ଖଣ୍ଡଗିରି ଐତିହ୍ୟପ୍ରୀତି ଏମିତି: ଭିତ୍ତିଭୂମି ଅଧାପନ୍ତରିଆ, ଲାଇଟ୍‌ ସାଉଣ୍ଡ ସୋ’ ସ୍ବପ୍ନ

ଭୁବନେଶ୍ବର: ଜୈନ ତୀର୍ଥସ୍ଥଳର ସ୍ମାରକୀ ବହନ କରୁଛି ଖଣ୍ଡଗିରି। ମାତ୍ର ଯେଉଁ ତୀର୍ଥଙ୍କର ଏହି ପାହାଡ଼ର ପ୍ରମୁଖ ଆକର୍ଷଣ ସେମାନେ ଏବେ ହତାଦାର। ଏହି ଘରକୁ କାଚ ଦ୍ବାରା ଆଚ୍ଛାଦିତ କରାଯାଇଥିଲେ ହେଁ ଏବେ ସେତକ ବି ନାହିଁ। ଏହି ଐତିହ୍ୟ ସ୍ମାରକୀ କାନ୍ଥ ସାରା ପ୍ରେମିକ ପ୍ରେମିକାଙ୍କ ନାମ ଛାଇଗଲାଣି। ପାହାଡ଼ ଗୁମ୍ଫା କ୍ଷତାକ୍ତ ହେଲାଣି। ପାହାଡ଼ର ସମ୍ମୁଖ ଭାଗ ବଣବୁଦାରେ ଭରପୂର ହୋଇଗଲାଣି। ତଥାପି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଏସବୁକୁ ଦେଖି ଅଣଦେଖା କରି ଚାଲିଛି। କେବଳ ସେତିକି ନୁହେଁ, ଖଣ୍ଡଗିରି ସମ୍ବନ୍ଧରେ ଆଗନ୍ତୁକ ପର୍ଯ୍ୟଟକଙ୍କୁ ଅବଗତ କରାଇବା ପାଇଁ ଯେଉଁ ସୂଚନା ଫଳକଟି ଅଛି, ତାହା ଭାଙ୍ଗିରୁଜି ଯାଇଥିଲେ ବି ତାକୁ ସଜାଡ଼ିବା ପାଇଁ ଏଏସ୍‌ଆଇ ଉଦ୍ୟମ କରୁନାହିଁ।

ପ୍ରାଚୀନ ସ୍ମାରକ ତଥା ପ୍ରତ୍ନତାତ୍ତ୍ବିକ ସ୍ଥାନ ଓ ଅବଶେଷ ଅଧିନିୟମ ୧୯୫୮ ଧାରା ୨୪ ଅନୁଯାୟୀ, ଖଣ୍ଡଗିରିକୁ ରାଷ୍ଟ୍ରୀୟ ମହତ୍ତ୍ବ ହିସାବରେ ଘୋଷଣା କରାଯାଇଛି। ନିୟମ ମୁତାବକ କୌଣସି ବ୍ୟକ୍ତି ଏହି ସ୍ମାରକକୁ ନଷ୍ଟ କଲେ, ହାନି ପହଞ୍ଚାଇଲେ, ବଦଳାଇଲେ ଅବା ବିକୃତ କଲେ, ତାକୁ ୩ମାସ କିମ୍ବା ତଦୂର୍ଧ୍ବ କାରାଦଣ୍ଡ ପାଇଁ ଆଇନ ଅଛି। ଆବଶ୍ୟକସ୍ଥଳେ ୫ହଜାର ଟଙ୍କା ଅର୍ଥ ଦଣ୍ଡ ଅବା ଉଭୟ ଦଣ୍ଡ ଭୋଗିବାର ବି ନିୟମ ଅଛି। ହେଲେ କେବଳ ସୂଚନା ଫଳକରେ ଏସବୁ ଲେଖି ଦେଇ ବସି ଯାଇଛି ଏଏସ୍ଆଇ। ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, ଖଣ୍ଡଗିରି ଐତିହ୍ୟ କୀର୍ତିରାଜିର ସୁରକ୍ଷା ଦାୟିତ୍ବ ଏଏସ୍‌ଆଇର। ସାମ୍ନାରେ ଥିବା ଉଦୟଗିରି ପ୍ରତି ଯଦି ଏଏସ୍‌ଆଇ ଏତେ ଯତ୍ନବାନ, ତେବେ ଖଣ୍ଡଗିରିକୁ ଏପରି ଖୋଲାମେଲା ଛାଡ଼ିଦେବାର କାରଣ କ’ଣ। ବାସ୍ତବ କଥା ‌ଏୟା ଯେ ଉଦୟଗିରିକୁ ଲୋକେ ଟିକେଟ୍‌ କରି ଯାଉଥିବାରୁ ଏହାର ଉଚିତ ପରିଚାଳନା କରାଯାଉଛି। ହେଲେ ଖଣ୍ଡଗିରିରୁ ଟଙ୍କାଟିଏ ରୋଜଗାର ନ ଥିବାରୁ ତା’ର ଯତ୍ନ ନେବାକୁ ଏଏସ୍ଆଇ ଇଚ୍ଛା କରୁନାହିଁ। ଏଏସ୍ଆଇର ଏଭଳି ବୈମାତୃକ ମନୋଭାବକୁ ଐତିହାସିକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି।

ଏଣେ ଖଣ୍ଡଗିରିକୁ ଆକର୍ଷଣୀୟ କରିବାକୁ ଏହା ମଧ୍ୟରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ସୋ’ କରିବେ ବୋଲି ସରକାର ୨୦୧୪ରୁ ସ୍ବପ୍ନ ଦେଖେଇ ଆସୁଛନ୍ତି। କିନ୍ତୁ ତାହା ଦିବାସ୍ବପ୍ନ ଭଳି ରହିଯାଇଛି। ସମାନ ସମୟରେ ଧଉଳି ଓ କୋଣାର୍କରେ ଲାଇଟ୍‌ ସାଉଣ୍ଡ ସୋ’ର ପରିକଳ୍ପନା କରାଯାଇ ଚାଲୁ ହୋଇଥିଲେ ମଧ୍ୟ ଖଣ୍ଡଗିରି ପାଇଁ ଏହା ଧୂଆଁବାଣ ସାବ୍ୟସ୍ତ ହୋଇଛି। ସେହିପରି ଖଣ୍ଡଗିରି-ଉଦୟଗିରି ଯମଜ ପାହାଡ଼ ନିକଟରେ ଭିତ୍ତିଭୂମି ମଜଭୁତ କରିବା ପାଇଁ ଗତବର୍ଷ ଘୋଷଣା ହୋଇଥିଲା। ପ୍ରତିଦିନ ୩ରୁ ୪ହଜାର ପର୍ଯ୍ୟଟକଙ୍କ ଆଗମନ ହେଉଥିବା ଦୃଷ୍ଟିରୁ ‌ଏଠାରେ କ୍ୟାଫେଟେରିଆ, ସୁବ୍ୟବସ୍ଥିତ ପାର୍କିଂ, ପାନୀୟ ଜଳର ସୁବିଧା ଓ ଟିକେଟ୍‌ କାଉଣ୍ଟରର ନବକେଳେବର ହେବ ବୋଲି କୁହାଯାଇଥିଲା। ତାହା ବି ହୋଇପାରିନାହିଁ। ଏଏସ୍‌ଆଇ ତୁରନ୍ତ ଖଣ୍ଡଗିରି ପ୍ରତି ଦୃଷ୍ଟି ଦେବାକୁ ଐତିହାସିକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର