ସସ୍ମିତା ସାହୁ

ଭୁବନେଶ୍ବର: କାଳିଆ ଆମର ନିମକାଠ ଗଢ଼ା ଦିଅଁ। ହେଲେ ପାଷାଣରେ ତିଆରି ଶ୍ରୀଜଗନ୍ନାଥ! ଭାବିଲେ ଟିକେ ଆଶ୍ଚର୍ଯ୍ୟ ଲାଗେନା! ପୁଣି ଜଗା ନିଜ ଭାଇଭଉଣୀଙ୍କ ବିନା ଏକା! ଏ କି କଥା! ଭକତରଙ୍କୁଣା କାଳିଆ ଦିଅଁ ପୁଣି ମନ୍ଦିର ଭିତରୁ ବାହାରନ୍ତି ନାହିଁ? ମାଉସୀ ମା’ ଘରକୁ ଯାଇ ପୋଡ଼ପିଠା ଖାଆନ୍ତି ନାହିଁ। ଭକ୍ତଙ୍କୁ ଦେଖିବାକୁ ରଥାରୂଢ଼ ହୁଅନ୍ତି ନାହିଁ? ଏ କେମିତିକା ମନ୍ଦିର? ଆସନ୍ତୁ ଜାଣିବା ପାହାଳସ୍ଥିତ ଶ୍ରୀ ଓଁକାର ଜଗନ୍ନାଥ ମନ୍ଦିର ପଛର ରୋଚକ କାହାଣୀ। 

Advertisment

ମନ୍ଦିରର ମୁଖ୍ୟ ପୂଜକ ଧୀରେନ୍ଦ୍ର କୁମାର ପାଢ଼ୀ କହିଛନ୍ତି, ୩୫ ବର୍ଷ ତଳର କଥା। ବାଲେଶ୍ବର କୁପାରୀସ୍ଥିତ ଅମ୍ବିକା ମନ୍ଦିରରେ ବାସ କରୁଥିବା ଉଦାସୀନ ଓଁକାର ମୁନି ମହାରାଜଙ୍କୁ ଜଗନ୍ନାଥଙ୍କ ସ୍ବପ୍ନାଦେଶ‌ ହୋଇଥିଲା। ପୁରୀଠାରୁ ପାଖାପାଖି ୭୦ କିମି ଦୂରରେ କଟକ ଯିବା ରାସ୍ତାରେ ଜଗନ୍ନାଥଙ୍କର ଏକ ପାଷାଣ ମୂର୍ତ୍ତି ପ୍ରତିଷ୍ଠା କରିବାକୁ ମହାପ୍ରଭୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଓଁକାର ମୁନି ମହାରାଜ ଆସି ପାହାଳଠାରେ ଜାଗା ଚିହ୍ନଟ କରିଥିଲେ। ସେଠାରେ ଏକ ଚାଳଘର କରି ଜଗନ୍ନାଥଙ୍କର ଛୋଟ ମୂର୍ତ୍ତିଟିଏ ସ୍ଥାପନ କରିଥିଲେ। ୫ ବର୍ଷ ଧରି ଶଗଡ଼ ଚକ ଚାରିପାଖେ ଅଗ୍ନି ସଂଯୋଗ କରି ଅଗ୍ନିତପସ୍ୟା କରିଥିଲେ। ଏହା ପରେ ପାହାଳ ନିକଟସ୍ଥ ବଙ୍ଗୁଆରି ଗାଁର ଚନ୍ଦ୍ରଶେଖର ପତିଙ୍କଠାରୁ ୧୭ ଗୁଣ୍ଠ ଜାଗା କିଣିଥିଲେ। ପରେ ଅନ୍ୟମାନଙ୍କ ଅନୁଦାନ ଟଙ୍କାରେ ବିଭିନ୍ନ ସମୟରେ ଆଉ ୧୮ ଗୁଣ୍ଠ ଜାଗା କିଣାଯାଇଥିଲା। 

ବିଭିନ୍ନ ଲୋକଙ୍କଠାରୁ ଦାନ ରାଶି ସଂଗୃହୀତ ହୋଇ ୨୦୦୦ ମସିହା ଏପ୍ରିଲ ୯ରେ ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା। ମନ୍ଦିରକୁ ମୁମ୍ବାଇର ଇଞ୍ଜିନିୟରମାନେ ଏଭଳି ଭାବେ ଡିଜାଇନ୍‌ କରିଛନ୍ତି ଯେ ୪୦୦ କିମି ବେଗରେ  ପବନ ବହିଲେ ବି ମନ୍ଦିରର କିଛି କ୍ଷତି ହେବ ନାହିଁ। ଆସିକାର କାରିଗର ସାଗର ମହାରଣା ଏହି ମନ୍ଦିର ନିର୍ମାଣର ପ୍ରମୁଖ ବିଶ୍ବକର୍ମା ସାଜିଥିଲେ। ୫ ବର୍ଷ ପରେ ୨୦୦୫ ମସିହା ଫେବୃଆରି ୧୪ ତାରିଖ ବସନ୍ତ ପଞ୍ଚମୀ ଅବସରରେ ମନ୍ଦିରର ପ୍ରାଣପ୍ରତିଷ୍ଠା ହୋଇଥିଲା। କଟକର ଚାନ୍ଦ ବେସନ କମ୍ପାନିର ସ୍ବତ୍ବାଧିକାରୀ ରୋହିତ ଗାନ୍ଧୀ, ହରିଶ୍ଚନ୍ଦ୍ର ଗୁପ୍ତା ପ୍ରମୁଖ ବହୁ ଲୋକ ମନ୍ଦିର ନିର୍ମାଣ ପାଇଁ ଦାନ ଦେଇଥିଲେ। ମନ୍ଦିରର ସବୁଠାରୁ ବଡ଼ ସ୍ବାତନ୍ତ୍ର୍ୟ ହେଉଛି ମନ୍ଦିରରେ ଉଭୟ ଓଁକାର ଓ ଜଗନ୍ନାଥଙ୍କ ମୂର୍ତ୍ତି କେବଳ ଗୋଟିଏ ହିଁ କଳା ମୁଗୁନି ପଥରରେ ନିର୍ମିତ ହୋଇଛି। ଏହି ୫ଫୁଟି ମୂର୍ତ୍ତିରେ କୌଣସି ଯୋଡ଼ନାହିଁ। ଓଁକାର ସହ ଜଗନ୍ନାଥଙ୍କ ହାତ ଓ ବିଭିନ୍ନ ଶ୍ରୀଅଙ୍ଗ ସହ ପଦ୍ମ ସିଂହାସନକୁ ରୁପାରେ ଛାଉଣି କରାଯାଇଛି। 
ମହାପ୍ରଭୁ ଏଠାରେ ପାଷାଣ ମୂର୍ତ୍ତିରେ ରହିଥିବାରୁ ଏଠାରେ ସେ ସ୍ବୟଂସମ୍ପୂର୍ଣ୍ଣ। ବଡ଼ଭାଇ ବଳଭଦ୍ର ଓ ମା’ ସୁଭଦ୍ରା ମହାପ୍ରଭୁଙ୍କ ଭିତରେ ହିଁ ସମାହିତ। ପାଷାଣ ମୂର୍ତ୍ତି ହୋଇଥିବାରୁ ମହାପ୍ରଭୁଙ୍କୁ ମନ୍ଦିର ଭିତରୁ ବାହାରକୁ କଢ଼ାଯାଏନାହିଁ। ଏଣୁ ଘୋଷଯାତ୍ରା ହୁଏନାହିଁ। କିନ୍ତୁ ଏଠାରେ ମହାପ୍ରଭୁଙ୍କୁ ଗୋଟିଏ ଥର ଅବଢ଼ା ଭୋଗ ଲାଗିହୁଏ। ସକାଳ ବାଳଭୋଗରେ ଉପମା ଓ ଡାଲି ଲାଗି ହେଉଥିବା ବେଳେ ସଂଧ୍ୟାରେ ପିଠା, ଖିରୀ, ଡାଲ୍‌ମା, ପରଟା, ମିଠା ଆଦି ଭିନ୍ନ ଭିନ୍ନ ରୋଚକ ଖାଦ୍ୟ ଅର୍ପଣ କରାଯାଇଥାଏ।