ଜଟଣୀ: ଚଳିତବର୍ଷ ବାତ୍ୟା ସହ ବର୍ଷା ଦୀପାବଳି ବାଣଫୁଟା ମଜାକୁ ଧୋଇଦେବାର ଆଶଙ୍କା ଉପୁଜିଥିଲା। କିନ୍ତୁ ଶେଷକୁ ପାଗ ଅନୁକୂଳ ହେଲା। ତେଣୁ ଲୋକେ କିଛି ମାନିଲେନି, ପ୍ରଶାସନର ମାର୍ଗଦର୍ଶିକା ଓ ଆଇନକୁ ଖାତିର କଲେନି। ରାଜଧାନୀ ଓ ଉପକଣ୍ଠରେ ଫୁଟିଲା ବିପୁଳ ବାଣ। ଦିନେ ନୁହେଁ, ଦୀପାବଳି ତିଥି ଦ୍ୱନ୍ଦ୍ବର ସୁଯୋଗ ନେଇ ଲୋକେ ଦୁଇଦିନ ଧରି ବାଣ ଫୁଟାଇଲେ। ପ୍ରଥମେ ବାଣ ଦର ଯାହା ଥିଲା, ଏଥର ପାଖାପାଖି ଦୁଇଗୁଣ ଦରରେ ବିକ୍ରି ହେଲା। ତଥାପି ଲୋକେ ଦୋକାନ ଖାଲି କରିଦେଲେ। ତେଣୁ ବାତ୍ୟା ଖବର ଆସିବାପରେ ଦୀପାବଳି ପୂର୍ବରୁ ମୁଣ୍ଡରେ ହାତ ଦେଇ ବସିଥିବା ବାଣ ବେପାରୀଙ୍କ ପାଇଁ ଶେଷ ୪ ଦିନ ପୁଷମାସ ପାଲଟିଗଲା।
ଚଳିତବର୍ଷ ରାଜଧାନୀ ଓ ଉପକଣ୍ଠ ଅଞ୍ଚଳ, ଯଥା ଜଟଣୀ, ବାଲିଅନ୍ତା, ବାଲିପାଟଣା, ଚନ୍ଦକା ଆଦି ଅଞ୍ଚଳରେ ପ୍ରାୟ ୧୦ଟି କ୍ଲଷ୍ଟର୍ରେ ପ୍ରାୟ ୧,୨୦୦ ଦୋକାନ ଖୋଲିଥିବା ଆକଳନରୁ ଜଣାପଡ଼ିଛି। ଏସବୁ ଅଞ୍ଚଳ ଭିତରେ ରହିଛି ବାଣ ପେଣ୍ଠସ୍ଥଳୀ ଜଟଣୀ। ଏହି ସହରରେ ୫ ଜଣ ବଡ଼ ବ୍ୟବସାୟୀ ଥିବା ବେଳେ ଶରତ ପାଇକରାୟ ଷ୍ଟାଡିୟମରେ ହୋଇଥିବା ବାଣବଜାରରେ ଥିଲା ୮୬ଟି ଦୋକାନ। ବଡ଼ ବେପାରୀମାନେ ଦୀପାବଳିର ପ୍ରାୟ ଦୁଇସପ୍ତାହ ପୂର୍ବରୁ ଖୁଚୁରା ବେପାରୀଙ୍କୁ ବାଣ ବିକ୍ରି କରିସାରିଥିଲେ। ଜଣେ ବ୍ୟବସାୟୀଙ୍କ ସୂଚନାନୁସାରେ, ଚଳିତବର୍ଷ ତାମିଲନାଡୁର ଶିବକାଶୀରୁ କମ୍ ବାଣ ଆସିପାରିଥିଲା। ପ୍ରଦୂଷଣଜନିତ କଟକଣା ତଥା ସବୁଜ ବାଣ ତିଆରିରେ ସମସ୍ୟା ହେତୁ ଶିବକାଶୀର ବାଣ କମ୍ପାନିମାନେ ଏବର୍ଷ କମ୍ ପରିମାଣର ବାଣ ଯୋଗାଇ ପାରିଥିଲେ। ତେବେ ଖୁଚୁରା ବେପାରୀ ସବୁବର୍ଷ ଭଳି ବାଣ କିଣିଥିଲେ। କିନ୍ତୁ ବାତ୍ୟା ‘ଦାନା’କୁ ନେଇ ସୂଚନା ଆସିବା ପରେ ଉଭୟ ଖୁଚୁରା ଓ ବଡ଼ ବେପାରୀଙ୍କ ମନରେ ଛନକା ପଶିଯାଇଥିଲା।
ବିଶେଷ କରି ବାତ୍ୟା ପାଇଁ ଖୁଚୁରା ବ୍ୟବସାୟୀମାନେ ଦୀପାବଳିର ୫ଦିନ ପୂର୍ବେ ଦୋକାନ ଖୋଲିବାକୁ ନେଇ ଦ୍ୱନ୍ଦ୍ବରେ ପଡ଼ି ଯାଇଥିଲେ। ଲକ୍ଷ ଲକ୍ଷ ଟଙ୍କାର ବାଣ କିଣି ଷ୍ଟକ୍ ରଖିଥିଲେ ମଧ୍ୟ ପାଗ ଖରାପ ପାଇଁ ଦୋକାନ ଖୋଲି ପାରୁନଥିଲେ। କିନ୍ତୁ ରବିବାର, ସୋମବାର, ମଙ୍ଗଳବାର, ବୁଧବାର ଓ ଗୁରୁବାର ପାଗ ବେଶ୍ ଭଲ ରହିଲା। ବର୍ଷା ହେଲାନାହିଁ। ତେଣୁ ବାଣ କିଣିବା ପାଇଁ ଅପେକ୍ଷା କରିଥିବା ଲୋକେ ରବିବାରଠାରୁ ବଜାରକୁ ଡେଇଁ ପଡ଼ିଥିଲେ। ସୋମବାରରେ ଏତେ ଅସମ୍ଭାଳ ଭିଡ଼ହେଲା ଯେ ଦୋକାନୀମାନଙ୍କୁ ଖାଇବା ପିଇବାକୁ ବି ଫୁରୁସତ୍ ମିଳିଲାନାହିଁ। ଗୁରୁବାର ରାତି, ଅର୍ଥାତ୍ ଦୀପାବଳି ଦିନ ପର୍ଯ୍ୟନ୍ତ ବାଣ ଦୋକାନରୁ ଭିଡ଼ କମିଲା ନାହିଁ। ଏମିତି ସ୍ଥିତିରେ ବାଣଦର ମନକୁ ମନ ବଢ଼ିବାକୁ ଲାଗିଲା। ଦୋକାନୀମାନଙ୍କ ମନକୁ ଯାହା ଆସିଲା, କଷିଲେ। ଦୀପାବଳିକୁ ନେଇ ଦ୍ବନ୍ଦ୍ବରେ ଥିବା ଲୋକଙ୍କ ଭିତରୁ ୭୦ ପ୍ରତିଶତ ଗୁରୁବାର ବାଣ ଫୁଟାଇଥିବା ବେଳେ ବାକି ୩୦ ପ୍ରତିଶତ ଲୋକ ଶୁକ୍ରବାର ବାଣ ଫୁଟାଇଥିଲେ। ତେବେ ଅନେକ ଲୋକ ଏହି ବାହାନାରେ ମଧ୍ୟ ଦୁଇଦିନ ଧରି ବାଣ ଫୁଟାଇଲେ। ତେଣୁ ଶୁକ୍ରବାର ପର୍ଯ୍ୟନ୍ତ ବାଣ ବିକ୍ରି ଚାଲିଥିବା ଦେଖିବାକୁ ମିଳିଥିଲା। ତେଣୁ ବେପାରୀମାନେ ମଧ୍ୟ ଦର ବଢ଼ାଇ ଦେଇଥିଲେ। ଯେଉଁ କଲର୍ କୁମ୍ପିର ଦର ୧,୦୦୦ ଟଙ୍କା ଥିଲା, ତାହା ୧,୫୦୦ -୨,୦୦୦ ହୋଇଗଲା। ୧୦୦ ଟିକିଆ ଧପଧପି ବିଡ଼ା ୩୦୦, ୧୦୦ ଟଙ୍କିଆ ଝରଝରି ପ୍ୟାକେଟ୍ ୩୦୦ ହୋଇଗଲା। ସେହିପରି ଡିଲକ୍ସ କ୍ରାକର୍, ଲାୟନ୍ କିଙ୍ଗ୍, ଡ୍ରୋନ୍ ଜମ୍ପର୍, ରସୁଣ ବାଣ, ଆଇଟମ୍ ଚକ୍ର, ଫୁଲଝରି, ଆକାଶ ଛତା, ହାବେଳି, ସ୍କାଏ ସଟ୍, ଫଟୋଫ୍ଲାସ୍, ଗଙ୍ଗା ଯମୁନା ବମ୍, ବନ୍ଧୁକ, ରୋଲ୍କ୍ୟାପ, ମ୍ୟୁଜିକାଲ୍ ରୋଲ୍, ବଟର୍ ଫ୍ଲାଏ, ଚକଲେଟ୍ବମ୍, ବକ୍ସବମ୍, ଲଙ୍କାବମ୍ ଭଳି ବାଣର ଦର ପ୍ରାୟ ଦୁଇଗୁଣ ବଢ଼ିଯାଇଥିଲା। ତଥାପି ଲୋକଙ୍କୁ ବାଧୁନଥିଲା। ଲୋକେ ହଜାର ହଜାର ଟଙ୍କାର ବାଣ ବୋହି ନେଇଥିଲେ।
ଚଳିତ ବର୍ଷ ଜଟଣୀ ଖୁଚୁରା ବାଣ ବଜାରରେ ପ୍ରାୟ ୬କୋଟି ଟଙ୍କାର ବେପାର ହୋଇଥିବା ଆକଳନ କରାଯାଉଥିବା ବେଳେ ଭୁବନେଶ୍ବରର ବରମୁଣ୍ଡା, ରସୁଲଗଡ଼, ନୂଆପଲ୍ଲୀ, ବଡ଼ଗଡ଼, ବମିଖାଲ, ପାଣ୍ଡରା, ବାପୁଜୀନଗର, ଲକ୍ଷ୍ମୀସାଗର ଆଦିର ବାଣ ବଜାରକୁ ମିଶାଇଲେ ଏବର୍ଷ ସମଗ୍ର କମିସନରେଟ୍ ପୁଲିସ ଅଞ୍ଚଳରେ ୧୮-୨୦ କୋଟି ଟଙ୍କାର ବାଣ ବେପାର ହୋଇଥିବା ଆକଳନ କରାଯାଉଛି।