ଏମିତି ଆମ କମିସନରେଟ୍‌ ପୁଲିସ! କାମ କରୁନି ଫୋନ୍‌, ଲୋକେ ହନ୍ତସନ୍ତ

କଲ୍‌ ରିସିଭ୍‌ କରିବାକୁ ଥାନାବାବୁ ଅମଙ୍ଗ

ଭୁବନେଶ୍ବର: ପୁଲିସ ସବୁବେଳେ ଲୋକଙ୍କ ପାଇଁ ଅଛି। ଲୋକଙ୍କୁ ସୁରକ୍ଷା ଦେବା ପୁଲିସର ପ୍ରଥମ ଦାୟିତ୍ବ। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଭଲ ଭାବେ ବୁଝି ସେମାନଙ୍କ ସମସ୍ୟା ସମାଧାନ କରି‌ବ। ଥାନାରୁ କେହି ଅସନ୍ତୋଷ ହୋଇ ଫେରିବେ ନାହିଁ। ପୀଡ଼ିତଙ୍କୁ ନ୍ୟାୟ ମିଳିବ। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନାରେ ମୋ’ ସରକାର ଯୋଜନାକୁ ଉଦ୍‌ଘାଟନ କରି ସାରା ରାଜ୍ୟକୁ ଏହି ସନ୍ଦେଶ ଦେଇଛନ୍ତି। ଥାନାଗୁଡ଼ିକରେ ମୋ’ ସରକାର ନିୟମ ଲାଗୁ ହେଲା। ଲୋକଙ୍କୁ ଅବଗତ ପାଇଁ ବଡ଼ ଫଳକରେ ଯୋଜନା ବିଷୟରେ ଲେଖା ହେଲା। ଖାଲି ଏତିକି ନୁହେଁ ଖୋଦ୍‌ ତତ୍କାଳୀନ ପୁଲିସ ଡିଜି ଅଭିଯୋଗକାରୀଙ୍କୁ ଫୋନ୍‌ କରି ଥାନା ଓ ପୁଲିସ ବାବୁଙ୍କ ବିଷୟରେ ତଥ୍ୟ ନେଲେ। ଅଭିଯୋଗକାରୀଙ୍କ ଠାରୁ ନୈରାଶ୍ୟଜନକ ଉତ୍ତର ମିଳିବା ପରେ ପୁଲିସ ବାବୁଙ୍କୁ ତାଗିଦ୍‌ କଲେ। ଏତେ ସବୁ ପରେ ମଧ୍ୟ ଫଳ ଶୂନ। କାରଣ ସୁରକ୍ଷା ଦୃଷ୍ଟିକୋଣରୁ ରାଜଧାନୀ ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିଲେ ମଧ୍ୟ କମିସନରେଟ୍‌ ପୁଲିସ ଯେଭଳି ସଚେତନ ଓ ଦାୟିତ୍ବସମ୍ପନ୍ନ ହେବା କଥା ସେଭଳି ହେଉନାହିଁ। ଏହାର ଉଦାହରଣ ସ୍ବରୂପ ଆଜିର ଦିନରେ ଖବରଟିଏ ଦେବା ପାଇଁ ଓ ପୁଲିସ ସହ ଯୋଗାଯୋଗ ପାଇଁ ମୁଖ୍ୟ ମାଧ୍ୟମ ସାଜିଥିବା ଥାନାଗୁଡ଼ିକର ଫୋନ୍‌ ଅଚଳ ହୋଇପଡ଼ିଛି। ଦିନେ କି ଦୁଇଦିନ ନୁହେଁ, ମାସ ମାସ ଧରି ଫୋନ୍‌ଗୁଡ଼ିକ ଅଚଳ ହୋଇ ରହୁଛି। କିନ୍ତୁ ଏଥିପ୍ରତି କାହାରି ନିଘା ନାହିଁ। ବିଶେଷକରି ରାଜଧାନୀର ଗୁରୁତ୍ବୂପୂର୍ଣ୍ଣ ଥାନାଗୁଡ଼ିକରେ ଏଭଳି ଅବ୍ୟବସ୍ଥା ଚିନ୍ତାର କାରଣ ପାଲଟିଛି। ଦୀର୍ଘ ଦିନ ହେବ କ୍ୟାପିଟାଲ୍‌ ଥାନା, ନୂଆପଲ୍ଲୀ ଥାନା, ଇନ୍‌ଫୋସିଟି, ଲିଙ୍ଗରାଜ, ତମାଣ୍ଡୋ ଆଦି ଥାନାରେ ଫୋନ୍‌ ଅଚଳ ହୋଇପଡ଼ିଛି। ଅଧିକାଂଶ ସମୟରେ ମହିଳା ଥାନା ଫୋନ୍‌ କାମ କରୁନି। ସେହିପରି ସହିଦନଗର, ଖାରବେଳନଗର ଥାନା ଭଳି କେତେକ ଗୁରୁତ୍ବପୂର୍ଣ୍ଣ ଥାନାର ଫୋନ୍‌ ମଝିରେ ମଝିରେ ଅଚଳ ହୋଇପଡ଼ୁଛି। ରାଜଧାନୀରେ ଯେଭଳି ଭାବେ ଦିନକୁ ଦିନ ଲୁଟ୍‌ପାଟ, ଚୋରି, ହଣାକାଟ, ହତ୍ୟା, ଡକାୟତି ଭଳି ଅପରାଧ ବଢ଼ୁଛି। ଯଦି ଥାନାଗୁଡ଼ିକରେ ଫୋନ୍‌ ଏଭଳି ଅଚଳ ହୋଇ ପଡ଼ି ରହେ, ଲୋକମାନେ କିଭଳି ସେବା ପାଇବେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଅନେକ ସମୟରେ ଥାନା ବାବୁମାନେ ଫୋନ୍‌ ଧରିବାକୁ ଅମଙ୍ଗ ହେଉଛନ୍ତି। ଫୋନ୍‌ରେ କଥା ହେବାକୁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଲୋକମାନେ ଲ୍ୟାଣ୍ଡ ଲାଇନ୍‌କୁ ଫୋନ୍‌ କରି ଯେତିକି ସେବା ପାଉଥିଲେ ତାହା ଧୀରେ ଧୀରେ କମିବାରେ ଲାଗିଛି।

ଅନ୍ୟପଟେ କମିସନରେଟ୍‌ ପୁଲିସ କହୁଛି ଲୋକମାନେ ଅସୁବିଧାରେ ପଡ଼ିଲେ ତୁରନ୍ତ ପୁଲିସକୁ ଜଣାନ୍ତୁ। କମିସନରେଟ୍‌ ପୁଲିସ ଯେଭଳି ସକ୍ରିୟ ଅଛି ମାତ୍ର ୨-୪ ମିନିଟ୍‌ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗଇଦେବେ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଲୋକମାନେ କିଭଳି ପୁଲିସ ସହ ଯୋଗାଯୋଗ କରିବେ? କାହାକୁ ଅଭିଯୋଗ କରିବେ? କିଏ ତ୍ବରିତ ସେବା ଯୋଗାଇବ?

ସମ୍ବନ୍ଧିତ ଖବର