‘ତୃତୀୟ ସ୍ପେସ୍ ଏଣ୍ଡୋସ୍କୋପି’ରେ ହେବ ପେଟରୋଗର ଅସ୍ତ୍ରୋପଚାର

ଭୁବନେଶ୍ବର: ପେଟରୋଗର ଅସ୍ତ୍ରୋପଚାର ପାଇଁ ଭୁବନେଶ୍ବରରେ ଉନ୍ନତ ଜ୍ଞାନକୌଶଳ ଯୁକ୍ତ ‘ତୃତୀୟ ସ୍ପେସ୍ ଏଣ୍ଡୋସ୍କୋପି’ ବା ‘ସବମ୍ୟୁକୋଜାଲ୍ ଏଣ୍ଡୋସ୍କୋପି’ରେ ଚିକିତ୍ସା ଆରମ୍ଭ କରାଯାଇଛି। ଏହି ଅସ୍ତ୍ରୋପଚାର ମାଧ୍ୟମରେ ରାଜ୍ୟରେ ୬୬ ଜଣ ରୋଗୀଙ୍କ ଚିକିତ୍ସା କରାଯାଇଥିବା ବେଳେ ସମସ୍ତ ଚିକିତ୍ସା ସଫଳ ହୋଇଥିବା ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର୍ ଡା. ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି। ଏହି ଚିକିତ୍ସା ମାତ୍ର ୪୫ମିନିଟ୍‌ରୁ ଏକ ଘଣ୍ଟା ମଧ୍ୟରେ କରାଯାଉଥିବା ବେଳେ ପ୍ରତିଟି ଅସ୍ତ୍ରୋପଚାର ପାଇଁ ୨୮ହଜାର ଟଙ୍କା ଖର୍ଚ୍ଚ ହେଉଥିବା ସେ କହିଛନ୍ତି। ଏହି ଚିକିତ୍ସା ମାଧ୍ୟମରେ ବର୍ତ୍ତମାନ ଆଚାଲାସିଆ କାର୍ଡିଆ, ଏସୋଫେଜାଲ୍ ମୋଟିଲିଟି ରୋଗ, ଖାଦ୍ୟନଳୀରେ ବ୍ୟାଘାତଜନିତ ରୋଗ, ଗିଫ୍ଟ୍ରୋପେରେସିସ୍ ଭଳି ରୋଗର ଉପଚାର କରାଯାଇଥିବା ଶ୍ରୀ ସାହୁ କହିଛନ୍ତି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କର୍କଟ ରୋଗ ଚିହ୍ନଟ ହୋଇପାରିଲେ ଏହାର ଉପଚାର ମଧ୍ୟ ସମ୍ଭବ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଅସ୍ତ୍ରୋପଚାର ପାଟି ଓ ମଳଦ୍ବାର ପରି ପ୍ରାକୃତିକ ଓରିଫିକ୍ସ ମାଧ୍ୟମରେ କରାଯାଉଥିବାରୁ ଶରୀରର ବାହ୍ୟଅଂଶରେ କାଟିବାକୁ ପଡ଼ୁନାହିଁ। ସେଥିପାଇଁ ରକ୍ତାଭାବ ଜନିତ ସମସ୍ୟା ଦୂରୀଭୂତ ହେଉଥିବା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଅବସରରେ ସଫଳ ଅସ୍ତ୍ରୋପଚାର କରାଯାଇଥିବା ବିଭିନ୍ନ ରୋଗୀ ଚିକିତ୍ସାର ଅନୁଭୂତି ବିଷୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିନଣ୍ଟେଣ୍ଡେଣ୍ଟ୍ ପୁଷ୍ପରାଜ ସାମନ୍ତସିଂହାର ଓ ସୋଆ ବିଶ୍ବବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ମିଲି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର