କ୍ଷଣିକର ଜୀବନ ବି ମହାନ ହୋଇପାରେ: ସାଂସଦ ପ୍ରତାପ ଷଡ଼ଙ୍ଗୀ

‘ତୃତୀୟ ସ୍ବରାରବିନ୍ଦ ଉତ୍ସବ’

ଭୁବନେଶ୍ବର : ମଣିଷ କେତେ ଦିନ ବଞ୍ଚିଲା, ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ସେ କେମିତି ବଞ୍ଚିଲା ଓ କେତେ ଲୋକଙ୍କ ହୃଦୟରେ ବଞ୍ଚିଲା, ତାହା ଗୁରୁତ୍ବପୂର୍ଣ୍ଣ। ଅର୍ଥାତ୍‌ ଜୀବନ କେତେ ଦୀର୍ଘ, ତାହା ଉପରେ ଜୀବନର ସାର୍ଥକତା ନିର୍ଭର କରେ ନାହିଁ, ଜୀବନର ମହତ୍ବ ଜୀବନକୁ ସାର୍ଥକ କରେ। ଅତି କ୍ଷଣକର ଜୀବନ ବି ମହାନ ହୋଇପାରେ, ଯାହା ବିଶିଷ୍ଟ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି ପ୍ରମାଣ କରିଯାଇଛନ୍ତି। କମ୍‌ ଦିନ ବଞ୍ଚିଥି‌ଲେ ବି ସ୍ବର୍ଗତ ମୁଦୁଲି କୋଟି ହୃଦୟର ସିଂହାସନରେ ଏବେ ବି ବିରାଜମାନ। ଭଜନ ସମ୍ରାଟ ଭିକାରୀ ବଳଙ୍କ ଶୂନ୍ୟସ୍ଥାନକୁ ପୂରଣ କରିପାରିବାରେ ସେ ଥିଲେ ଜଣେ ସଫଳ କାହାଣୀର ନାୟକ। ଗାନରେ, ସଙ୍ଗୀତରେ ଯେ ଭଗବାନଙ୍କୁ ବାନ୍ଧି ହୁଏ, ଏହା ସେ ଆମକୁ ଶିଖାଇ ଯାଇଛନ୍ତି। ସ୍ବରାରବିନ୍ଦ ଅରବିନ୍ଦ ମୁଦୁଲିଙ୍କ ୫୯ତମ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।

ଆଜି ଅପରାହ୍‌ଣରେ ‘ଅରବିନ୍ଦ ମୁଦୁଲି ଫାଉଣ୍ଡେସନ୍‌’ ଆନୁକୂଲ୍ୟରେ ଭର୍ଚୁଆଲ ମାଧ୍ୟମରେ ‘ତୃତୀୟ ସ୍ବରାରବିନ୍ଦ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ବର୍ଗତ ମୁଦୁଲିଙ୍କ ସ୍ମୃତିଚାରଣ କରିଥିଲେ। ଫ‌ାଉଣ୍ଡେସନ୍‌ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ପଦ୍ମଶ୍ରୀ ରଜତ କର, ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ, ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ବରିଷ୍ଠ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତ୍ରୀ ରୋଜାଲିନ୍‌ ମିଶ୍ର, ଅଷ୍ଟ୍ରେଲିଆ ଓରିଓଜ୍‌ର ସଭାପତି ନଳିନୀ ପତି ଓ ବିଶିଷ୍ଟ ସାହିତ୍ୟିକ ଶରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

କଣ୍ଠଶିଳ୍ପୀ ସଙ୍ଗୀତା ମୁଦୁଲି, ସୁଧାଂଶୁ ଶେଖର ମହାପାତ୍ର, ଆଶ୍ରିତା ଚୌଧୁରୀ ଓ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ରହି ସ୍ବର୍ଗତ ମୁଦୁଲିଙ୍କୁ ଭଜନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଫାଉଣ୍ଡେସନ୍‌ର ସାଧାରଣ ସମ୍ପାଦକ ଜଗବନ୍ଧୁ ମୁଦୁଲି ଏଥିରେ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର