ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ାଇବାକୁ ଆବଶ୍ୟକୀୟ ନିୟମିତ ପ୍ରଫେସର ନାହାନ୍ତି। ୨୮ଟି ନିୟମିତ ବିଭାଗ ମଧ୍ୟରୁ ଲାଇବ୍ରେରି ସାଇନ୍ସରେ ଜଣେ ବି ପ୍ରଫେସର ନାହାନ୍ତି। ଯେତେବେଳେ କି ବ୍ୟବସାୟ ପ୍ରଶାସନ ଓ ମନସ୍ତତ୍ତ୍ବ ବିଜ୍ଞାନ ବିଭାଗରେ ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବି ମଧ୍ୟରୁ ୧୦ଟି ଲେଖାଏଁ ଖାଲି ପଡ଼ିଛି। ଅର୍ଥାତ୍ ଏହି ଦୁଇ ବିଭାଗରେ ଯଥାକ୍ରମେ ୪ ଓ ୫ ଜଣ ପ୍ରଫେସର ଶିକ୍ଷାଦାନ କରୁଛନ୍ତି। ବାଣିଜ୍ୟ, ଗଣିତ, ବିଶ୍ବବିଦ୍ୟାଳୟ ଆଇନ ମହାବିଦ୍ୟାଳୟ(ୟୁଏଲ୍ବି)ରେ ମାତ୍ର ଜଣେ ଲେଖାଏଁ ନିୟମିତ ପ୍ରଫେସର ରହିଛନ୍ତି। ବାୟୋଟେକ୍ନୋଲୋଜି, ଉଦ୍ଭିଦ ବିଜ୍ଞାନ, ଏଆଇଏଚ୍ସିଏ, ଇଂରାଜୀ, ଇତିହାସ, ଏଲ୍ଏଲ୍ଏମ୍, ଓଡ଼ିଆ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ, ସାଧାରଣ ପ୍ରଶାସନ, ପରିସଂଖ୍ୟାନ ଓ ପ୍ରାଣୀ ବିଜ୍ଞାନ ବିଭାଗରେ ଦୁଇ କିମ୍ବା ତିନି ଜଣ ନିୟମିତ ପ୍ରଫେସର ପଢ଼ାଉଛନ୍ତି।
ବିଶ୍ବବିଦ୍ୟାଳୟର ବିଭିନ୍ନ ନିୟମିତ ବିଭାଗରେ ପଢ଼ାଇବାକୁ ୨୩୮ଟି ପଦବି ମଞ୍ଜୁରୀପ୍ରାପ୍ତ ହୋଇଛି। ସେଥିମଧ୍ୟରୁ କେବଳ ୧୦୫ଟି ପୂରଣ ହୋଇଥିବା ବେଳେ ୧୩୩ଟି ଖାଲି ପଡ଼ିଛି। ଅର୍ଥାତ୍ ୫୫.୮୮% ପ୍ରଫେସର ନାହାନ୍ତି। ଚିନ୍ତାର ବିଷୟ ହେଉଛି ଯେ ପ୍ରଫେସରଙ୍କ ସଂଖ୍ୟା ଧୀରେ ଧୀରେ କମି ଯାଉଛି। ଏବେ ୬୬ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୩୦ଜଣ ଆସୋସିଏଟ୍ ପ୍ରଫେସର ରହିଥିବା ବେଳେ ପ୍ରଫେସରଙ୍କ ସଂଖ୍ୟା ମାତ୍ର ୯। ମଞ୍ଜୁରୀପ୍ରାପ୍ତ ୪୫ଟି ପ୍ରଫେସର ପଦବି ମଧ୍ୟରୁ ୩୯ଟି ଖାଲି ପଡ଼ିଛି। ଏବେ କେବଳ ଅତିଥି ପ୍ରଫେସରରେ ଏଠାରେ ପାଠପଢ଼ା ହେଉଛି। ୫୨ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଅତିଥି ଭାବେ ନିୟୋଜିତ କରାଯାଇଛି। ମାତ୍ର ୬ ଜଣ ଅବସରପ୍ରାପ୍ତ ପ୍ରଫେସର ୬ଟି ବିଭାଗରେ ପଢ଼ାଇବାକୁ ଆସୁଛନ୍ତି। ବିଶ୍ୱବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀଙ୍କର ମଧ୍ୟ ଘୋର ଅଭାବ ରହିଛି। ୮୦୯ ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବି ମଧ୍ୟରୁ ୧୮୯ଟି ପଦବି ପୂରଣ ହୋଇଛି। ବାକି ୬୨୦ ପଦବି ଅର୍ଥାତ୍ ୭୬.୬୩% ଖାଲି ପଡ଼ିଛି। ଗ୍ରୁପ୍-୧ରେ ମଞ୍ଜୁରପ୍ରାପ୍ତ ୮ଟି ପଦବିରେ କେହି ନାହାନ୍ତି। ଗ୍ରୁପ୍-ବିରେ ୪୦, ଗ୍ରୁପ୍-ସିରେ ୨୨୮ ଓ ଗ୍ରୁପ୍-ଡିରେ ୩୪୪ଟି ପଦବି ଖାଲି ପଡ଼ିଛି। ଦୈନଦିନ କାର୍ଯ୍ୟ ତୁଲାଇବାକୁ ୮୭ଜଣ କର୍ମଚାରୀ ଆଉଟ୍ସୋସିଂ ଏଜେନ୍ସି ଦ୍ବାରା ନିୟୋଜିତ କରାଯାଇଛି। ପ୍ରୁପ୍-ସିର ଜଣେ ଟେକ୍ନିକାଲ(ସିଭିଲ୍), ୩୪ଜଣ ସହାୟକ କର୍ମଚାରୀ, ୫ଜଣ ସହାୟକ ଶିକ୍ଷକ, ଜଣେ ଫାର୍ମାସିଷ୍ଟ, ୩ଜଣ ଡ୍ରାଇଭର, ୭ଜଣ ଇଲେକ୍ଟ୍ରିକାଲ୍ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି। ସେହିପରି ଗ୍ରୁପ୍-ଡି ବର୍ଗରେ ୫ଜଣ ପିଏଚ୍ ୱାଟର ଷ୍ଟାଫ୍ ଓ ୩୧ ଜଣ ପିଅନଙ୍କୁ ନିଯୁକ୍ତି ଦିଆଯାଇଛି।
ଅଧ୍ୟାପକ ଅଭାବ ଦୂର କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଅତିଥି ପ୍ରଫେସର ଓ ଅବସରପ୍ରାପ୍ତ ପ୍ରଫେସରଙ୍କୁ ନିଯୁକ୍ତି ଦେଉଛି। ସମସ୍ୟା ଦୂର କରିବାକୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଚିଠା ଅଧିନିୟକ ୨୦୨୪ କ୍ୟାବିନେଟ୍ ବୈଠକରେ ପାରିତ ହୋଇ ବିଧାନସଭାରେ ଉପସ୍ଥାପନ କରାଯାଇଛି। ଏହି ଆଇନ ପ୍ରଣୟନ ହେବା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଫେସର ଓ କର୍ମଚାରୀଙ୍କ ନିୟମିତ ନିଯୁକ୍ତିକୁ ସହଜ ହେବ। ନିୟମିତ ଭାବେ ଖାଲି ପଦବି ପୂରଣ ହୋଇପାରିବ ବୋଲି ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି।
ଜଣକ ହାତରେ ଗଣିତ, ବାଣିଜ୍ୟ, ୟୁଏଲ୍ବି
ଲାଇବ୍ରେରି ସାଇନ୍ସରେ କେହି ନାହାନ୍ତି
ଆମଦାନୀ ହୋଇ ଆସିଛନ୍ତି ଅଣଶିକ୍ଷକ
ହଷ୍ଟେଲ ପିଲାଙ୍କୁ ଟେଲିମାନସ ସେବା
ରାଜ୍ୟର ସରକାରୀ ଓ ବେସରକାରୀ କଲେଜ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ ତଦାରଖ କରିବା ସହ ପରାମର୍ଶ ଦେବା ଦିଗରେ ପଦକ୍ଷେପ ନିଆଯାଇଛି। ୨୦୨୨ଠାରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ଟେଲିମାନସ ସେବା ମାଧ୍ୟମରେ ହେଲ୍ପ ଲାଇନ୍ ନମ୍ବର ୧୪୪୧୬ ଜାରି ହୋଇଛି। ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଏମ୍କେସିଜି ମେଡିକାଲ କଲେଜରେ କାର୍ଯ୍ୟକାରୀ ହେଉଛି। ଏହି ସେବା ୨୪ ଘଣ୍ଟିଆ ଉପଲବ୍ଧ ବୋଲି ବିଧାୟକ ଭାସ୍କର ମଢ଼େଇଙ୍କ ଏକ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ଏହି ଉତ୍ତର ରଖିଛନ୍ତି।