ଏମିତି ବିଛାଯାଉଛି ଗ୍ୟାସ୍ ପାଇପ୍: ଅଢ଼େଇ ବର୍ଷରେ ୩ ଶହ ମିଟର

ସ୍ବର ଉଠାଇବାରୁ କର୍ପୋରେଟର୍‌ଙ୍କ ନାମରେ ଥାନାରେ ଅଭିଯୋଗ

ପୁରୁଣା ଭୁବନେଶ୍ୱର: ରାତି ଅଧରେ ଲୁଚି ଛପି ରାସ୍ତା ଖୋଳା ଚାଲିଛି। ଅତ୍ୟନ୍ତ ବିପଜ୍ଜନକ ଭାବେ ମୋଟା ଲୁହା ପାଇପ୍ ବର୍ଷ ବର୍ଷ ଧରି ରାସ୍ତା ଉପରେ ପଡ଼ିଛି। ଖୋଳା ହେଉଥିବା ସ୍ଥାନକୁ ମରାମତି ନକରି ବିପଦସଙ୍କୁଳ ଭାବେ ଛାଡ଼ି ଦିଆଯାଉଛି। ଫଳରେ ଦୁର୍ଘଟଣାରେ ଧନଜୀବନ ଯାଉଛି। ଲୋକଙ୍କ ସମସ୍ୟାକୁ ନେଇ ସ୍ଥାନୀୟ କର୍ପୋରେଟର ମୁହଁ ଖୋଲିବାରୁ ତାଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି।

ବିବେକାନନ୍ଦ ମାର୍ଗରେ ଦୀର୍ଘ ଅଢ଼େଇ ବର୍ଷ ହେବ ଗେଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଗ୍ୟାସ୍ ପାଇପ୍ ବିଛା ଚାଲିଛି। ହେଲେ ଆଶ୍ଚର୍ଯ୍ୟର କଥା ବିବେକାନନ୍ଦ ମାର୍ଗର ୭୦୦ ମିଟର ରାସ୍ତାରୁ ଅଢ଼େଇ ବର୍ଷରେ ସରିଛି ମାତ୍ର ୩ ଶହ ମିଟର। ୨୦୨୧ ଫେବ୍ରୁଆରିରେ ସାନିଟାରିୟମ୍ ଛକରୁ ଆରମ୍ଭ ହୋଇ ହରପ୍ରିୟା ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ୨୦୦ ମିଟର ଆସିବାକୁ ଦୁଇ ବର୍ଷ ଲାଗିଗଲା। ଏହାପରେ ହରପ୍ରିୟା ଆପାର୍ଟମେଣ୍ଟଠାରୁ କାମ ଆରମ୍ଭ ହୋଇ ଏବେ ମହାରଣାସାହି ପର୍ଯ୍ୟନ୍ତ ମାତ୍ର ଶହେ ମିଟର ଯାଇଛି। ବିବେକାନନ୍ଦ ମାର୍ଗ ରାସ୍ତା ଏମିତିରେ କମ୍ ଓସାର। ସେଥିପାଇଁ ଅଧିକାଂଶ ସମୟରେ ରାସ୍ତା ଜାମ୍ ହୋଇଥାଏ। ଚିନ୍ତାଜନକ ବିଷୟ ହେଲା ଏହି ରାସ୍ତାର ଡାହାଣ ପାଖରେ ପ୍ରାୟ ୨ ଶହ ମିଟରର ଏକ ମୋଟା ଲୁହା ପାଇପ୍ ବର୍ଷ ବର୍ଷ ଧରି ପଡ଼ି ରହିଛି। ପ୍ରତ୍ୟେକ ଦିନ କେହି ନା କେହି ଏହି ପାଇପ୍‌ରେ ପିଟି ହୋଇ ପଡ଼ୁଛନ୍ତି। ଅନ୍ୟପଟେ ଯେଉଁ ସବୁ ସ୍ଥାନରେ ମେସିନ୍ ଖୋଳିଛି ତାକୁ ପୂର୍ବ ପରି ମରାମତି କରିବା କଥା। କିନ୍ତୁ ତାହା ହେଉନାହିଁ। ଏବେ ବିବେକାନନ୍ଦ ମାର୍ଗରେ ମେସିନ୍ ଖୋଳିଥିବା ଏକାଧିକ ସ୍ଥାନରେ ରାସ୍ତା ଖାଲ ହୋଇ ଯାଇଥିବାରୁ ଦୁର୍ଘଟଣା ଘଟୁଛି। ତେବେ ଦିନରେ କାମ କରିବା ପରିବେର୍ତ୍ତ ରାତିରେ କାମ ହେଉଥିବାରୁ ନିକଟରେ ଥିବା ଘର ଗୁଡ଼ିକରେ ଲୋକେ ଶୋଇ ପାରୁନଥିବା ଅଭିଯୋଗ ହୋଇଛି।

ଲୋକଙ୍କ ଅଭିଯୋଗ ପରେ ୫୫ ନମ୍ବର ୱାର୍ଡର କର୍ପୋରେଟର ନୃପେଶ ନାୟକ ପାଇପ୍ ଖୋଲୁଥିବା ସଂସ୍ଥାକୁ ପ୍ରଶ୍ନ କରିଥିଲେ। ବିଏମ୍‌ସି ଠାରୁ ଅନୁମତି ଆଣିଛ ନା ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏନେଇ ବିଏମ୍‌ସି କମିସନରଙ୍କୁ ମଧ୍ୟ ଜଣାଇଥିଲେ। ହେଲେ ଓଲଟା ଲିଙ୍ଗରାଜ ଥାନାରୁ ଜଣେ ଅଧିକାରୀ ଥାନାରେ ହାଜର ହେବାକୁ ସ୍ପଷ୍ଟ ଶୁଣାଇ ଦେଇଥିଲେ। ଏନେଇ ଲିଙ୍ଗରାଜ ଥାନା ମୁହଁ ଖୋଲୁ ନଥିବା ବେଳେ କର୍ପୋରେଟର ଶ୍ରୀ ନାୟକ କହିଛନ୍ତି ୨୦୨୧ ମସିହାରେ ବିଏମ୍‌ସି ଦେଇଥିବା ଅନୁମତିର ଅବଧି ସରିଛି। ଏହାଛଡ଼ା ଅନୁମତି ଚିଠିରେ ବିବେକାନନ୍ଦମାର୍ଗ ଖୋଳା ଯିବା ପାଇଁ କେଉଁଠାରେ ଉଲ୍ଲେଖ କରାଯାଇନାହିଁ। ହେଲେ ଗେଲ୍‌ ରାସ୍ତା ଖୋଳି ନଷ୍ଟ କରୁଛି। ଲୋକେ ଯାତାୟାତ କରି ପାରୁନାହାନ୍ତି। ଜନପ୍ରତିନିଧି ଭାବେ ଲୋକେ ଆମ ନିକଟରେ ଅଭିଯୋଗ କରିବା ସ୍ବାଭାବିକ। ପୁଲିସ ବେଆଇନ ଭାବେ ରାସ୍ତା ଖୋଳୁଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଜନ ପ୍ରତିନିଧିଙ୍କୁ ଧମକାଇବା କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ସଂପୃକ୍ତ ସଂସ୍ଥା ପୁନର୍ବାର ବିଏମ୍‌ସି ଠାରୁ ଅନୁମତି ନେବା ସହ ୧୫ ଦିନ ଭିତରେ କାମ ସାରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର