ଭୁବନେଶ୍ବର: ପାର୍ବଣର ବିଗୁଲ୍‌ ବାଜି ସାରିଛି। ଦେବକୀନନ୍ଦନଙ୍କ ଜନ୍ମତିଥି ପରେ ଧରାବତରଣ କରିବେ ପାର୍ବତୀନନ୍ଦନ ବିଘ୍ନବିନାଶକ। ଏଥିପାଇଁ କ୍ଲବ୍‌ଠୁ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ଜୋର୍‌ ଧରିଛି। ନିଜ ପୂଜା ମଣ୍ଡପକୁ ଅନ୍ୟଠାରୁ ଭିନ୍ନ କରିବାକୁ ଆରମ୍ଭ ହେଲାଣି ପ୍ରତିଯୋଗିତା। ବିଘ୍ନରାଜ ଗଣେଶଙ୍କ ପାରମ୍ପରିକ ମୂର୍ତ୍ତିକୁ ଅଲଗା ତଥା ସ୍ବତନ୍ତ୍ର ଢଙ୍ଗରେ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି ସରିଆସିଲାଣି। କିଏ ଉଚ୍ଚତା ଉପରେ ତ, କିଏ ସାଜସଜ୍ଜା ଓ ମୂର୍ତ୍ତି ଉପରେ ବେଶି ଧ୍ୟାନ ଦେଉଛି। ସବୁଠାରୁ ବଡ଼ କଥା ହେଉଛି ପୂଜା ମାଧ୍ୟମରେ ପ୍ରଦୂଷଣ ରୋକିବା ଓ ସଚେତନ ବାର୍ତ୍ତା ବାଣ୍ଟିବାକୁ ପୂଜା କମିଟିମାନେ ଚଳିତ ବର୍ଷ ଆଗେଇ ଆସିଛନ୍ତି।

ଚାରିରଙ୍ଗର ଉଖୁଡ଼ାରେ ନିର୍ମିତ ହେବେ ଗଣେଶ

Advertisment

ପ୍ରତିବର୍ଷ ପରିବେଶ ଅନୁକୂଳଭିତ୍ତିକ ପୂଜା ଆୟୋଜନ କରି ଖ୍ୟାତି ଅର୍ଜନ କରିଥିବା ବୁଦ୍ଧେଶ୍ବରୀ କଲୋନି ‘ମଙ୍ଗଳା ୟୁଥ୍‌ କ୍ଲବ୍‌’ ପକ୍ଷରୁ ଏଥର ସାଢ଼େ ୮ ଫୁଟ୍‌ ଉଚ୍ଚର ଉଖୁଡ଼ା ଗଣେଶ ମୂର୍ତ୍ତି ଆକର୍ଷଣର କେନ୍ଦ୍ର ହେବ। ଧଳା, କଳା, ନାଲି ଓ ହଳଦିଆ ଆଦି ୪ରଙ୍ଗର ଉଖୁଡ଼ାରେ ନିର୍ମିତ ହେବ ମୂର୍ତ୍ତି। ଏଥିପାଇଁ ୨୫କେଜିରୁ ଅଧିକ ଉଖୁଡ଼ା ବ୍ୟବହୃତ ହେବ। ପୂଜାର ପ୍ରଥମ ଦିନ ସ୍ଥାନୀୟ ଅଞ୍ଚଳର ସମସ୍ତଙ୍କ ଘରେ ଲଡ଼ୁ ବଣ୍ଟନ ହେବ। ପରଦିନ ୫୦୦୦ ଲୋକଙ୍କ ପାଇଁ ହରିହାଟ ଅନୁଷ୍ଠିତ ହେବ। ୩ ତାରିଖ ଭସାଣିରେ ପାରମ୍ପରିକ ଶିଙ୍ଗ ବାଜା ଓ ଢୋଲର ତାଳେତାଳେ ଠାକୁରଙ୍କୁ ବିଦାୟ ଦିଆଯିବ ବୋଲି କ୍ଲବ୍‌ର ସମ୍ପାଦକ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି। ପୂଜା ୮ ଦିନ ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର, ସ୍ବଚ୍ଛତା ପାଇଁ ଫିନାଇଲ୍‌, ଅଳିଆ ବ୍ୟାଗ୍‌ ଆଦି ବଣ୍ଟନ ହେବ। ପୁଣି ୫୦୦ଟି ଚାରା ବି ବଣ୍ଟନ କରାଯିବ। 

ୟୁନିଟ୍‌-୪ରେ ୧୦ ହଜାର ପ୍ଲାଷ୍ଟିକ ବୋତଲର ତୋରଣ 

‘ପ୍ୟାସନ୍‌ କ୍ଲବ’ ପକ୍ଷରୁ ୧୦ ହଜାର ପ୍ଲାଷ୍ଟିକ୍‌ ବୋତଲରେ ତିଆରି ହେବ ସୁଉଚ୍ଚ ତୋରଣ। ପ୍ଲାଷ୍ଟିକ୍‌ଜନିତ ପ୍ରଦୂଷଣ ଓ ଏହାର ପୁନଃବ୍ୟବହାର ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏଭଳି ତୋରଣ ପ୍ରସ୍ତୁତ ହେଉଛି। କୋଲକାତାର ୩୦ଜଣ ବଙ୍ଗୀୟ କାରିଗର ତୋରଣ ପ୍ରସ୍ତୁତ କରିବେ। ସେହିପରି ଗଜାନନଙ୍କର ୨୦ ଫୁଟ୍‌ ଉଚ୍ଚର ମୂର୍ତ୍ତି ନିର୍ମାଣ କରୁଛନ୍ତି ବିକେ ଆର୍ଟ କଲେଜର ଛାତ୍ରଛାତ୍ରୀ। ପୂଜାରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବୃକ୍ଷରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯିବ। ୨ ତାରିଖ ଦିନ ପ୍ରାୟ ୨ ହଜାର ଲୋକଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଛି ବୋଲି ସଭାପତି ଅଶୋକ କୁମାର ପଲ୍ଲାଇ, ଜଗନ୍ନାଥ ସଂସ୍କୃତି ପ୍ରଚାରକ ନାରାୟଣ ମହାପାତ୍ର, ଯୁବ ନେତା ନରେନ ସାହୁ, ଉପଦେଷ୍ଟା ମନୋଜ ରାଉଳ, ଉପସଭାପତି ପ୍ରଶାନ୍ତ ବଡ଼ୁ, ସମ୍ପାଦକ ସୁବାସ ବେହେରା, ସହ ସମ୍ପାଦକ କେଦାର ମହାରଣା ଓ କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି। 

ଗଜରଥରେ ବିରାଜିବେ ୪୬ ଫୁଟ୍‌ର ଗଜାନନ

ସହିଦନଗର ୱିନର୍ସ ଆସୋସିଏସନ୍‌ ପକ୍ଷରୁ ହେଉଥିବା ପୂଜାରେ ଗଜାନନ ବିରାଜିବେ ଗଜରଥରେ। ୪୬ ଫୁଟ୍‌ର ଗଣେଶ ମୂର୍ତ୍ତି ୮୦ କେଜିର ଲଡ଼ୁ ସହ ଶୋଭାପାଇବେ। କୋଲକାତାର ୧୪ଜଣ କୁଶଳୀ କାରିଗର ମୂର୍ତ୍ତି ଗଢ଼ିବାରେ ଲାଗିଛନ୍ତି। ପରିବେଶକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯିବ ବୋଲି ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସଂଧ୍ୟାରେ ପୂଜା ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପୂଜା ମଣ୍ଡପ ଉତ୍ସବ ମୁଖର ହେବ। ଶତାଧିକ ସ୍ୱେଚ୍ଛାସେବୀ ନିୟୋଜିତ ହେବେ ଓ ୨୪ଟି ସିସିଟିଭି ଲଗାଯିବ। ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବରେ ପ୍ରତିଦିନ ଭଜନ ସମାରୋହ, ଛୋଟ ପିଲାଙ୍କ ନୃତ୍ୟ ସମେତ ଶେଷ ଦୁଇଦିନ ପ୍ରସାଦସେବନ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଭି ସନ୍ତୋଷ କୁମାର ରାଓ ସୂଚନା ଦେଇଛନ୍ତି।