ଏଥର ବି ହେଲାନି ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ

ସେବାୟତଙ୍କୁ ମନେଇବାରେ ଦେବୋତ୍ତର ଡିଆଇ ବିଫଳ

ପୁରୁଣା ଭୁବନେଶ୍ୱର: ଆଜି ପୁଣି ଶ୍ରୀଲିଙ୍ଗରାଜ ମନ୍ଦିରରେ ପରମ୍ପରା ଭାଙ୍ଗିଲା। ବନ୍ଦ ରହିଲା ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଜାତ। ଦେବୋତ୍ତର ବିଭାଗ ଡିଆଇ ସେବାୟତଙ୍କୁ ମନାଇବାରେ ବିଫଳ ହେଲେ। ଫଳର ମହାପ୍ରଭୁଙ୍କ ଏହି ନୀତି ଦେଖିବାରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହେଲେ। ୨୦୧୬ ଅଁଳା ନବମୀ ପୂର୍ବରୁ ପରମ୍ପରା ଅନୁଯାୟୀ କପିଳେଶ୍ୱର ମନ୍ଦିରରେ ଯେପରି ନୀତି ହେଉଥିଲା ସେପରି ନୀତି ହେଲେ କାର୍ଯ୍ୟରେ ଯୋଗଦେବେ ବୋଲି ସେବାୟତମାନେ ଅଡ଼ି ବସିଥିଲେ। ସେପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଯାତ୍ରା ପୂଜା ନହେବାରୁ ସେବାୟତମାନେ ନୀତି ବନ୍ଦ କରଥିଲେ।

ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୬ ଅଁଳା ନବମୀ ଦିନ କପିଳେଶ୍ୱର ମନ୍ଦିରରେ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ସେବେଠୁ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରାହିଛି। ହାଣ୍ଡିଭଙ୍ଗା ଯାତ ପରମ୍ପରା ଭଙ୍ଗ ନ ହେବା ଓ ଏହାକୁ ଚାଲୁ ରଖିବା ପାଇଁ ଗତବର୍ଷ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ସେବାୟତମାନଙ୍କୁ ମନେଇବା ପାଇଁ ଦେବୋତ୍ତର ବିଭାଗ କମିସନର ଦେବୋତ୍ତର ବିଭାଗ ଡିଆଇଙ୍କୁ ଦାୟିତ୍ଵ ଦେଇଥିଲେ। ସେପଟେ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ କରିବା ପାଇଁ ମନ୍ଦିର ପ୍ରଶାସନ ସବୁ ସେବାୟତଙ୍କୁ ଅନୁରୋଧ କରିଥିଲା। ସେହିପରି ଐଶାନେଶ୍ୱର ଯାତ୍ରା କରିବା ପାଇଁ ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। ଆଜି ମଧ୍ୟାହ୍ନରେ କପିଳେଶ୍ୱର ମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ଦେବୋତ୍ତର ବିଭାଗ ଡିଆଇ। ଖୁଣ୍ଟିଆ ସେବାୟତଙ୍କ ବ୍ୟତୀତ ମଲିଆ ସେବାୟତ ପୂଜା କରୁଥିବା ସେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ଜଣାଇଥିଲେ।

ତେବେ ସେଠାରେ ଖୁଣ୍ଟିଆ ସେବାୟତ ସେବା କରୁ ନଥିବାରୁ ଲିଙ୍ଗରାଜ ମନ୍ଦିରରେ କେତେକ ସେବାୟତ ହାଣ୍ଡିଭଙ୍ଗା ଯାତ୍ରାକୁ ଯିବାକୁ ଅମଙ୍ଗ ହୋଇଥିଲେ। ୨୦୧୬ ଅଁଳାନବମୀ ପୂର୍ବ ଦିନଠାରୁ ଯେପରି ନୀତି ପରମ୍ପରା ଅନୁଯାୟୀ ହେଉଥିଲା ସେହି ଅନୁଯାୟୀ ନୀତି ହେଲେ ଏଥିରେ ଯୋଗ ଦେବୁ ବୋଲି ବ୍ରାହ୍ମଣ ନିଯୋଗ ପକ୍ଷରୁ କୁହାଯାଇଥିଲା। ତେବେ ସେପରି ପରିସ୍ଥିତି ନରହିବା ଓ ସେବାୟତଙ୍କୁ ମନାଇବାରେ ବିଫଳ ହେବାରୁ ହାଣ୍ଡି ଭଙ୍ଗା ଯାତ୍ରା ବନ୍ଦ ରହିଥିଲା।

ଠାକୁର ଗଲେନି ଐଶାନେଶ୍ୱର
ଅନ୍ୟପକ୍ଷରେ ହାଣ୍ଡିଭଙ୍ଗା ଯାତ୍ରାରେ ଫେରିବା ବେଳେ ଠାକୁର ଐଶାନେଶ୍ୱର ମନ୍ଦିରକୁ ଯାଇଥାନ୍ତି। ଏଥିପାଇଁ ଗତକାଲିଠାରୁ ମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିଲା। ତେବେ ଆଜି ବ୍ରାହ୍ମଣ ନିଯୋଗ ସମ୍ପାଦକ ଏଥିରେ ରାଜି ହୋଇ ନଥିଲେ। ନିଯୋଗର ସମ୍ପାଦକ ମନ୍ଦିର କାର୍ଯ୍ୟାଳୟରେ ନିଜ ମତ ରଖି କରହିଥିଲେ ଯେ, ଠାକୁର ହାଣ୍ଡିଭଙ୍ଗା ଯାତରୁ ଫେରିବା ବେଳେ ସେଠାକୁ ଯିବା ପରମ୍ପରା ଥିଲା। ଯେହେତୁ ସେଠାକୁ ଯାଉ ନାହାନ୍ତି କେବଳ ଐଶାନେଶ୍ୱର ଯିବା ପରମ୍ପରା ନାହିଁ। ତେବେ ଐଶାନେଶ୍ୱର ଯାତ୍ରା ବନ୍ଦ ଯୋଗୁଁ ବହୁ ସେବାୟତ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ବଡ଼ୁ ନିଯୋଗର ସମ୍ପାଦକ ଠାକୁର କପିଳେଶ୍ୱର ଓ ଐଶାନେଶ୍ୱର ନଯିବା ସମ୍ପର୍କରେ ଲିଖିତ ଭାବେ ଦେବାକୁ ମନ୍ଦିର ପ୍ରଶାସନକୁ ଜଣାଇଥିଲେ।

ଅପରାହ୍ଣରୁ ଉପାସରେ ମହାପ୍ରଭୁ
ମହାପ୍ରଭୁଙ୍କ ଯାତ୍ରା ନହେବାରୁ ମନ୍ଦିରରେ ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ବଲ୍ଲଭ ନୀତି ପରେ କୌଣସ ନୀତି ହୋଇ ନଥିଲା। ଏହା ପରେ ଯାତ୍ରା ପୂଜା ଥିବା ବେଳେ ଯାତ୍ରା ନହେବାରୁ ଅପରାହ୍ଣ ସାଢ଼େ ୪ଟାରୁ ନୀତି ବନ୍ଦ ରହିଥିଲା। ସେତେବେଳଠାରୁ ମହାପ୍ରଭୁ ଉପବାସ ରହିଥିଲେ। ତେବେ ମନ୍ଦିରରେ ସାହାଣମେଲା ଦର୍ଶନ ଚାଲୁ ରହିଥିଲା। ବଡ଼ୁ ସେବାୟତ ମହାପ୍ରଭୁଙ୍କୁ ରାତିରେ ଛେନା ଓ କଦଳୀ ଭୋଗ ଲାଗି କରିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର