ଶିଶୁଙ୍କ ପାଇଁ ବିପଦ ତୃତୀୟ ଲହର, ଅଢ଼େଇ ଲକ୍ଷ ପିଲାଙ୍କ ସୁରକ୍ଷା ଚିନ୍ତା

ଏବେ ସୁଦ୍ଧା ୭ ହଜାର ପିଲା ଆକ୍ରାନ୍ତ ହୋଇସାରିଲେଣି
ହସ୍ପିଟାଲରେ ପର୍ଯ୍ୟାପ୍ତ ଆଇସିୟୁ ଶଯ୍ୟା ରହିବ: ବିଏମ୍‌ସି
ଆଶା ଓ ଅଙ୍ଗନୱାଡ଼ି କର୍ମୀ ସ୍ବତନ୍ତ୍ର ସର୍ଭେ କରିବେ
ପିଲାଙ୍କୁ ଜ୍ବର, ଥଣ୍ଡା ହେଲେ ଡାକ୍ତର ପରାମର୍ଶ କରନ୍ତୁ: ଶିଶୁ ବିଶେଷଜ୍ଞ

ଭୁବନେଶ୍ବର,(ବିଶ୍ବଜିତ ଦାଶ): କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟର ସବୁଠୁ ଅଧିକ ସମ୍ବେଦନଶୀଳ ସ୍ଥାନ ପାଲଟିଥିବା ଭୁବନେଶ୍ବରରେ ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ବ ଦେଉଛନ୍ତି। ସମସ୍ତଙ୍କୁ ଯେପରି ଯଥାସମ୍ଭବ ଶୀଘ୍ର ଟିକା ଦିଆଯିବ ସେନେଇ ଯୋଜନା ପ୍ରସ୍ତୁତ ହେଉଛି। ହେଲେ ପ୍ରଥମ ଲହର, ଦ୍ବିତୀୟ ଲହରରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର‌ ପାଇଁ ସମ୍ଭାବ୍ୟ ତୃତୀୟ ଲହର ଚିନ୍ତାଜନକ ହେବାକୁ ଯାଉଛି। କାରଣ ୧୮ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ ହେଲେ ବି ପ୍ରାୟ ଅଢ଼େଇ ଲକ୍ଷ ପିଲା ସମ୍ବେଦନଶୀଳ ଶ୍ରେଣୀରେ ରହିବେ, ଯେଉଁମାନେ କୋଭିଡ୍‌ ଟିକାରୁ ଏବେ ବି ବଞ୍ଚିତ ଅଛନ୍ତି। ଏହି ବର୍ଗର ରାଜ୍ୟର ସବୁଠୁ ଅଧିକ ପିଲା ଥିବା ଭୁବନେଶ୍ବରରେ କିପରି ତୃତୀୟ ଲହରର ମୁକାବିଲା କରାଯିବ, ତାହା ଏବେ ବିଏମ୍‌ସି ଓ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ବାନ ହେବାକୁ ଯାଉଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୨୦୨୧ ସୁଦ୍ଧା ରାଜଧାନୀର ଜନସଂଖ୍ୟା ଆକଳନ କରି ଟିକାକରଣ ହେଉଛି। ଏହି ସମୟ ସୁଦ୍ଧା ରାଜଧାନୀରେ ୧୦ଲକ୍ଷ ୯୭ହଜାର ଜନସଂଖ୍ୟା ଥିବା ବେଳେ ୪୫ବର୍ଷରୁ ଊର୍ଦ୍ଧ୍ବ ୩ଲକ୍ଷ ୨୫ହଜାର ୨୦୨ଜଣ ଅଛନ୍ତି। ୧୮ରୁ ୪୪ବର୍ଷ ମଧ୍ୟରେ ୫ଲକ୍ଷ ୧୭ହଜାର ଲୋକ ଅଛନ୍ତି। ବାକି ୨ଲକ୍ଷ ୫୪ହଜାର ୭୯୮ଜଣ୦ାରୁ ୧୮ବର୍ଷ ମଧ୍ୟର ପିଲା ଅଛନ୍ତି। ଏହି ୨.୫୪ଲକ୍ଷ ପିଲାଙ୍କୁ ଟିକାକରଣ ନେଇ ଏବେ ସୁଦ୍ଧା କୌଣସି ଯୋଜନା ହୋଇନଥିବାରୁ ତୃତୀୟ ଲହର ଆସିଲେ ସେମାନେ ଅଧିକ ଆକ୍ରାନ୍ତ ହେବେ। ତେଣୁ ସେମାନଙ୍କୁ କିପରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ, ସେନେଇ ଏବେ ବିଏମ୍‌ସି ପକ୍ଷରୁ ଜୋରଦାର୍ ମାନସମନ୍ଥନ ଚାଲିଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ସୁଦ୍ଧା ୮୪,୧୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ଏଥିରୁ ପ୍ରାୟ ୭ହଜା‌ର ଜଣ ୦-୧୮ବର୍ଷର ପିଲା କରୋନା ଆକ୍ରାନ୍ତ ହୋଇସାରିଲେଣି। କାହାର ବି କରୋନାରେ ମୃତ୍ୟୁ ହୋଇନି। କରୋନାର ପ୍ରଥମ ଲହରରେ ଅର୍ଥାତ୍ ମାର୍ଚ୍ଚ ୧୫, ୨୦୨୦ରୁ ମାର୍ଚ୍ଚ,୧୪, ୨୦୨୧ ମଧ୍ୟରେ ୨୦୮୦ଜଣ ୦-୧୮ବର୍ଷର ପିଲା କରୋନା ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଦ୍ବିତୀୟ ଲହରରେ ଅର୍ଥାତ୍ ମାର୍ଚ୍ଚ ୧୪, ୨୦୨୧ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୯୦୦ ପିଲା କରୋନା ଆକ୍ରାନ୍ତ ହୋଇସାରିଲେଣି। ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଦୁଇ ଗୁଣାରୁ ଅଧିକ ପିଲା କରୋନା ଆକ୍ରାନ୍ତ ହୋଇଥିବାରୁ ତୃତୀୟ ଲହରରେ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ଅଧିକ। ତେଣୁ ବିଏମ୍‌ସିର ରଣନୀତି ଉପରେ ପିଲାଙ୍କ ଜୀବନ ନିର୍ଭର କରୁଛି।

ବିଏମ୍‌ସି କମିସନର ସଂଜୟ ସିଂହ କହିଛନ୍ତି ଯେ ପ୍ରଥମ ଲହରରେ ଅଧିକ ବରିଷ୍ଠ ନାଗରିକ ଆକ୍ରାନ୍ତ ହେଲେ ଏବଂ ଏହି ବର୍ଗର ଅଧିକ ଲୋକଙ୍କର ମୃତ୍ୟୁ ହେଲା। ତେଣୁ ଟିକା ଆସିବା ପରେ ସେମାନଙ୍କୁ ଅଗ୍ରାଧିକାର ଦିଆଗଲା। ହେଲେ ଦ୍ବିତୀୟ ଲହରରେ ଅଧିକ ଯୁବବର୍ଗ ଆକ୍ରାନ୍ତ ହେଲେ। ତେଣୁ ସେମାନଙ୍କୁ ଆମେ ଅଗ୍ରାଧିକାର ଭିତ୍ତିରେ ଟିକା ଦେଉଛୁ। ଯଥାସମ୍ଭବ ଶୀଘ୍ର ସମସ୍ତଙ୍କୁ ଟିକା ଦେବାକୁ ଅଧିକରୁ ଅଧିକ କେନ୍ଦ୍ର କରିଛୁ ଏବଂ ଟିକା ଆଣୁଛୁ। କିନ୍ତୁ ସମ୍ଭାବ୍ୟ ତୃତୀୟ ଲହର ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ଏହାକୁ ନଜରରେ ରଖି ଆମେ ସବୁ ପ୍ରକାରର ପ୍ରସ୍ତୁତି ଚଳାଇଛୁ। ପିଲାମାନେ ଯେପରି ଅଧିକ କରୋନା ଆକ୍ରାନ୍ତ ନହେବେ, ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ। ପିଲାଙ୍କୁ ବାହାରକୁ ନଛାଡ଼ିବାକୁ କୁହାଯିବ। ଏହା ବାଦ୍ ହସ୍ପିଟାଲ ଭିତ୍ତିଭୂମି ବଢ଼ାଯିବ। ସବୁ ହସ୍ପିଟାଲରେ ପର୍ଯ୍ୟାପ୍ତ ଆଇସିୟୁ ଶଯ୍ୟା ରଖାଯିବ। ବିଶେଷକରି ଶିଶୁମାନଙ୍କୁ କରୋନା ହେଲେ ସେମାନଙ୍କର କେଉଁ ଅଙ୍ଗ ଅଧିକ ପ୍ରଭାବିତ ହେବ, କିପରି ଚିକିତ୍ସା ଦିଆଯିବ ସେନେଇ ଆମେ ପ୍ରସ୍ତୁତ ହେଉଛୁ ବୋଲି କମିସନର କହିଛନ୍ତି। ଶ୍ରୀ ସିଂହଙ୍କ କହିବାନୁଯାୟୀ, ଆମେ ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛୁ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଯଦି ତୃତୀୟ ଲହର ଆସେ, ତେବେ ଆମେ ଏବେ ଥିବା କୋଭିଡ ହସ୍ପିଟାଲ ବ୍ୟତୀତ ବିଭିନ୍ନ ଘରୋଇ ହସ୍ପିଟାଲରେ ଥିବା ଶିଶୁ ୱାର୍ଡରେ ବାଧ୍ୟତାମୂଳକ ୫୦ରୁ ୭୫% କୋଭିଡ ଶଯ୍ୟା ସଂରକ୍ଷିତ ରଖିବୁ। ଏହା ଉଭୟ ସାଧାରଣ ଶଯ୍ୟା ଓ ଆଇସିୟୁ ପାଇଁ ଲାଗୁ କରିବୁ। ଶିଶୁ ବିଶେଷଜ୍ଞମାନଙ୍କୁ ନେଇ ଏକ ପ୍ୟାନେଲ୍ କରିବୁ। ସେମାନେ ନିୟମିତ ବ୍ୟବଧାନରେ ‌ପିଲାଙ୍କ ପାଇଁ ପରାମର୍ଶ ଦେବେ। ଆଶା ଓ ଅଙ୍ଗନୱାଡି କର୍ମୀ ପ୍ରତି ୱାର୍ଡରେ କେତେ ପିଲା ଅଛନ୍ତି ତା’ର ତାଲିକା ରଖିଥିବାରୁ ସେମାନେ ଏନେଇ ସ୍ବତନ୍ତ୍ର ସର୍ଭେ କରିବେ। ପିଲାଙ୍କର କିଛି ବି କରୋନା ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବେ। ଆମେ ଜିରୋ କାଜୁଆଲିଟି ଲକ୍ଷ୍ୟରେ କାମ କରିବୁ। ପିଲା ଯେପରି କରୋନା ଆକ୍ରାନ୍ତ ନ ହେବେ ସେଥିପାଇଁ ଅଭିଭାବକଙ୍କୁ ଅଧିକ ଧ୍ୟାନ ଦେବାକୁ ହେବ। ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନେ ବିଶୋଧନ ହେବା ପୂର୍ବରୁ ପିଲାଙ୍କ ସଂସ୍ପର୍ଶରେ ନ ଆସନ୍ତୁ। ଯଦି କେହି କରୋନା ଆକ୍ରାନ୍ତ ହେଉଛନ୍ତି ତେବେ ପିଲାଙ୍କଠାରୁ ଦୂରେଇ ରୁହନ୍ତୁ।

ଅପରପକ୍ଷେ ଏନେଇ ସୂଚନା ‌ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିକଟରେ ଦିଆଯାଇଥିବା ଏକ ବାର୍ତ୍ତାରେ ଶିଶୁରୋଗ ବିଶେଷଜ୍ଞ ଡା. ସେବାରଂଜନ ବିଶ୍ୱାଳ କହିଛନ୍ତି, ପିଲାଙ୍କୁ ଯଦି ଜ୍ୱର, କାଶ, ଥଣ୍ଡା ହେଉଛି ବା ନାକରୁ ପାଣି ବୋହୁଛି, ତେବେ ଅଭିଭାବକ ମନ ଇଚ୍ଛା ଔଷଧ ନ ଦେଇ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଦିଅନ୍ତୁ। ବିଶେଷକରି ପିଲା ଯଦି କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛି, ତେବେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ।

ସମ୍ବନ୍ଧିତ ଖବର