ଭୁବନେଶ୍ୱର: ଚଳିତ ବର୍ଷ ଝାରପଡ଼ାରେ ଦୁଇଟି ଭିନ୍ନ ସ୍ଥାନରେ ଦୁର୍ଗାପୂଜା ହେବ।  ଗୋଟିଏ ଗୋଷ୍ଠୀ ଝାରପଡ଼ା ମେଳଣ ପଡ଼ିଆରେ ପୂଜା ପାଇଁ ମାଟି ଅନୁକୂଳ ପରେ ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ଖୁବ୍ ଶୀଘ୍ର ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଆବାହକ ଶ୍ରୀଧର ଜେନା, ସମ୍ପାଦକ ଧରଣୀଧର ଜେନା, ସଭାପତି ଶିଖର ଚନ୍ଦ୍ର ଜେନା, ସହ ସମ୍ପାଦକ ଅରୁଣା କୁମାର ଜେନା ପ୍ରମୁଖ କହିଛନ୍ତି ଯେ  ଖୁବ ଶୀଘ୍ର ସମିତି ମାଟି ଅନୁକୂଳର ତାରିଖ ଓ ଦୁର୍ଗାପୂଜା ସ୍ଥାନ ଘୋଷଣା କରାଯିବ।। ଏଥିରେ ଡିସିପି ଭୁବନେଶ୍ୱର କୋର୍ଟଙ୍କ ନୂତନ ଗଠିତ ଗୋଷ୍ଠୀକୁ ‘ଝାରପଡ଼ା ୱେଲଫେୟାର ଆସୋସିଏସନ’ ଲେଖିବାକୁ ନିର୍ଦ୍ଦେଶ ସତ୍ତ୍ୱେ ସେମାନେ ‘ଝାରପଡ଼ା ଦୁର୍ଗାପୂଜା ସମିତି’ର ବ୍ୟାନରକୁ ଅପବ୍ୟବହାର କରି ଚାଲିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେମାନେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେବା ସହ ଡିସିପି, ପୁଲିସ କମିସନର, ଡିଜି ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ  ଅବଗତ କରିଛନ୍ତି ବୋଲି କହିଥିଲେ।

Advertisment

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ ଗତ ଜୁନ୍‌ ୨୩ ତାରିଖରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ସମିତିର ସଭାପତି ଓ ସମ୍ପାଦକଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶନାମା ଆସିଥିଲା। ସେଠାରେ ହାଜର ହେବା ପରେ ସମିତିର ଅର୍ଥ ଅନିୟମିତତା ଓ ନିର୍ବାଚନରେ ଟାମ୍ପରିଂ ‌ହୋଇଥିବା ନେଇ ଅଭିଯୋଗ ,ହୋଇଥିବା ସେମାନେ ଜାଣିବାକୁ ପାଇଥିଲେ। ଜୁଲାଇ ୧୯ ତାରିଖରେ ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସବିଶେଷ  ଅଭିଯୋଗ ବିବରଣୀ ପାଇବା ପରେ  ସେମାନେ ଗତ ଜୁଲାଇ ୨୨ ତାରିଖରେ ଅତିରିକ୍ତ ଜିଲ୍ଲାପାଳଙ୍କ ପତ୍ରର ଉତ୍ତର ଦେଇଥିଲେ। ଅଗଷ୍ଟ ୧୨ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ଆର୍ଥିକ ଓ ନିର୍ବାଚନ ଅନିୟମିତତାକୁ ଖାରଜ କରିବା ସହିତ ସଦସ୍ୟତା ବାବଦରେ ଆଲୋଚନା କରିବା ପାଇଁ ପୂଜା ସମିତିର କାର୍ଯ୍ୟକାରିଣୀ ବୈଠକକୁ ପରାମର୍ଶ ଦେଇଥିଲେ। ଏପରିକି ସମିତିର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଥିଲେ।

ହେଲେ ଲକ୍ଷ୍ମୀସାଗର ଥାନା ଅଧିକାରୀ ଗତ ୧୯ ତାରିଖରେ ବିଏନ୍‌ଏସ୍‌ ୧୬୩ ଧାରା ଲଗାଇ ପୂଜା ସମିତି ସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ। ଏହା ‌ବିରୋଧରେ ସମିତି ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚନ୍ୟାୟାଳୟ ଅତିରିକ୍ତ ଡିସିପି ଭୁବନେଶ୍ୱରଙ୍କୁ ସମାଧାନ ସହିତ ଫାଇନାଲ ଅର୍ଡର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଅତିରିକ୍ତ ଡିସିପି ଗତ ୨୭ ତାରିଖରେ ଉଭୟ ପକ୍ଷ ଓ ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଲକ୍ଷ୍ମୀସାଗର ଥାନା ଅଧିକାରୀ ଯେଉଁମାନେ କେବେ ସମିତିର ସଭ୍ୟ ନଥିଲେ ସେମାନଙ୍କୁ ପ୍ରତିଷ୍ଠାତା ସଦସ୍ୟ ଭାବେ ଦର୍ଶାଇ ଆଡିସିନାଲ ଡିସିପି କୋର୍ଟରେ ଉପସ୍ଥାପନା କରିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅତିରିକ୍ତ  ଡିସିପି ସମସ୍ତ ତଥ୍ୟକୁ ତର୍ଜମା କରି ଝାରପଡ଼ା ଦୁର୍ଗାପୂଜା ସମିତି ଓ ଝାରପଡ଼ା ୱେଲଫେୟାର୍‌ ଆସୋସଏସନ୍‌ ନିର୍ଦ୍ଧାରିତ ସ୍ଥାନ ପରିବର୍ତ୍ତେ ଭିନ୍ନ ସ୍ଥାନରେ ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।