ପୁରୁଣା ଭୁବନେଶ୍ୱର: ପୁଣି ଐତିହ୍ୟପୂର୍ଣ୍ଣ ଶିଶୁପାଳଗଡ଼ରେ ଜବରଦଖଲ ହୋଇଛି। କୀର୍ତ୍ତିରାଜି ଭରା ଗଡ଼ଖାଇକୁ ତାଡ଼ି ଜବରଦଖଲ କରାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ) ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଥିବା ବେଳେ ଏଏସ୍ଆଇ ଅଧିକାରୀ ଅରୁଣ ମଲ୍ଲିକ ଶିଶୁପାଳଗଡ଼ ଦାୟିତ୍ବରେ ଥିବା ଏଏସ୍ଆଇ ଅଧିକାରୀ, ସ୍ଥାନୀୟ ଥାନା ଅଧିକାରୀ ଓ ସମ୍ପୃକ୍ତ ଜବରଦଖଲକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
ସୂଚନାନୁସାରେ ବୁଲ୍ଡୋଜର ଲଗାଇ ପୂର୍ବ ପାର୍ଶ୍ବ ଗଡ଼କୁ ତାଡ଼ି ଦିଆଯାଇଛି। ପ୍ରାୟ ୩୦ ମିଟର ଲମ୍ବରେ ଗଡ଼ଖାଇକୁ ତାଡ଼ି ସେହି ଅଂଶରେ ୩ ଫୁଟ୍ ଉଚ୍ଚରେ ପାଚେରି ନିର୍ମାଣ କରାଯାଇଛି। ସୂଚନାଯୋଗ୍ୟ ଏହି ଗଡ଼ର ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ରାଜ୍ୟ ସରକାର ମିଶି ଉଦ୍ୟମ ଆରମ୍ଭ କରିଥିଲେ। ମାତ୍ର ପରେ ଏହା ବନ୍ଦ ହୋଇଗଲା। ଏମିତିକି ମାମଲା ହାଇକୋର୍ଟଙ୍କ ନିକଟରେ ପହଞ୍ଚିବାରୁ ଶିଶୁପାଳଗଡ଼ର ବର୍ତ୍ତମାନ କଣ ସ୍ଥିତି ରହିଛି ଜାଣିବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏଏସ୍ଆଇ ରିପୋର୍ଟ ଦାଖଲ କରିପାରିନି। କିନ୍ତୁ ଏପଟେ କୋର୍ଟଙ୍କ ନିର୍ଦ୍ଦେଶକୁ ନମାନି ଜବରଦଖଲ ଚାଲୁ ରହିଛି। ପ୍ରକାଶ ଥାଉକି ୨୦୨୦ ଫେବ୍ରୁଆରିରେ ସ୍ଥାନୀୟ ମଣ୍ଡଳ ଅଧୀକ୍ଷକଙ୍କ ସହ ବିଭାଗୀୟ ଅଧିକାରୀମାନେ ଶିଶୁପାଳଗଡ଼ ଅଞ୍ଚଳ ବୁଲି ଦେଖିଥିଲେ। ବିଲୁପ୍ତପ୍ରାୟ ଐତିହ୍ୟ ଗୁଡ଼ିକର ଫଟୋ ମଧ୍ୟ ନେଇଥିଲେ। ଅନେକ ଘରୋଇ ଜମିରେ ପ୍ରାଚୀନ କୀର୍ତ୍ତିରାଜି ସବୁ ରହି ଯାଇଥିବା ଜାଣିବାକୁ ପାଇଥିଲେ। ସେଥିରୁ କିଛି ବିକାକିଣା ହୋଇ କୋଠାବାଡ଼ି ନିର୍ମାଣ ସରିଲାଣି। ଏକ ସବିଶେଷ ରିପୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଥିଲା। ତେବେ ପରେ ସବୁ ଶିଥିଳ ହୋଇଗଲା ଓ କାମ ଆଉ ଆଗେଇଲା ନାହିଁ। ଯାହା ଫଳେର ଏବେ ପୁଣି ଜବରଦଖଲ ବୃଦ୍ଧି ପାଇବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/56456456f456h4fs56h4sfh4.jpg)