ଭୁବନେଶ୍ୱର: ଶୁକ ଅତୀତରେ ଥିଲା ବାଘନାଚ ପ୍ରବୀଣ। ଗାଁ ସହର ବୁଲିବୁଲି ନାଚ ଦେଖାଉଥିଲା। ଦି’ ପଇସା ରୋଜଗାର କରି ଖୁସିରେ ପରିବାର ସହ ଥିଲା। କିନ୍ତୁ ଶୁକ ଏବେ ବିକଳାଙ୍ଗ। ଓଡିଶାର ଏକ ପାରମ୍ପରିକ ଲୋକନାଟ୍ୟ କଳା ବାଘନାଚ ବନ୍ଦ ହୋଇଯିବାରୁ ଶୁକ ପାଖରେ ଏବେ କାମନାହିଁ କି ଅନ୍ୟ କିଛି କରିବାର ସାମର୍ଥ୍ୟ ନାହିଁ। ସେଇ ବାଘନାଚର ଭୟଙ୍କର ପ୍ରତୀକକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ 'ଶୁକ ଶାରୀ କଥା'। ଏହି ନାଟକରେ ଚରିତ୍ର ଶୁକ, ଶୁକର ସ୍ତ୍ରୀ ଶାରୀ ଓ ଶୁକର ମା'ଙ୍କ ଜୀବନର କରୁଣ କାହାଣୀ ପ୍ରେକ୍ଷାଳୟରେ ଦର୍ଶକଙ୍କ ଆଖିରେ ଲୁହ ଆଣିଥିଲା। ନାଟକରେ ଜୋସେଫ୍‌, ଲକି, ସରିତା, ସୂର୍ଯ୍ୟ ଓ ରବି ଅଭିନୟ କରିଥିଲେ।

Advertisment

କାର୍ତ୍ତିକ ଚନ୍ଦ୍ର ରଥଙ୍କ ରଚିତ ନାଟକର ପରିକଳ୍ପନା ଓ ନିର୍ଦେଶନା ଦେଇଥିଲେ ଦେବାନନ୍ଦ ନାୟକ। 'ମନନ' ନାଟ୍ୟସଂସ୍ଥାର ୪୫ ତମ ଜନ୍ମବାର୍ଷିକୀ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ବିଶିଷ୍ଟ ନିର୍ଦ୍ଦେଶକ ପ୍ରସନ୍ନ ମିଶ୍ର ପ୍ରମୁଖ ଯୋଗଦେଇ ନାଟକର ଉତ୍‌ଥାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସାମ୍ବାଦିକ ସୋମନାଥ ପରିଡା, ଫଟୋ ସାମ୍ବାଦିକ ପ୍ରକାଶ ସାହୁ ଓ ନାଟ୍ୟବିତ୍‌ ମନୋଜ ପଣ୍ଡାଙ୍କୁ ‘ମନନ ସମ୍ମାନ’ ପ୍ରଦାନ କରାଯାଇଥିଲା। 'ମନନ'ର ସଭାପତି ମନୋଜ ପଟ୍ଟନାୟକ ସେ ସଭାରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ନିରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।