ଚାଉଳି ଭାଟିରୁ ବିପୁଳ ପୋଚ, ମଦ ଜବତ: ୭ ମହିଳାଙ୍କ ସମେତ ୧୩ ଗିରଫ

ଭୁବନେଶ୍ବର: ଆଜି ଭୁବନେଶ୍ବର ଅବକାରୀ ବିଭାଗ ଓ ମୋବାଇଲ୍‌ ସ୍କ୍ବାଡ୍‌ ମିଳିତ ଭାବେ ରାଜଧାନୀର ବିଭିନ୍ନ ସ୍ଥାନରେ(ସାଲିଆସାହି, ନାକାଗେଟ୍‌ ଓ କାର୍‌ଗିଲ୍‌ ବସ୍ତି) ଚଢ଼ଉ କରି ବିପୁଳ ଦେଶୀ ମଦ ଓ ପୋଚ ଜବତ କରିଛନ୍ତି। ଚୋରା ମଦ କାରବାର କରୁଥିବା ଅଭିଯୋଗରେ ୭ ମହିଳା ଓ ୬ ପୁରୁଷଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ, ସାଲିଆସାହି ନୀଳଚକ୍ରନଗର ସୁନିଆ ମାରାଣ୍ଡି(୩୨), ମାଳତୀ ବେସ୍ରା(୨୮), ଗଜେନ୍ଦ୍ର ହାଂସ୍‌ଦା(୫୫), ରାଇମଣି ହାଂସ୍‌ଦା(୪୫), ବୈଶାଖୀ ହେମ୍ବ୍ରମ୍‌(୪୦), ଇଡ୍‌କଲ୍‌ ବସ୍ତିର ସପନ ସେରେନ୍‌(୩୪), ଖଣ୍ଡଗିରି ନାକାଗେଟ୍‌ ଛକ ବସ୍ତି ମୋହନ ବାସ୍କେ(୪୮), ଚନ୍ଦ୍ରଶେଖରପୁର ରାଧାକ୍ରିଷ୍ଣ ଲେନ୍‌ ବସ୍ତିର ଖୁଦିମଣି ମୁର୍ମୁ(୪୮), ଚକି ସେରୋନ୍‌(୩୨), ବାବୁ ମାରାଣ୍ଡି(୨୫), ଜ୍ୟୋତ୍ସ୍ନା ନାୟକ(୪୦), ଏୟାର୍‌ପୋର୍ଟ ଥାନା କାର୍‌ଗିଲ ବସ୍ତିର ରାମ ପ୍ରଧାନ(୬୦), ନୂଆପଲ୍ଲୀ ମୁଣ୍ଡାସାହିର କେଦାର ପାଣିଗ୍ରାହୀ(୫୨)।

ଅଭିଯୁକ୍ତମାନଙ୍କଠାରୁ ୫ ଶହ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ସେହିଭଳି ସାଲିଆସାହି ନୀଳଚକ୍ରନଗର ବସ୍ତିରୁ ଠାବ ହୋଇଥିବା ମଦ ଭାଟିରୁ ପ୍ରାୟ ୩ ହଜାର ଲିଟର ଚାଉଳି ପୋଚ ନଷ୍ଟ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଓ ଅବକାରୀ ଅଧୀକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ଉରେ ଆଇଆଇସି ବିକାଶ ଚନ୍ଦ୍ର ନାୟକ, ଏସ୍‌ଆଇ ଅଂଶୁମାନ ଜେନା, ନାରାୟଣ ଜେନା, ମାନସୀ ଜେନା, ଏଏସ୍‌ଆଇ ସୁଜିତ ମୁଦୁଲି ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର