ଭୁବନେଶ୍ବର: ବ୍ୟବସାୟରେ କ୍ଷତି ପାଇଁ ବୀମା ଟଙ୍କା ହାତେଇବାକୁ ନିଜ ଦୋକାନରୁ ଡକାୟତି ପାଇଁ ଷଡ଼ଯନ୍ତ୍ର କଲେ। ଲୋକ ଲଗାଇ ରାତାରାତି ଜିନିଷ ହଟାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଲେ। ଏଭଳି ଏକ ବଡ଼ଧରଣର ଜାଲିଆତିର ପର୍ଦ୍ଦାଫାଶ କରିଛି କମିସନରେଟ୍ ପୁଲିସ। ଘଟଣାରେ ତମାଣ୍ଡୋ ଥାନା ପୁଲିସ ଦୁଇ ବ୍ୟବସାୟୀଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆଦ୍ୟାଶା ଟ୍ରେଡ୍ର ମାଲିକ ତଥା ପ୍ଲାଏଉଡ୍ ବ୍ୟବସାୟୀ ନୂଆପଲ୍ଲୀ ବେହେରାସାହି ଅଞ୍ଚଳର ସନ୍ତୋଷ ମହାରଣା(୪୩) ଓ ପୂର୍ବତନ ସହକର୍ମୀ ତଥା ଫର୍ଣ୍ଣିଚର ବ୍ୟବସାୟୀ ମୟୂରଭଂଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ମନୋଜ ସେଜ୍ପଡ଼ା(୩୪)। ସେହିପରି ୧୧ଜଣ ସହଯୋଗୀ ହେଲେ ବାଲେଶ୍ବର ଜିଲ୍ଲା ସହଦେଖୁଣ୍ଟା ଅଞ୍ଚଳର ସେକ୍ ମକ୍ସତ୍(୩୨), ସେକ୍ ଅବଦୁଲ୍ ରେହେମାନ୍(୩୩), ସେକ୍ ନାସିର୍(୨୦), ହରିକୃଷ୍ଣ ନାୟକ(୫୩), ଶ୍ୟାମ ସୁନ୍ଦର ସିଂହ ଓରଫ ବବୁଲ୍(୨୪), ସେକ୍ ରାଜା ଓରଫ ରାଜା(୨୦), ଟାଉନ୍ ଥାନା ଅଞ୍ଚଳର ଜିସନ୍ ଖାନ୍(୨୫), ସେକ୍ ରାଜୁ(୨୨), ବ୍ରହ୍ମପୁର ଥାନା ଅଞ୍ଚଳର ସମୀର ଜେନା(୩୨), ବସନ୍ତ କୁମାର ସେନାପତି(୩୬) ଓ ମୟୂରଭଂଜ ନିଲ୍ଲା ଖୁଣ୍ଟା ଅଞ୍ଚଳର ହରିହର ସାଢ଼ୁଆଲ୍(୩୭)। ପୁଲିସ ସେମାନଙ୍କ ନିକଟରୁ ୩ଟି ପିକ୍ଅପ୍ ଭ୍ୟାନ୍, ଗୋଟିଏ ବୋଲେରୋ, ଗୋଟିଏ ବୁଲେଟ୍, କଟର୍ ମେସିନ୍, ମାସ୍କ ଆଦି ଜବତ କରିଛି। ତେବେ ଏମାନେ କିଭଳି ଧରାପଡ଼ିଲେ ଆଜି ତମାଣ୍ଡୋ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ଜଗମୋହନ ମୀନା ପର୍ଦ୍ଦାଫାଶ କରିଛନ୍ତି।
ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ୨୦୧୬ ମସିହାରେ ସନ୍ତୋଷ ତମାଣ୍ଡୋ ବଜାରରେ ଥିବା ଅବିନାଶ ପଟ୍ଟନାୟକଙ୍କ ଘରକୁ ଭଡ଼ାରେ ନେଇ ପ୍ଲାଏଉଡ୍ ବ୍ୟବସାୟ ଆରମ୍ଭ କରିଥିଲା। ମାସିକ ୨୫ ହଜାର ଟଙ୍କା ଭଡ଼ା ନେଇଥିବା ବେଳେ ସନ୍ତୋଷର ବ୍ୟବସାୟ ସେତେ ଭଲ ଚାଲିନଥିଲା। କିଛି ମାସ ଭଡ଼ା ଦେଇଥିବା ବେଳେ ଗତ ଦେଢ଼ ବର୍ଷ ହେବ ଅବିନାଶଙ୍କୁ ଭଡ଼ା ଦେଇପାରି ନଥିଲା। ଅବିନାଶଙ୍କୁ ନିଜର ସମସ୍ୟା ସମ୍ପର୍କରେ ଜଣାଇବା ସହ ଭଡ଼ା ଦେଇ ନପାରି ପାଲଟା ଗତ ୨୦୨୪ ମସିହା ନଭେମ୍ବର ମାସରେ ତାଙ୍କଠାରୁ ୩ଲକ୍ଷ ଟଙ୍କା ଉଧାର ନେଇଥିଲା। ଟଙ୍କା ସୁଝିବା ପାଇଁ ଗତ ୨୯ ତାରିଖରେ ତାଙ୍କୁ ୩,୨୦,୦୦୦ ଟଙ୍କାର ଚେକ୍ ଦେଇଥିଲା। ହେଲେ ବ୍ୟାଙ୍କରେ ଟଙ୍କା ନଥିବାରୁ ଚେକ୍ ବାଉନ୍ସ କରିଥିଲା।
ଏପଟେ ଭଡ଼ା ଟଙ୍କା ସାଙ୍ଗକୁ ଉଧାର ଟଙ୍କା, ପୁଣି ବ୍ୟବସାୟରେ କ୍ଷତି। କ’ଣ କରିବ କିଛି ବୁଦ୍ଧିବାଟ ଦିଶିନଥିଲା। ତେଣୁ ୟୁଟ୍ୟୁବ୍ରେ ସମାଧାନ ଖୋଜୁ ଖୋଜି ବୀମା ଟଙ୍କା ହାତେଇବାର ସୂତ୍ର ପାଇଥିଲା। କିଭଳି ବୀମା ସଂସ୍ଥାକୁ ଚୂନଲଗାଯିବ ସେ ତରିକା ୟୁଟ୍ୟୁବ୍ରୁ ଶିଖିବା ପରେ ଖୁଣ୍ଟାର ଫର୍ଣ୍ଣିଚର ବ୍ୟବସାୟୀ ତଥା ପୂର୍ବତନ ସହଯୋଗୀ ମନୋଜକୁ ଘଟଣା ସମ୍ପର୍କରେ ଜଣାଇଥିଲା। ଯୋଜନା ମୁତାବକ ଉଭୟ ତମାଣ୍ଡୋସ୍ଥିତ ଦୋକାନରୁ ଲୋକ ଲଗାଇ ଲୁଟ୍ ପାଇଁ ଯୋଜନା କରିଥିଲେ। ସେହ ଜିନିଷକକୁ ମନୋଜ ଦୋକାନକୁ ପଠାଇଥାଆନ୍ତେ। ଏଥିପାଇଁ ମନୋଜ ନିଜ ଅଞ୍ଚଳର ୧୧ଜଣ ସହଯୋଗୀ ଠିକ୍ କରିଥିଲା। ଏଥିପାଇଁ ଜଣକା ଏକ ହଜାର ଟଙ୍କା ଓ ବୀମା ଟଙ୍କା ମିଳିଲେ ଅଧିକ ୫ ହଜାର ଟଙ୍କା ଲେଖାଏଁ ଦେବାକୁ କହିଥିଲା। ବାକି ବୀମା ଟଙ୍କା ମନୋଜ ଓ ସନ୍ତୋଷଙ୍କ ମଧ୍ୟରେ ଭାଗ କରାଯାଇଥାଆନ୍ତା।
ଯୋଜନା ମୁତାବକ ବୁଧବାର ବିଳମ୍ବିତ ରାତି ପାଖାପାଖି ସାଢ଼େ ୨ଟା ସମୟରେ ମନୋଜ ସମସ୍ତ ୧୧ ସହଯୋଗୀ ଭ୍ୟାନ୍, ବୋଲେରୋ ଧରି ଦୋକାନ ନିକଟରେ ପହଞ୍ଚିଥିଲେ। ଏକ ଢ଼ାବା ନିକଟରେ ଏକାଠି ହୋଇ ସୁଯୋଗକୁ ଅପେକ୍ଷା କରିଥିଲେ। ହେଲେ ବିଳମ୍ବିତ ରାତିରେ ଏକାସଙ୍ଗେ ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ପିସିଆର୍କୁ ଫୋନ୍କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପିସିଆର୍ ଭ୍ୟାନ୍ ଖବରପାଇବା ପରେ ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା। ସେମାନେ ଦୋକାନ ଭାଙ୍ଗୁଥିବା ସମୟରେ ୪ଟି ପିସିଆର୍ରେ ପୁଲିସ ଟିମ୍ ସେଠାରେ ପହଞ୍ଚି ଅତର୍କିତ ଭାବେ ଚଢ଼ଉ କରିଥିଲେ। ମନୋଜ ସମେତ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିବା ପରେ ସତ ଓଗାଳିଥିଲେ। ପରେ ପୁଲିସ ନୂଆପଲ୍ଲୀରେ ଚଢ଼ଉ କରି ସନ୍ତୋଷକୁ ଗିରଫ କରିଥିଲା। ଜେରାପରେ ଆଜି ସମସ୍ତ ୧୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/31/untitled-9-2025-10-31-08-24-10.jpg)
