କିନ୍ନରଙ୍କଠାରୁ ମାଡ଼ ଖାଇଲେ ଖାକି ବାବୁ

ଚନ୍ଦ୍ରଶେଖରପୁର: ‌ମଞ୍ଚେଶ୍ବର ଓମଫେଡ଼୍ ଛକ ‌ପ୍ରେସ୍ କଲୋନିଠାରେ ପୁଲିସ ପୋଷାକରେ ଥିବା ୨ ଯୁବକ କିନ୍ନରଙ୍କଠାରୁ ମାଡ଼ ଖାଇଛନ୍ତି। ଖାକି ପୋଷାକରେ ଥିବା ଯୁବକ ଦ୍ବୟ ସେମାନଙ୍କଠାରୁ ବଟି ଆଦାୟ କରୁଥିବା ବେଳେ ଏପରି ଘଟଣା ଘଟିଥିଲା। ତେବେ ସ୍ଥାନୀୟ ଯୁବକମାନେ ଘଟଣାସ୍ଥଳରୁ ଖାକି ‌ବାବୁଙ୍କୁ ଉଦ୍ଧାର କରି ଖସି ପଳାଇବାକୁ କହିଥିଲେ। ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ କିନ୍ନର ଦ୍ବୟ ଏକ ଅନ୍ଧାରିଆ ରାସ୍ତାରେ ୨ଜଣ ଯୁବକଙ୍କ ସହ କଥା ହେଉଥିଲେ। ଏହି ସମୟରେ ଦୁଇଟି ବାଇକ୍‌‌ରେ ଖାକି ପୋଷାକ ପିନ୍ଧା ଦୁଇ ଯୁବକ ସେମାନଙ୍କ ନିକଟରେ ପହଞ୍ଚି ହଜାରେ ଟଙ୍କା ମାଗିଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ କିନ୍ନର ଦ୍ବୟ ଖାକି ପୋଷାକ ପିନ୍ଧା ଯୁବକ ଦ୍ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏନେଇ ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଥାନାକୁ ଯୋଗାଯୋଗ କରିବାରୁ ଏମିତି କିଛି ଘଟଣା ଘଟି ନ ଥିବା ଥାନା ପକ୍ଷରୁ କୁହାଯାଇଛି। ଉକ୍ତ ଅଞ୍ଚଳଟି ରେଳବାଇ ପୁଲିସ୍ ଅଧୀନରେ ଥିବାରୁ ମାଡ଼ ଖାଇଥିବା ଖାକି ପୋଷାକ ପିନ୍ଧା ଯୁବକ ଦ୍ବୟଙ୍କୁ ଚିହ୍ନଟ କରା ଯାଇ ପାରିନାହିଁ।

ସମ୍ବନ୍ଧିତ ଖବର