ଭୁବନେଶ୍ବର: ସମସ୍ତଙ୍କୁ ନିଜର ନ ଭାବିଲେ ଲେଖିବା ପାଇଁ ଅନ୍ତରରୁ ଉତ୍ସାହ ଆସିବନି। ଘୃଣା, ହିଂସା କୌଣସି ଉପଲବ୍ଧି ଦିଏ ନାହିଁ। ପ୍ରେମରୁ ହିଁ ସବୁ ଉପଲବ୍ଧି ମିଳିଥ‌ାଏ। ବର୍ତ୍ତମାନର ପିଢ଼ିରେ ଅନେକ ପ୍ରତିଭାବାନ ଲେଖକ ଅଛନ୍ତି। ସେମାନେ ବିଶ୍ବାସର ‌ସହ ଲେଖକୀୟ ଜୀବନରେ ‌ସାଧନା ଜାରି ରଖିଲେ, ଭବିଷ୍ୟତ ସମ୍ଭାବନାମୟ। ‘ଟାଇମ୍‌ ପାସ୍‌’ ପ୍ରକାଶନୀ ସଂସ୍ଥା ପକ୍ଷରୁ ଆୟୋଜିତ ତୃତୀୟ ‘ଉତ୍‌ସାହିତ୍ୟ’ ଉତ୍ସବକୁ ଉଦ୍‌ଘାଟନ କରି ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ ଆଜି ଏହା କହିଛନ୍ତି।

Advertisment

ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ଏହି ଉତ୍ସବରେ ‌ସେ ଆହୁରି କହିଲେ ଯେ ତପସ୍ବୀମାନଙ୍କ ଭଳି ଲେଖକ ମଧ୍ୟ ସମାଧିସ୍ଥ ହୁଏ। ତପସ୍ବୀ ଥରେ ସମାଧି ନେଉଥିବା ବେଳେ ଲେଖକକୁ ବାରମ୍ବାର ନେବାକୁ ପଡ଼ିଥାଏ। ଲେଖକଟିଏ ନିଜ ଭିତରେ ଥିବା ପ୍ରତିଭାକୁ ବଞ୍ଚାଇ ରଖିପାରିଲେ, ତା’ର ପୂର୍ଣ୍ଣ ବିକାଶ ହୋଇପାରିବ। ସେହିଭଳି ବୟସ ନିର୍ବିଶେଷରେ ସମସ୍ତେ ଲେଖିବା ଦରକାର। ଲେଖିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ। ପ୍ରଥମେ ନିଜ ଭିତରେ ଥିବା ସୃଜନଶୀଳତାକୁ ଚିହ୍ନିବାକୁ ପଡ଼ିବ। ଲେଖକଟିଏ କେବେ ପୁରସ୍କାର ଲାଳସାରେ ଲେଖିବା ଉଚିତ ନୁହେଁ। ଏବେ ସାଧାରଣତଃ ଓଡ଼ିଆ ଗଣମାଧ୍ୟମରେ ଭାଷାର ଅପବ୍ୟବହାର କରିବା ସହ ଭାଷାକୁ ବିକୃତ କରାଯାଉଛି। ଏହାର ଦୃଢ଼ ପ୍ରତିବାଦ ହେବାର ଆବଶ୍ୟକତା ରହିଛି। ଯେଉଁ ସ୍ଥାନରେ ଭାଷାର ଅପବ୍ୟବହାର ବା ଭୁଲ୍‌ ଦେଖିବା, ତା’ର ପ୍ରତିବାଦ କରିବା। ତେବେ ଯାଇ ଭାଷାର ଗୁଣାତ୍ମକମାନ ବଜାୟ ରହିପାରିବ ବୋଲି ସେ କହିଥିଲେ।
ଅନ୍ୟତମ ଅତିଥି ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ କହିଲେ, ଆମ ରାଜ୍ୟର ଅନେକ କଥା ରହିଯାଇଛି, ଯାହାକୁ ଆମେ ଆଲୋଚନା କରିନାହେଁ କିମ୍ବା ସାଧାରଣ ଚେତନାରେ ପ୍ରବେଶ କରାଇବା ପାଇଁ ଚେଷ୍ଟା କରିନାହେଁ। ଆମେ ସୁଭାଷ ବୋଷଙ୍କୁ ଖାଣ୍ଟି ଓଡ଼ିଆ ‌ବୋଲି ପ୍ରମାଣ କରିବା ପାଇଁ କେ‌ତେ ଚେଷ୍ଟା କରିଛେ? ନେତାଜୀଙ୍କ ଭଳି ଆମେ ଆମ ବିଚ୍ଛିନ୍ନାଞ୍ଚଳ ଷଢ଼େଇକଳା ଓ ଖରସୁଆଁକୁ ବି ଅବହେଳା କରିଛୁ। ସେଠାକାର ଓଡ଼ିଆଙ୍କୁ ମଧ୍ୟ ଆମେ ସାଧାରଣ ଚେତନାରେ ପ୍ରବେଶ କରାଇବାରେ ଅବହେଳା କରିଛୁ। ସେମାନଙ୍କୁ ଓଡ଼ିଶାରେ ସାମିଲ କରିବାରେ ବିତର୍କ ମଧ୍ୟ କେଉଁଠି ଦବିଗଲାଣି ବୋଲି ଶ୍ରୀ ଦାସ କହିଥିଲେ। ବିଜୟ ମଲ୍ଲ ଏହି ଅଧିବେଶନକୁ ସଂଯୋଜନା କରିଥିବା ବେଳେ ସରୋଜ ବଳ ଅତିଥିମାନଙ୍କୁ ଶଙ୍ଖୋଳି ଥିଲେ।

ସେହିଭଳି ‘ଛବି, କବିତା ଓ ଅଭିନୟ ଫ୍ୟୁଜନ୍‌’ରେ ଚିତ୍ରଶିଳ୍ପୀ ତଥା କବି ଚିନ୍ତାମଣୀ ବିଶ୍ବାଳ କବିତା ପଢ଼ି ଚିତ୍ର ଆଙ୍କି ଉପସ୍ଥିତ ସାହିତ୍ୟାନୁରାଗୀମାନଙ୍କୁ ଅଭିଭୂତ କରିଥିଲେ। ପରେ ପରେ ‘ଉପନ୍ୟାସର ରାସ୍ତା କୁଆ‌ଡ଼େ’? ଶୀର୍ଷକରେ ଗପସପ ହୋଇଥିଲା। ଏଥିରେ ବିଶିଷ୍ଟ କଥାକାର ଗୌରହରି ଦାସ, ବିୟତ୍‌ପ୍ରଜ୍ଞା ତ୍ରିପାଠୀ, ଶକ୍ତି ମହାନ୍ତି, ପ୍ରଜ୍ଞା ପାରମିତା ରଥ ପ୍ରମୁଖ ମତ ରଖିଥିଲେ। ଏଥିରେ ମଧ୍ୟସ୍ଥତା କରିଥିଲେ ଦେବବ୍ରତ ଦାସ। ପରେ ମନୁଆ ଦାସଙ୍କ କବିତା ପୁସ୍ତକ ‘ଅନ୍ତବୁଜୁଳା’ର ଉନ୍ମୋଚନ ହୋଇଥିଲା। ସେହିଭଳି ପ୍ରଫୁଲ୍ଲ ମହାନ୍ତି ଓ ବିୟତପ୍ରଜ୍ଞା ତ୍ରିପାଠୀଙ୍କ ଉପସ୍ଥିତିରେ ‘ମାୟା ଓ ମୁଖ୍ୟମନ୍ତ୍ରୀ’ ଉନ୍ମୋଚିତ ହୋଇଥିଲା।

‘ବିଶ୍ବାସର ସହ ଲେଖିଲେ, ଭବିଷ୍ୟତ ସମ୍ଭାବନାମୟ’
‘ନେତାଜୀଙ୍କୁ ନିଜର କହିବାରେ ଆମେ ବିଫଳ ହୋଇଛେ’

ପରେ ପରେ ‘ଏ ହାତେ ସାହିତ୍ୟ ସେ ହାତେ ସଂସାର’ ଆଲୋଚନା ହୋଇଥିଲା। ଏଥିରେ ପ୍ରବୀଣା ମହାନ୍ତି, ଅମିୟ ରଂଜନ ମହାପାତ୍ର, ପ୍ରଜ୍ଞାଶ୍ରୀ ରଥ, ପବିତ୍ର ମୋହନ କର, ସୁଷମା ମିଶ୍ର ଭ‌ାଗ ନେଇଥିଲେ। ମଧ୍ୟସ୍ଥତା କରିଥିଲେ କବୀ ଶୁଭଶ୍ରୀ ଲେଙ୍କା। ପରେ ପରେ ‘ଏକକ ଆଳାପ’ ଅନୁଷ୍ଠିତ ହୋଇଥିଲା। ଏଥିରେ ସୂର୍ଯ୍ୟ ମିଶ୍ର ଓ ଜ୍ଞାନୀ ଦେବାଶିଷ ମିଶ୍ର ଅଂଶଗ୍ରହଣ କରିଥିଲେ। ପରେ ପରେ ମୋହତି ଚକ୍ରବର୍ତ୍ତୀ, ହିରଣ୍ମୟୀ ମିଶ୍ର, ଚିତ୍ତରଂଜନ ନାୟକ, ମାନମୟୀ ରଥ, ସୁବ୍ରତ ସେନାପତି, ପ୍ରଣୟ ସୁଧା, ବିଶ୍ବରଂଜନ ଦାସ, ଆଶିଷ କୁମାର ମିଶ୍ରଙ୍କୁ ନେଇ ‘କବିତା କ୍ୟାଟ୍‌ୱାକ୍‌’ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟସ୍ଥତା କରିଥିଲେ କେଦାର ମିଶ୍ର।

ସେହିଭଳି ‘ପ୍ରଥମା ପରିଚର୍ଚ୍ଚା’ରେ ପବିତ୍ର ପାଣିଗ୍ରାହୀଙ୍କ ମଧ୍ୟସ୍ଥତାରେ ଆଶୁତୋଷ ମିଶ୍ର, ଜିତେନ୍ଦ୍ର ସାହୁ, ମମତାରାଣୀ ଦାଶ, ତନ୍ମୟୀ ପଣ୍ଡା, ଅର୍ପିତା ରଣା, ତପସ୍ବିନୀ ଦାଶ ଷଡ଼ଙ୍ଗୀ, ସତ୍ୟରଂଜନ ମିଶ୍ର, ସ୍ବାଭିମାନ ସାହୁ ପ୍ରମୁଖ ଭାଗ ନେଇଥିଲେ। ‘ନାରୀବାଦୀଙ୍କ ଆଖିରେ ପୁରୁଷ’ ଶୀର୍ଷକ ଆଲୋଚନାରେ ଗାୟତ୍ରୀବାଳା ପଣ୍ଡା, ଭାସ୍ବତୀ ବସୁ, ମାନିନୀ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ମଧ୍ୟସ୍ଥତା କରିଥିଲେ ନେତାଜୀ ଅଭିନନ୍ଦନ। ‘ଉଦୟ ରାଗ’ ୨୦୨‌୨ରେ ୩୦ଜଣ ନବପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିବା ସହ ପୁସ୍ତକ ଲୋକାର୍ପଣ ହୋଇଥିଲା। ପରେ ପରେ ‘ସାହିତ୍ୟ ଯେବେ ସିନେମା ହୁଏ’ ଗପସପ ହୋଇଥିଲା। ଏଥିରେ ନିଖି‌ଳେଶ ମିଶ୍ର ମଧ୍ୟସ୍ଥିତା କରିଥିବା ବେଳେ ସୂର୍ଯ୍ୟ ଦେଓ, ଅନୁପମ ପଟ୍ଟନାୟକ, ଦ୍ବୀପାନ୍ବିତ ଦାସମହାପାତ୍ର, ସିଦ୍ଧାର୍ଥ ଗୌତମ ପ୍ରମୁଖ ଯୋଗ ଦେଇଥିଲେ। ସେହଭଳି ପଞ୍ଚାନନ ନାୟକ, ସୁମିତ ପଣ୍ଡା, ତୃପ୍ତିରଂଜନ ଦାସ, ଅନ୍ତର୍ଯାମୀ ମିଶ୍ର, ବେଦପ୍ରକାଶ ନାୟକଙ୍କୁ ‘ସାହିତ୍ୟ ଖଟି’ ଅନୁଷ୍ଠିତ ହୋଇଥିଲା। ଏହାପରେ ବିଜୟ ମଲ୍ଲଙ୍କ ମଧ୍ୟସ୍ଥତାରେ ଦେବଦାସ ଛୋଟରାୟ, ସୌରଭ ନାୟକ, ସରୋଜ ବଳଙ୍କୁ ନେଇ ‘ଗୀତ ଗଣିତ’ ଶୀର୍ଷକ ଆଲୋଚନା ହୋଇଥିଲା। ‘ପୁରସ୍କାର ପର୍ବ’ରେ ଦେବଦାସ ଛୋଟରାୟ, ପ୍ରକ‌‌‌ାଶ ମହାପାତ୍ର, ଶରତ ନାୟକ, ସରୋଜ ବଳ, ଅମିୟ ବେଜ୍‌, ଦେବପ୍ରସାଦ ଦାଶ, କମଳ ମହାନ୍ତି, ରାଜକିଶୋର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।