ସର୍ବକ୍ଷମା ଏଥର ମହଙ୍ଗା!

ଭୁବନେଶ୍ୱର,୨୭/୨(ଇମିସ):ରାଜ୍ୟର ବିଭିନ୍ନ ସହରାଞ୍ଚଳ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଆବାସିକ ଘର, ଆପାର୍ଟମେଣ୍ଟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ, ବିଭିନ୍ନ ପ୍ରକଳ୍ପ ଆଦିକୁ ରେଗୁଲାରାଇଜ୍‌ କରାଯିବ। ଯେତିକି ନିୟମ ଅଛି ତାହା ଠାରୁ ଅଧିକ ନିର୍ମାଣ କରିଥିଲେ ବି ଏହାକୁ ଭଙ୍ଗାଯିବନି। କେବଳ କିଛି ଜରିମାନା ଦେଇଦେଲେ ବେଆଇନ୍‌ ଘର ରେଗୁଲାରାଇଜ୍‌ ହୋଇଯିବ। ଏଥିପାଇଁ ନଗର ଉନ୍ନୟନ ବିଭାଗ ସର୍ବକ୍ଷମା ଯୋଜନା ଆଣିବାକୁ ଯାଉଛି। ଏଥିପାଇଁ ବସିଥିବା ପ୍ରସ୍ତୁତି କମିଟି ରିପୋର୍ଟ ପ୍ରଦାନ କରିଥିବାବେଳେ ବିଡିଏ ଉପାଧ୍ୟକ୍ଷଙ୍କ ଅଧୀନରେ ଗଠନ ହୋଇଥିବା ସ୍କ୍ରୁଟିନି କମିଟି ବର୍ଗଫୁଟ ପିଛା କେତେ ଟଙ୍କା ଜରିମାନା ଆଦାୟ ହେବ ସେନେଇ ନିଷ୍ପତ୍ତି ନେବ। ଏହି ନିଷ୍ପତ୍ତି ଉପରେ ଚୂଡ଼ାନ୍ତ ମୋହର ମାରିବା ପାଇଁ ଆସନ୍ତା ୧୭ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷରେ ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସର୍ବକ୍ଷମା ନେଇ ବର୍ଗଫୁଟ ପିଛା ଯେଉଁ ଜରିମାନା ଏବେ ଧାର୍ଯ୍ୟ ହୋଇଛି ତାହା ୨୦୦୭ ମସିହାରେ ସର୍ବକ୍ଷମା ସମୟରେ ଲାଗୁ ହୋଇଥିବା ଜରିମାନା ଠାରୁ ପ୍ରାୟ ୩ ଗୁଣା ହେବ। ମୋଟାମୋଟି ଭାବେ ଏଥରର ସର୍ବକ୍ଷମା ମହଙ୍ଗା ହେବାକୁ ଯାଉଛି।

ଗତଥର ଠାରୁ ଅଧିକ ୩ଗୁଣା ଜରିମାନା ଆଦାୟ ହୋଇପାରେ

୧୭ରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଅଧିକ ଜରିମାନା ପାଇଁ ୨୦୦୭ରେ ଫେଲ୍‌ ମାରିଥିଲା ସର୍ବକ୍ଷମା

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥରର ସର୍ବକ୍ଷମା ଯୋଜନାରେ ତିନି ପ୍ରକାରର ନିର୍ମାଣକୁ ରେଗୁଲାରାଇଜ୍‌ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ଏଥିରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଯେଉଁ ଅଞ୍ଚଳରେ ପ୍ଲାନ୍‌ ଦିଆଯାଉଛି ସେହି ଅଞ୍ଚଳରେ ହୋଇଥିବା ବେଆଇନ୍‌ ନିର୍ମାଣକୁ ସାମିଲ୍‌ କରାଯିବ। ଯେଉଁମାନେ ବିନା ପ୍ଲାନ୍‌ରେ ଘର ନିର୍ମାଣ କରିଛନ୍ତି, ଯେଉଁମାନେ ଅନୁମୋଦିତ ପ୍ଲାନ୍‌ ଠାରୁ ଅଧିକ ନିର୍ମାଣ କରିଛନ୍ତି ଏବଂ ଆବାସିକ ପ୍ରକଳ୍ପ ପ୍ଲାନ୍‌ରେ ଘର ନିର୍ମାଣ କରି ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ସେମାନଙ୍କୁ ସର୍ବକ୍ଷମାରେ ସାମିଲ୍‌ କରାଯିବ। ଏହା ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଲାଗୁ ହେବ। ସର୍ବକ୍ଷମା ଯୋଜନା ବେଆଇନ ନିର୍ମାଣକୁ ଆଇନସମତଃ କରିବାକୁ ହୋଇଥିଲେ ସରକାର ଏହାର ଫାଇଦା ଉଠାଇ ମୋଟା ଅଙ୍କର ରାଜସ୍ୱ ଆଦାୟ କରିବାକୁ ଯୋଜନା କରିଛନ୍ତି। ଫଳରେ ଆସନ୍ତା ସର୍ବକ୍ଷମା ଯୋଜନା ସଫଳ ହେବା ନେଇ ଏବେଠୁ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ନଗର ଉନ୍ନୟନ ବିଭାଗର ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁମାନେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିୟମ ଅନୁଯାୟୀ ଘର ନିର୍ମାଣ କରିନାହାନ୍ତି ତାହା ଭାଙ୍ଗିବାକୁ ନିୟମ ଅଛି। କିନ୍ତୁ ସରକାର ସର୍ବକ୍ଷମା ଯୋଜନାରେ ବେଆଇନ ନିର୍ମାଣକୁ ମାଫ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମର ହିସାବ ଅନୁଯାୟୀ ଯେତିକି ବର୍ଗଫୁଟ ଛାଡ଼ିବା କଥା ସେତିକି ଯଦି ହିସାବକୁ ନିଆଯାଏ ତେବେ ବେଆଇନ ନିର୍ମାଣ କରିଥିବା ଲୋକ ବହୁ ମୂଲ୍ୟର ଜମି ହରାଇବେ। ଏହାବାଦ୍‌ ଯଦି ଏଥିରେ କିଛି ନିର୍ମାଣ ହୋଇଥାଏ ତାହାକୁ ଭାଙ୍ଗିଲେ ନିର୍ମାଣକାରୀ ବହୁ କ୍ଷତି ସହିବେ। ଜମି ଓ ନିର୍ମାଣ ଖର୍ଚ୍ଚ ବଞ୍ଚାଇବାକୁ ହେଲେ ସରକାରଙ୍କୁ ସେହି ଅନୁଯାୟୀ ଜରିମାନା ଦେବାକୁ ହେବ। ତେଣୁ ଗତ ଥର ଅପେକ୍ଷା ଏଥର ସର୍ବକ୍ଷମା ଜରିମାନା ନିହାତି ଭାବେ ବଢ଼ିବ। କେତେ ବଢ଼ିବ ଖୁବ୍‌ ଶୀଘ୍ର ଚୂଡ଼ାନ୍ତ ହେବ।

ସୂଚନାଯୋଗ୍ୟ ଯେ, ୨୦୦୭ରେ ପ୍ରଥମ ସର୍ବକ୍ଷମା ଯୋଜନା ଆସିଥିଲା। ଏହା ବିଡିଏ ଓ ସିଡିଏ ଅଞ୍ଚଳରେ ଲାଗୁ ହୋଇଥିଲା। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହା ଅଣାଯାଇଥିଲା ତାହା ସଫଳ ହେଲାନି। ବିଡିଏରେ ପ୍ରାୟ ୪ହଜାର ଜଣ ଆବେଦନ କରିଥିବାବେଳେ ଏଥିରୁ ବିଡିଏ ପ୍ରାୟ ୧୮କୋଟି ରାଜସ୍ୱ ପାଇଥିଲା। ସେତେବେଳେ ସର୍ବକ୍ଷମା ଯୋଜନା ଉଦ୍ଦେଶ୍ୟ ସାଧିତ ହେଲାନି ବୋଲି ବିଡିଏ ପକ୍ଷରୁ କୁହାଯାଇଥିଲା। ୨୦୦୭ ମସିହାରେ କେବଳ ଅନୁମୋଦିତ ପ୍ଲାନ୍‌ ଓ ବିନା ପ୍ଲାନ୍‌ ଘର ନିର୍ମାଣକୁ ସର୍ବକ୍ଷମାରେ ସାମିଲ୍‌ କରାଯାଇଥିଲା। ତାହା ପୁଣି ବହୁ ସର୍ତ୍ତ ରଖି। ସେତେବେଳେ ଯିଏ ପାଇଥିବା ପ୍ଲାନ୍‌ ଠାରୁ ଅଧିକ ନିର୍ମାଣ କରିଥିଲେ ସେମାନଙ୍କ ଠାରୁ ବର୍ଗଫୁଟ ପିଛା ୩୫ଟଙ୍କା, ଆପାର୍ଟମେଣ୍ଟ, ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଘରୁ ବର୍ଗଫୁଟ ପିଛା ୧୦୦ଟଙ୍କା ଆଦାୟ ହୋଇଥିଲା। ଯେଉଁଗୁଡ଼ିକ ବିନା ପ୍ଲାନରେ ନିର୍ମାଣ ହୋଇଥିଲା ସେଥିରୁ ଯଥାକ୍ରମେ ୫୦ ଓ ୨୦୦ଟଙ୍କା ଆଦାୟ ହୋଇଥିଲା। ଫଳରେ ଏତେ ଟଙ୍କା ଦେଇ ଲୋକ ରେଗୁଲାରାଇଜ୍‌ କରିବାକୁ ପସନ୍ଦ କରିନଥିଲେ। ଏବେ ଏହା ପ୍ରାୟ ୩ଗୁଣା ହେଲେ ପାଇଥିବା ପ୍ଲାନ୍‌ ଠାରୁ ଅଧିକ ନିର୍ମାଣ କରିଥିଲେ ସେମାନଙ୍କ ଠାରୁ ବର୍ଗଫୁଟ ପିଛା ପ୍ରାୟ ୧୦୦ଟଙ୍କା, ଆପାର୍ଟମେଣ୍ଟ, ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଘରୁ ବର୍ଗଫୁଟ ପିଛା ୩୦୦ଟଙ୍କା, ଆଦାୟ ହୋଇଥିଲା। ଯେଉଁଗୁଡ଼ିକ ବିନା ପ୍ଲାନରେ ନିର୍ମାଣ ହୋଇଥିବ ସଥିରୁ ଯଥାକ୍ରମେ ୧୫୦ ଓ ୬୦୦ଟଙ୍କା ଯଥାକ୍ରମେ ଆଦାୟ ହୋଇପାରେ। ୧୧ବର୍ଷ ତଳେ ସରକାର ସର୍ବକ୍ଷମା ଯୋଜନା ଆଣି ଫେଲ୍‌ ମାରିଥିଲେ ହେଁ ଏଥିରୁ କିଛି ଶିଖନିଥିବା ମନେ ହେଲାଣି।

ସମ୍ବନ୍ଧିତ ଖବର