ଏଥର ଅନ୍‌ଲାଇନ୍‌ରେ‌ ମିଳିବ ଫ୍ଲେଭର୍‌ ବ୍ଲାଷ୍ଟ୍‌ ପାନ

ପାନ ବିନା ରଜ ଯେମିତି ଅଧା। ରଜରେ ପାଟି ଟିକେ ଲାଲ ନହେଲେ ରଜ ମଉଜ ପୂରା ଫିକା। ଏଥିପାଇଁ ତ’ ରଜକୁ ନଜରରେ ରଖି ପାନ ବ୍ୟବସାୟୀମାନେ ଦୋକାନରେ ଭଳିକି ଭଳି ପାନ ସଜେଇଲେଣି। ରାଜଧାନୀର ଗଳିକନ୍ଦିରେ ଅସ୍ଥାୟୀ ପାନ ପସରା ବି ମେଲିଲାଣି। ବିଭିନ୍ନ ଫ୍ଲେଭର୍‌ର ମିଠା ପାନ ମାଧ୍ୟମରେ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ରଜ ବଜାରରେ ବିଭିନ୍ନରକମର ନୂଆ ନୂଆ ପାନ ଆଣୁଥିବା ସହିଦ ନଗରସ୍ଥିତ ବନାରସୀ ପାନ ଭଣ୍ଡାର ଏଥର ନେଇ ଆସିଛି ‘ଫ୍ଲେଭର ବ୍ଲାଷ୍ଟ୍‌ ପାନ’। ପାନ ଭିତରେ ବିଭିନ୍ନ ପ୍ରକାର ମସଲା ଭର୍ତ୍ତି କରି ଏହାକୁ ପାନ ମୋଡ଼ିଲା ଭଳି ମୋଡ଼ି ଦିଆଯାଏ। ଏହାପରେ ଏକ ମେସିନ୍‌ ସାହାଯ୍ୟରେ ଏଥିରେ ଚସ୍‌କାମସ୍‌କା ଫ୍ଲେଭର୍‌ ଦେଇ ଏହାକୁ ଡିପ୍‌ ଫ୍ରିଜ୍‌ କରାଯାଏ। ୧୫ରୁ ୨୦ ମିନିଟ୍‌ ଏହାକୁ ଡିପ୍‌ ଫ୍ରିଜ୍‌ କରିବା ପରେ ପ୍ରସ୍ତୁତ ହୋଇଯାଏ ‘ଫ୍ଲେଭର୍‌ ବ୍ଲାଷ୍ଟ୍‌’ ପାନ। ଏହାର ତିନି ପ୍ରକାର ଫ୍ଲେଭର୍‌ ରହିଛି। ଏହା ପୁଣି ୫ ଦିନ ଯାଏ ରଖି ଖାଇହେବ। ଏହା ଏକ ନୂତନଧରଣର ପାନ ହୋଇଥିବାରୁ ପିଲାଠାରୁ ବୟସ୍କ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ବନାରସୀ ପାନ ଭଣ୍ଡାରର ସ୍ବତ୍ବାଧିକାରୀ ରମାକାନ୍ତ ସେନାପତି କହିଛନ୍ତି। ଏଥିସହ ଏବେ ତାଙ୍କ ଓରିଓ ପାନ, ଜେମ୍‌ସ୍‌ ପାନ, ଫ୍ଲେଭର୍‌ ଚସ୍‌କାମସ୍‌କା, ପାନ ସଟ୍‌ସ୍‌, ଦିଲ୍‌ଖୁସ୍‌ ଓ ଦିଲ୍‌ଦିୱାନା ଆଦି ପାନ। ପାନ ପତ୍ର ଦେହ ପାଇଁ ଉପକାରୀ ହୋଇଥିବା ବେଳେ ପିଲାମାନଙ୍କୁ ସେ ଦିଗରେ ଆକର୍ଷିତ କରିବାକୁ ପାନ ଜୁସ୍‌ରେ ଭାନିଲା ଆଇସ୍‌କ୍ରିମ୍‌ ପକାଇ ପାନ ସଟ୍‌ ତିଆରି କରାଯାଏ। ସେହିଭଳି ଓରିଓ ବିସ୍କୁଟକୁ ନେଇ ଓରିଓ ପାନ ଓ ଜେମ୍‌ସ୍‌ ଚକଲେଟ୍‌ ଦିଆ ଜେମ୍‌ସ୍‌ ପାନ ଛୁଆଙ୍କୁ ଆକର୍ଷିତ କରୁଥିବା ସେ କହିଛନ୍ତି। ଏ ସବୁର ଦାମ୍‌ ୪୦ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ଯାଏ ରହିଛି। ରଜ ପାନ ଏବେ upahar.com ରେ ଅନ୍‌ଲାଇନ୍‌ ଉପଲବ୍ଧ ହେଉଛି। କଟକ ଓ ଭୁବନେଶ୍ବରରେ ଥିବା ଯେକୌଣସି ଗ୍ରାହକ ଏଥିରେ ବରାଦ କଲେ ୪ ଘଣ୍ଟା ମଧ୍ୟରେ ତାଙ୍କ ପାଖରେ ପାନ ପହଞ୍ଚିଯିବ। ଏଥିସହ ସ୍ବିଗିରେ ବି ଖୁବ୍‌ ଶୀଘ୍ର ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର