ଭୁବନେଶ୍ୱର: ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କିଭଳି ପରିବହନ କରାଯିବ? ସୁରକ୍ଷା ବ୍ୟବସ୍ଥା କେମିତି ରହିବ? କେଉଁ ଭଳି ଗାଡ଼ିରେ ଛାତ୍ରଛାତ୍ରୀଙ୍କୁ ନିଆଯିବ? ପିଲା ଯିବା ସମୟରେ ଗାଡ଼ିରେ କେଉଁମାନେ ରହିବେ? ଏହାକୁ ନଜରରେ ରଖି ୨୦୧୬ରେ ବିଦ୍ୟାଳୟ ଛାତ୍ର ପରିବହନ ନୀତି ହୋଇଥିଲା। ଇତି ମଧ୍ୟରେ ଏହି ନୀତିକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଲାଗୁ ହୋଇପାରିଲା ନାହିଁ। ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପରିବହନ ଉପରେ ନିଘା ନ ଥିବା ବେଳେ ରାଜଧାନୀରେ କୋମଳମତୀ ଛାତ୍ରଛାତ୍ରୀଙ୍କୁ ବିପଜ୍ଜନକ ଅବସ୍ଥାରେ ସ୍କୁଲରୁ ନେବା ଆଣିବା କରାଯାଉଛି। ବେଧଡ଼କ ଭାବେ ପରିବହନ ଚାଲିଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ। ଭଦ୍ରକରେ ଆଜି ସଡ଼କ ଦୁର୍ଘଟଣାରେ ୫ଜଣ ଛାତ୍ରଛାତ୍ରୀଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ ରାଜଧାନୀରେ ଯେଉଁଭଳି ଢଙ୍ଗରେ ଛାତ୍ରଛାତ୍ରୀ ସ୍କୁଲ ଯାଉଛନ୍ତି ସେଥିରେ ଯେ ବଡ଼ ଦୁର୍ଘଟଣା ନ ଘଟିବ ତାହାକୁ ଏଡ଼ାଇ ହେବନି। ଛାତ୍ରଛାତ୍ରୀମାନେ କିପରି ସ୍କୁଲକୁ ନିରାପଦ ଭାବେ ଯାତାୟାତ କରିବେ ସେଥିପାଇଁ ବିଦ୍ୟାଳୟ ଛାତ୍ର ପରିବହନ ନୀତି-୨୦୧୬ ଲାଗୁ କରାଯାଇଥିଲା। ଏହି ନିୟମ ଅନୁସାରେ ସ୍କୁଲ ବସ୍ରେ ପିଲାଙ୍କୁ ପରିବହନ କରାଯିବ। ସ୍କୁଲ ବସ୍ଗୁଡ଼ିକ ହଳଦିଆ ରଙ୍ଗ ହେବା ସହ ଆଗ ଓ ପଛରେ ବଡ଼ ଅକ୍ଷରରରେ ସ୍କୁଲ୍ ବସ୍ ଲେଖାଯିବ, ବସ୍ର ଝରକା ଲୁହା ଗ୍ରିଲ୍ରେ ବନ୍ଦ ହେବା ଆବଶ୍ୟକ, ଚାଳକଙ୍କର ଅତିକମ୍ରେ ୫ବର୍ଷର ଅଭିଜ୍ଞତା ରହିଥିବ, ବସ୍ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ସିଟ୍ ଅନୁସାରେ ପିଲା ସଂଖ୍ୟା, ଜରୁରୀ ପରିସ୍ଥିତି ପାଇଁ ଫାଷ୍ଟ-ଏଡ୍ ବକ୍ସ, ଗାଡ଼ିର ବେଗ ଘଣ୍ଟା ପ୍ରତି ୪୦ କିମିରୁ ଅଧିକ ରହିବ ନାହିଁ ବୋଲି ନିୟମ ହୋଇଛି। ସିବିଏସ୍ଇ ସମେତ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦେଶାବଳୀ ଜାରି ହୋଇଛି। ଏକାଧିକ ଥର ସ୍କୁଲଗୁଡ଼ିକୁ ଏହିି ନିୟମ ପଠାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଯାହା ଏବେ ରାଜଧାନୀ ରାସ୍ତାରେ ଦେଖିବାକୁ ମିଳୁଛି।
ସ୍କୁଲ ବସ୍ ବ୍ୟତୀତ ଅନ୍ୟ କୌଣସି ଗାଡ଼ିରେ ପିଲାଙ୍କ ପରିବହନ କରାଗଲେ ଗାଡ଼ିକୁ ଜବତ କରାଯିବ। ଗାଡ଼ି ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏବେ ବି ପିଲାମାନଙ୍କୁ ବିପଦ ସଙ୍କୁଳ ଅବସ୍ଥାରେ ପରିବହନ କରାଯାଇଛି। ଅଟୋ, ଭ୍ୟାନ୍ରେ ଖୁନ୍ଦାଖୁନ୍ଦି ହୋଇ ଯାଉଛନ୍ତି। ଗାଡ଼ିରେ ଯେତିକି ସିଟ୍ ରହିଛି ତା’ଠାରୁ ଢେର୍ ଅଧିକ ପିଲାଙ୍କୁ ନିଆଯାଉଛି। କେତେକ ସ୍ଥାନରେ ପିଲାମାନେ ଓହଳି ଯାଉଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି। ଯେଉଁଥିପାଇଁ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ୁଛି। ଗତ ଶୁକ୍ରବାର ‘ସମ୍ବାଦ’ ଟିମ୍ କ୍ୟାମେରାରେ ୟୁନିଟ୍-୧, ୟୁନିଟ୍-୯, ସତ୍ୟନଗର, ଖାରବେଳନଗର ଅଞ୍ଚଳର ସରକାରୀ ଓ ବେସରକାରୀ ସ୍କୁଲର ପିଲାଙ୍କୁ ବିପଦ ସଙ୍କୁଳ ଭାବେ ପରିବହନ କରାଯାଉଥିବା ଦୃଶ୍ୟ କଏଦ ହୋଇଛି। ଅଧିକାଂଶ ସ୍କୁଲରେ ଏପର୍ଯ୍ୟନ୍ତ ପରିବହନ ପାଇଁ ବସ୍ ବ୍ୟବସ୍ଥା କରାଯାଇ ନାହିଁ। ଏଥିପ୍ରତି ସ୍କୁଲର କର୍ତ୍ତୃପକ୍ଷ କିମ୍ବା ଅଭିଭାବକଙ୍କର ଯେପରି କୌଣସି ଚିନ୍ତା ନାହିଁ। ଏନେଇ ଭୁବନେଶ୍ୱର-୧ର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କ ସହ ଯୋଗଯୋଗ କରିବାରୁ ସେ କହିଛନ୍ତି ଯେ, ଯଦି କୌଣସି ଅଟୋ କିମ୍ବା ଛୋଟ ଯାନରେ ଛାତ୍ରଛାତ୍ରୀ ଯାତାୟାତ କରୁଥିବେ ତେବେ ଏହା ବେଆଇନ୍। କେବଳ ସ୍କୁଲ ବସ୍ କିମ୍ବା ସ୍କୁଲ ପରମିଟ୍ ଥିବା ଗାଡ଼ିରେ ପିଲାଙ୍କୁ ନେବା ଆଣିବାର ନିୟମ ରହିଛି। ସିଟ୍ଠାରୁ ଅଧିକ ପିଲାଙ୍କୁ ନେବା ଆଣିବାର ଦୃଶ୍ୟ ଦେଖାଗଲେ ସାଙ୍ଗେ ସାଙ୍ଗେ ଗାଡ଼ିକୁ ଜବତ କରାଯିବ। ଯଦି ଏହି ନିୟମକୁ କେହି ଉଲ୍ଲଂଘନ କରିବାର ଦେଖାଯାଏ ତେବେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ। ସେମାନଙ୍କ ଉପରେ କେସ୍ କରାଯିବ। ଆଗକୁ ଏହି ନିୟମକୁ କଡ଼ାକଡ଼ି କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।