ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାରୋହର ମୁଖ୍ୟଅତିଥି ଏମ୍ସ ଭୁବନେଶ୍ୱରର ପ୍ରଥମ ନିର୍ଦ୍ଦେଶକ ଡା. ଅଶୋକ କୁମାର ମହାପାତ୍ର ପୂର୍ବ ଭାରତର ଚିକିତ୍ସା କ୍ଷେତ୍ରରେ ପ୍ରତିଷ୍ଠାନର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍ୱାସ୍ଥ୍ୟସେବା ସଫଳତା, ଡିଜିଟାଲ୍ ନବସୃଜନ ତଥା ଶିକ୍ଷାଗତ ଉତ୍କର୍ଷତାକୁ ପ୍ରଶଂସା କରି କହିଲେ ରୋଗୀସେବା ଏବଂ ଚିକିତ୍ସା ଉତ୍କର୍ଷତାରେ ଭୁବନେଶ୍ବର ଏମ୍ସ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିପାରିଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ପ୍ରତିଷ୍ଠାନର ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଖୁବ୍ଶୀଘ୍ର ଏମ୍ସରେ ଯକୃତ ପ୍ରତିରୋପଣ, ସ୍କିନ୍ ବ୍ୟାଙ୍କ ସହିତ ଅନ୍ୟାନ୍ୟ ରୋଗୀ କଲ୍ୟାଣକାରୀ ସୁବିଧା ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ଡା. ବିଶ୍ୱାସ ସୂଚନା ଦେଇଥିଲେ। ଗତ ଏକ ବର୍ଷରେ ୧୧ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହେବା ସହିତ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ(ଆଭା) ପଞ୍ଜୀକରଣ ମାଧ୍ୟମରେ ୨୬ ଲକ୍ଷରୁ ଅଧିକ ଲୋକଙ୍କୁ ଯୋଡ଼ାଯାଇଛି ବୋଲି କହିଥିଲେ। ୨୦୨୫ ଶିକ୍ଷାବର୍ଷ ପାଇଁ ଏମ୍ସକୁ ଏନ୍ଆଇଆର୍ଏଫ୍ରେ ୧୪ତମ ସ୍ଥାନ ମଳିବା ଏବଂ ମର୍ଯ୍ୟାଦାଜନକ ଇଣ୍ଡିଆ ଟୁଡେ ସର୍ଭେରେ ପ୍ରତିଷ୍ଠାନ ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ ଭାବେ ସ୍ଥାନିତ ହୋଇଛି ବୋଲି ସେ କହିଥିଲେ। ବାର୍ଷିକ ସ୍ମରଣିକା ‘ଦି ଇନ୍ସାଇଟ୍’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଡିନ୍ (ଏକାଡେମିକ୍ସ) ଡା. ପି.ଆର୍. ମହାପାତ୍ର, ଡିନ୍ (ଗବେଷଣା) ଡା. ସତ୍ୟଜିତ ମିଶ୍ର, ଡିନ୍ (ପରୀକ୍ଷା) ଡା. ସୌଭାଗ୍ୟ କୁମାର ଜେନା, ଭାରପ୍ରାପ୍ତ ମେଡିକାଲ୍ ଅଧୀକ୍ଷକ ଡା. ଅଶୋକ କୁମାର ଜେନା, କୁଳସଚିବ ଡା. ସୁଦୀପ୍ତ ରଞ୍ଜନ ସିଂହ, ଡିଡିଏ ଅଭିଜିତ ସରକାର ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ଏକାଧିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ପୁରସ୍କୃତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଏମ୍ସ ଭୁବନେଶ୍ବରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଫଟୋଗ୍ରାଫି ପ୍ରତିଯୋଗିତାର ଶ୍ରେଷ୍ଠ ୫୦ ଫଟୋକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଡା. ମହାପାତ୍ର ଏହାକୁ ଉଦ୍ଘାଟନ କରିଥିଲେ। ଅନୁରୂପ ଭାବେ ଏକ ବର୍ଷ ମଧ୍ୟରେ ଏମ୍ସରେ ହୋଇଥିବା ଏକାଧିକ ସଫଳତା ସମ୍ବଳିତ ଚିତ୍ରକଳା ପ୍ରଦର୍ଶନୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।