ଏମିତି ପାଳନ ହେଉଛି କୋଭିଡ୍‌ କଟକଣା: ଠେଲାପେଲାରେ ଯୁକ୍ତ୨ ନାମଲେଖା

ସାମାଜିକ ଦୂରତା ରହୁନି, ମାସ୍କ ପିନ୍ଧୁ ନାହାନ୍ତି

ଭୁବନେଶ୍ବର: ଏବେ କି କରୋନା ସଂକ୍ରମଣ ଜାରି ରହିଛି। ପ୍ରତିଦିନ ରାଜ୍ୟରୁ ୫୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତାହାକୁ ନଜରରେ ରଖି ପାଠପଢ଼ାଠାରୁ ପରୀକ୍ଷା, ନାମଲେଖା ବେଳେ କୋଭିଡ୍‌ କଟକଣା ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ନିୟମର ଯେପରି ଉଲ୍ଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ତା’ପରେ ବି ଯୁକ୍ତ୨ ନା‌ମଲେଖା ସମୟରେ ଆଦୌ କଟକଣା ପାଳନ ହେଉ ନାହିଁ। ଛାତ୍ରଛାତ୍ରୀଙ୍କ ପ୍ରତି ଅଧିକ ଭୟ ରହିଥିଲେ ମଧ୍ୟ ଅଭିଭାବକ କି ଛାତ୍ରଛାତ୍ରୀ କେହି ତାହାକୁ ମାନୁନାହାନ୍ତି। ଖୋଲାଖୋଲି ଭାବେ କଟକଣାକୁ ଭୁଲି ଯାଉଛନ୍ତି। ସାମାଜିକ ଦୂରତ୍ବ ରହୁନି। ସମସ୍ତେ ମାସ୍କ ପରିଧାନ କରୁନାହାନ୍ତି।

ଏମିତିକି ପ୍ରତି ଘଣ୍ଟାରେ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ଡାକି ନାମଲେଖା କରାଇବାକୁ ଉଚ୍ଚ ମାଧ୍ୟମିକ ନିର୍ଦେଶାଳୟ ପକ୍ଷରୁ ନିର୍ଦେଶ ରହିଥିଲେ ମଧ୍ୟ ତାହାକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳିଛି। ଏଭଳି ଉଲ୍ଲଂଘନ ଆଉ କେଉଁଠି ନୁହେଁ; ରାଜଧାନୀରେ ଥିବା ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବି ଘଟୁଛି। କୋଭିଡ୍‌ କଟକଣାକୁ ହେୟଜ୍ଞାନ କରି ଏକା ସଙ୍ଗ‌ରେ ଶତାଧିକ ଛାତ୍ରୀଙ୍କୁ ନାମ ଲେଖାଇବା ପାଇଁ ଡକାଯାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରୀଙ୍କ ନାମଲେଖା ଗୋଟିଏ ରୁମ୍‌ରେ ହେଊଛି। ଏଭଳି ଭିଡ଼ ହେଉଥିବା ନେଇ ଅଭିଭାବକ ଓ ଛାତ୍ରୀମାନେ କଲେଜ କର୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି।
ଏଭଳି ଅଭିଯୋଗ ନେଇ କଲେଜ ଅଧ୍ୟକ୍ଷା ମମତା ପତ୍ରୀ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯାଇଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରୀଙ୍କ ନାମଲେଖା ହେଉଥିବାରୁ ଅଭିଭାବକମାନେ ଅହେତୁକ ଭିଡ଼ କରୁଛନ୍ତି। ତଥାପି ପିଲାଙ୍କ ସୁରକ୍ଷାକୁ ନଜରରେ ରଖି ଆମେ ନିୟନ୍ତ୍ରଣ କରୁଛୁ।

ନାମଲେଖା ସମୟରେ ଯେପରି କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ; ସେନେଇ ଗତ ୮ ତାରିଖରେ ନିର୍ଦେଶାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ପ୍ରକାଶ ପାଇଥିଲା। ଯେଉଁଥିରେ କୁହାଯାଇଥିଲା କି ପିଲାମାନେ କେଉଁ ସମୟରେ ନାମଲେଖା ପାଇଁ କ୍ୟାମ୍ପସକୁ ଆସିବେ, ସେନେଇ ଇଣ୍ଟିମେସନ୍‌ ଲେଟରରେ ଉଲ୍ଲେଖ ରହିବ। ନାମ ଲେଖାଇବାକୁ ଆସିବା ସମୟରେ ମାସ୍କ ପରିଧାନ, ଥର୍ମାଲ ସ୍କ୍ରିନିଂ, ବିଶୋଧନ ଓ ସାମାଜିକ ଦୂରତା ବଜାୟ ରଖିବେ। ପ୍ରତି ଛାତ୍ରଛାତ୍ରୀଙ୍କ ସହ ଜଣେ ଅଭିଭାବକ ଶିକ୍ଷାନୁଷ୍ଠାନ ଆସିପାରିବେ। ପ୍ରତି ଘଣ୍ଟାରେ ଅତିବେଶିରେ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଅନୁମତି ଦିଆଯିବ। ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ନାମଲେଖା ହେବ। ପୂର୍ବାହ୍ନ ୯ଟାରୁ ଅପରାହ୍‌ଣ ଗୋଟାଏ ଓ ଅପରାହ୍‌ଣ ଗୋଟାଏରୁ ୫ଟା ଯାଏ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା କରିବାକୁ କୁହାଯାଇଥିଲା। ମାତ୍ର ସେସବୁ ମା‌ର୍ଗଦର୍ଶିକା କେବଳ କାଗଜପତ୍ରରେ ରହିଯାଇଛି।

ସମ୍ବନ୍ଧିତ ଖବର