିଆମାନଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ଭାବର ଠାକୁର। ତେଣୁ ପ୍ରତ୍ୟେକ ଲେଖକ ଭାବର ଅଧିକାରୀ ହେଲେ ସାହିତ୍ୟରେ ଭାବର ଅଭାବ ରହିବ ନାହିଁ। ଏଥିସହ ପ୍ରତ୍ୟେକ ଘରୁ ଓଡ଼ିଆ ଭାଷାର ସୁରକ୍ଷା ଅଭିଯାନ ଆରମ୍ଭ ହେବା ସହ ବିଜ୍ଞାନ ଓ କାରିଗରୀ କୌଶଳର ବ୍ୟବହାର କରି ଭାଷାକୁ ସମୃଦ୍ଧ କରିବାକୁ ପଡ଼ିବ। ପୂର୍ବତନ ପ୍ରଶାସନ ତଥା କବି ବିପିନ ପାତ୍ରଙ୍କ କବିତା ପୁସ୍ତକ ‘ଘାସ ଫୁଲ’ର ତୃତୀୟ ସଂସ୍କରଣର ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।
ପୂର୍ବତନ ପ୍ରଶାସକ ରବି ନାରାୟଣ ନନ୍ଦଙ୍କ ସଭାପତିତ୍ବରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ପ୍ରଶାସନ ମନୋରଂଜନ ପାଣିଗ୍ରାହୀ ଯୋଗଦେଇ ‘ଘାସ ଫୁଲ’ର ତୃତୀୟ ସଂସ୍କରଣ ପ୍ରକାଶ ଅବସରରେ ପ୍ରକାଶକ ଓ ଲେଖକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟତମ ଅତିଥି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ ଯୋଗଦେଇ କହିଲେ, କବିତା ଚେତନାର ପରିପ୍ରକାଶ। ଭାଷା ଓ ଭାବ ଲେଖକଙ୍କ କବିତାରେ ବାରି ହୋଇ ପଡ଼ୁଛି। ଲେଖକ ବିପିନ ପାତ୍ର ଲେଖକୀୟ ଅଭିବ୍ୟକ୍ତି ଦେଇ ପିଲାଦିନୁ ପ୍ରାଚୀ ନଦୀ ଓ ମୋ ଗାଁ’ ମୋତେ କବିତା ଲେଖିବା ଶିଖାଇଛି। ବୃତ୍ତିଗତ ଜୀବନରେ ବିଭିନ୍ନ ବିଭାଗରେ ପ୍ରାୟ ୩୩ ବର୍ଷ କାର୍ଯ୍ୟ କରିଥିଲେ ମଧ୍ୟ ପିଲାଦିନର ସେ ପ୍ରେରଣା ଆଜି ମଧ୍ୟ ଜୀବିତ ରହିଛି ଓ କବିତା ଲେଖିବାକୁ ପ୍ରେରଣା ଯୋଗାଉଛି ବୋଲି କହିଥିଲେ। ପ୍ରଫେସର ଅଜୟ ପଟ୍ଟନାୟକ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରକାଶକ ନମିତା ପାତ୍ର ଧନ୍ୟବାଦ ଦେଇଥିଲେ।