୧୧୫୬ ବୁଥ୍‌ : ୧୨,୪୧,୩୯୬ ଭୋଟର

୨୯୯ଟି ବୁଥ୍‌ ଉତ୍ତେଜନା ପ୍ରବଣ, ଭୁବନେଶ୍ବର ଉତ୍ତରରେ ସର୍ବାଧିକ ୬୩ଟି ବୁଥ୍‌କୁ ଗଲେ ୬୯୩୬ ପୁଲିଂ ଅଧିକାରୀ, ୧୧୫୬ ପ୍ରିଜାଇଡିଂ ଅଧିକାରୀ

ଭୁବନେଶ୍ୱର : ଭୁବନେଶ୍ବର ଲୋକସଭା ଓ ୫ଟି ବିଧାନସଭା କ୍ଷେତ୍ରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆଜି ବିଭିନ୍ନ ବୁଥ୍‌ ଅଭିମୁଖେ ପୁଲିଂ ପାର୍ଟି ବାହାରି ଯାଇଛନ୍ତି। ବିଜେବି କଲେଜ୍‌ କ୍ୟାମ୍ପସରେ ହୋଇଥିବା ଶିବିରରୁ ଇଭିଏମ୍‌, ଭିଭିପାଟ୍‌, ଆଙ୍ଗୁଠିରେ ଲଗାଯିବାକୁ ଥିବା କାଳି, ହ୍ୟାଣ୍ଡବୁକ୍‌, ଭୋଟର ତାଲିକା ଓ ଲଣ୍ଠନ ସମେତ ସମସ୍ତ ଆବଶ୍ୟକ ସାମଗ୍ରୀ ଦେଇ ବୁଥ୍‌କୁ ଅଧିକାରୀମାନଙ୍କୁ ପଠାଇ ଦିଆଯାଇଛି।

ଭୁବନେଶ୍ବର ଲୋକସଭା ଓ ୫ଟି ବିଧାନସଭା ଆସନରେ ମୋଟ୍‌ ୧୨ଲକ୍ଷ ୪୧ହଜାର ୩୯୬ଜଣ ଭୋଟର ଥିବା ବେଳେ ଏଥିପାଇଁ ୧୧୫୬ଟି ବୁଥ୍ ରହିଛି। ପ୍ରତ୍ୟେକ ବୁଥ୍‌ରେ ୬ଜଣ ଲେଖାଏଁ ମୋଟ ୬୯୩୬ ଜଣ ପୁଲିଂ ଅଧିକାରୀ ଓ ଜଣେ ଲେଖାଏଁ ହିସାବରେ ମୋଟ୍‌ ୧୧୫୬ ପ୍ରିଜାଇଡିଂ ଅଫିସର ଏଭଳି ମୋଟ ୮୦୯୨ ଅଧିକାରୀଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି। ଅପରପକ୍ଷେ ୧୧୫୬ଟି ବୁଥ୍‌ରୁ ୨୯୯ଟି ବୁଥ୍‌କୁ ‘ଉତ୍ତେଜନା ପ୍ରବଣ’ ଭାବେ ଚିହ୍ନଟ କରାଯାଇଛି। ସେଥିପାଇଁ ଏହି ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ଭୁବନେଶ୍ବର ଉତ୍ତରରେ ସର୍ବାଧିକ ୬୩ଟି ଉତ୍ତେଜନା ପ୍ରବଣ ବୁଥ୍‌ ରହିଛି। କୌଣସି ପରିସ୍ଥିତିରେ ଇଭିଏମ୍‌ ମେସିନ୍‌ ଖରାପ ହେଲେ ବା ମେସିନ୍‌କୁ ନେଇ କୌଣସି ସମସ୍ୟା ସୃଷ୍ଟି ହେ‌ଲେ, ସେଗୁଡ଼ିକୁ ତୁରନ୍ତ ମରାମତି କରିବା ଏବଂ ବଦଳାଇବାକୁ ବ୍ୟବସ୍ଥା କରାଯାଇଛି।

ସେହିପରି ୧୦ରୁ ୧୨ଟି ବୁଥ୍‌କୁ ନେଇ ଗୋଟିଏ ଗୋଟିଏ ସେକ୍ଟର କରାଯାଇଛି। ଏଠାରେ ଜଣେ ଜଣେ ସେକ୍ଟର ଅଫିସର ରହିଛନ୍ତି। କୌଣସି ଛୋଟମୋଟ ସମସ୍ୟା ହେଲେ ଘଟଣାସ୍ଥଳରେ ହିଁ ତାହାର ସମାଧାନ ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଇଭିଏମ୍‌ ଅଫିସ ବଦଳାଇବା ନେଇ ଯଦି ପ୍ରିଜାଇଡିଂ ଅଫିସର ଭାବନ୍ତି ତେବେ ସେକ୍ଟର ଅଧିକାରୀଙ୍କଠାରୁ ଏନେଇ ଅନୁମତି ନେବେ। ଏଥିପାଇଁ ଆବଶ୍ୟକ ଇଭିଏମ୍‌ଠାରୁ ଅତିରିକ୍ତ ୧୫ରୁ ୨୦ ପ୍ରତିଶତ ମେସିନ୍ କମିସନିଂ ପରେ ପ୍ରସ୍ତୁତ ରଖାଯାଇଛି। ସେହିଭଳି ପୁଲିଂ ବା ପ୍ରିଜାଇଡିଂ ଅଫିସର କେହି ଅନୁପସ୍ଥିତ ରହିଲେ, ସେମାନଙ୍କ ଜାଗାରେ ତୁରନ୍ତ ଅଫିସର ଯୋଗାଇଦେବା ପାଇଁ ଏହି ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ୫୦ ଜଣ ଅଧିକାରୀଙ୍କୁ ପ୍ରସ୍ତୁତ ରଖାଯାଇଛି। ଏହି ସବୁ ବୁଥ୍‌ର ସୁପରିଚାଳନା ତଥା ଶୃଙ୍ଖଳିତ ମତଦାନ ପାଇଁ ୩ଜଣ ଅଫିସର ଦାୟିତ୍ବ‌ ନେଇଛନ୍ତି। ଉପଜିଲ୍ଲାପାଳଙ୍କ ଅଧୀନରେ ଜୟଦେବ ଓ ଏକାମ୍ର ବିଧାନସଭା କ୍ଷେତ୍ର ରହିଥିବା ବେ‌ଳେ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଅଧୀନରେ ଜଟଣୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧୀନରେ ଭୁବନେଶ୍ବର ଉତ୍ତର ଓ ମଧ୍ୟ ବିଧାନସଭା କ୍ଷେତ୍ର ରହିଛି। ତେବେ ଏହି ମତଦାନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ଛୋଟ ଛୋଟ କଥାକୁ ଗୁରୁତ୍ବ ଦିଆଯାଇଛି ବୋଲି ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ କହିଛନ୍ତି।

୫ ବୁଥ୍‌ରେ କେବଳ ମହିଳା ଅଧିକାରୀ

ଭୁବନେଶ୍ବର ଲୋକସଭା ଆସନ ଅଧୀନରେ ଥିବା ୫ଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଏପରି ବୁଥ୍‌ ରହିଛି, ଯେଉଁଥିରେ କେବଳ ମହିଳା ଅଧିକାରୀ ମତଦାନ ପରିଚାଳନା ଦାୟିତ୍ବରେ ଅଛନ୍ତି।‌ ଏଠାରେ ପୁଲିଂ ଓ ପ୍ରିଜାଇଡିଂ ଅଫିସର ଭାବେ ମହିଳା ଅଧିକାରୀ ଦାୟିତ୍ବରେ ଅଛନ୍ତି। ପ୍ରଥମଥର ପାଇଁ ଏଭଳି ଏକ ଅଭିନବ ବ୍ୟବସ୍ଥା ହୋଇଛି। ଏହି ତାଲିକାରେ ଜୟଦେବ ନିର୍ବାଚନ ମଣ୍ଡଳୀରେ ବଡ଼ ଶ୍ରୀରାମପୁର ପ୍ରାଥମିକ ବିଦ୍ୟାଳୟର ୬୬ ନମ୍ବର ବୁଥ୍‌ ରହିଥିବା ବେଳେ ଭୁବନେଶ୍ବର ମଧ୍ୟରେ ନୂଆପଲ୍ଲୀ ସରକାରୀ ଆଶ୍ରମ ସ୍କୁଲର ୩୪ ନମ୍ବର ବୁଥ୍‌, ଭୁବନେଶ୍ବର ଉତ୍ତରରେ ଆଇଆରସି ସେକ୍ଟର ୬ର ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୨୫ ନମ୍ବର ବୁଥ୍‌, ଏକାମ୍ରରେ ବିଜେବି କଲେଜ୍‌ର ଆର୍ଟସ ବ୍ଲକର ୭୪ନମ୍ବର ବୁଥ୍‌ ଓ ଜଟଣୀରେ ଷଣ୍ଢପୁର ପ୍ରାଥମିକ ବିଦ୍ୟାଳୟର ୨୧୨ନମ୍ବର ବୁଥ୍‌ ରହିଛି।

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହୁଇଲ୍‌ଚେୟାର, ବ୍ରେଲି ବାଲାଟ୍‌

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଦୃଷ୍ଟିଶକ୍ତିବାଧିତ ଭୋଟର୍‌ଙ୍କ ପାଇଁ ବ୍ରେଲି ବାଲାଟ୍‌ ବ୍ୟବସ୍ଥା ହୋଇଛି। ସେମାନେ ବାଲାଟ୍‌କୁ ସ୍ପର୍ଶ କରି ଚିହ୍ନ ଓ ଦଳ ବାବଦରେ ଅବଗତ ହୋଇପାରିବେ। ନିଜ ପସନ୍ଦ ଅନୁସାରେ ମତଦାନ କରିପାରିବେ। ପ୍ରତି ବିଧାନସଭା କ୍ଷେତ୍ର ପିଛା ୭୦ଟି ହିସାବରେ ୩୫୦ଟି ବ୍ରେଲି ବାଲାଟ୍‌ ଆସିଛି। ସେହିଭଳି ଦିବ୍ୟାଙ୍ଗଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବୁଥ୍‌ଗୁଡ଼ିକୁ ଦିବ୍ୟାଙ୍ଗ ବନ୍ଧୁତାପୂର୍ଣ୍ଣ କରାଯାଇଛି। ବୁଥ୍‌ ପରିସରରୁ ବୁଥ୍‌ ଭିତରକୁ ଯିବା ପାଇଁ ସେମାନେ ଏହି ଚେୟାରରେ ଯାଇପାରିବେ। ଏଥିପାଇଁ ମୋଟ୍‌ ୭୦୧ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି।

୧୧୮ ଜାଗାରୁ ୱେବ୍‌-କାଷ୍ଟ୍‌, ସିସିଟିଭି ନଜରରେ ୫୬ ବୁଥ୍‌

ମତଦାନ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ୧୧୮ ଜାଗାରୁ ୱେବ୍‌କାଷ୍ଟ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ୫୬ ଜାଗାରେ ସିସିଟିଭି ସ୍ଥାପନା କରାଯାଇଛି। ୱେବ୍‌କାଷ୍ଟ ଜରିଆରେ ଯେ କୌଣସି ସ୍ଥାନରୁ ଜିଲ୍ଲାପାଳ ତଥା ଅନ୍ୟାନ୍ୟ ସ୍ବୀକୃତିପ୍ରାପ୍ତ ଅଧିକାରୀ ସମ୍ପୃକ୍ତ ବୁଥ୍‌ଗୁଡ଼ିକର ତାଜା ସ୍ଥିତି ଦେଖିପାରିବେ। ସିସିଟିଭି ଜରିଆରେ ମଧ୍ୟ ଏହି ସବୁ ସ୍ଥାନର ସ୍ଥିତି ଉପରେ ନଜର ରଖାଯିବ। ଏହାଛଡ଼ା ୧୨୫ ଜଣ ମାଇକ୍ରୋ ଅବଜରଭରଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। ସେମାନେ ଏହି ପ୍ରକ୍ରିୟା ଉପରେ ନଜର ରଖିବେ।

ସମ୍ବନ୍ଧିତ ଖବର