ଏଥର ପୁଣି ଭାସିବ ଜାତୀୟ ରାଜପଥ ୧୬

ବିଏମ୍‌ସି-ଏନ୍‌ଏଚ୍‌ଏଆଇ ଟଣାଓଟରା

ଭୁବନେଶ୍ୱର: ଅସରାଏ ବର୍ଷାରେ ଜାତୀୟ ରାଜପଥ-୧୬ ଉବୁଟୁବୁ ହେଉଛି। ଏପରିକି ଆଇଗିଣିଆ ଛକରୁ ଆରମ୍ଭ କରି ପାହାଳ ପର୍ଯ୍ୟନ୍ତ ରାସ୍ତାରେ ଅଧିକାଂଶ ସ୍ଥାନରେ ଆଣ୍ଠୁଏ ଉଚ୍ଚରେ ପାଣି ଜମା ହେଉଛି। କିନ୍ତୁ ଏହାର ପ୍ରତିକାର କରାଯାଇପାରୁନି। ରାଜଧାନୀର ଜଳ ନିଷ୍କାସନ ବ୍ୟବସ୍ଥା ବିଏମ୍‌ସିର ହୋଇଥିଲେ ହେଁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଅବହେଳାରୁ ରାସ୍ତାରେ ପାଣି ଜମୁଥିବା ଅଭିଯୋଗ କରି ବିଏମ୍‌ସି ଏହାର ପ୍ରତିକାର କରୁନି। ଏପଟେ ଜାତୀୟ ରାଜପଥ କର୍ତୃପକ୍ଷ କହୁଛନ୍ତି ଆମର ଜାତୀୟ ରାଜପଥ କଡ଼ରେ ଡ୍ରେନ୍‌ ନିର୍ମାଣ ଓ ସଫେଇ ପାଇଁ ସ୍ୱତନ୍ତ୍ର ବଜେଟ୍‌ ନଥିବାରୁ ଆମେ କିଛି କରିପାରିବୁନି। ଆମେ ଯାହା କରିବୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ମୁଖ୍ୟାଳୟର ଅନୁମତି ଦରକାର। ବିଏମ୍‌ସି ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଏମିତି ଟଣାଓଟରା ମଧ୍ୟରେ ଏବେ ପୁଣି ରାଜଧାନୀବାସୀ ଜାତୀୟ ରାଜପଥରେ ଫସିବା ପରିସ୍ଥିତି ସୃଷ୍ଟି ହେଲାଣି।

ପ୍ରତି ବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ହେଉଥିବା କାଳବୈଶାଖୀ ବର୍ଷା ହେଉ କି ଜୁନ୍‌ରୁ ଅକ୍ଟୋବର ପର୍ଯ୍ୟନ୍ତ ହେଉଥିବା ମୌସୁମି ବର୍ଷା। ଘଣ୍ଟାକୁ ଯଦି ୨୫ମିମିରୁ ବର୍ଷା ହେଉଛି ତେବେ ଆଇଗିଣିଆରୁ ଆରମ୍ଭ କରି ବରମୁଣ୍ଡା, ସିଆରପି, ନୂଆପଲ୍ଲୀ, ଜୟଦେବ ବିହାର, ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, ପାହାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ଜଳମଗ୍ନ ହୋଇଯାଉଛି। ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଶହ ଶହ ଗାଡ଼ି ଜମା ହେଉଛି। ଜାତୀୟ ରାଜପଥ ଉପରେ ପୂରା ରାଜଧାନୀ ଠପ୍‌ ହୋଇଯାଉଛି। କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ କେହି ମୁଣ୍ଡ ନୁଆଁଉ ନଥିବାରୁ ସ୍ଥିତି ପୂରା ସଙ୍ଗିନ ହୋଇଯାଉଛି। ଜାତୀୟ ରାଜପଥ କର୍ତୃପକ୍ଷ ଓ ବିଏମ୍‌ସି ପରସ୍ପରକୁ ଦୋଷା ଲଦାଲଦି ହୋଇ ବର୍ଷ ପରେ ବର୍ଷ ଗଡ଼ାଇ ଚାଲୁଛନ୍ତି। ଠିକ୍‌ ସମୟରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ନଥିବାରୁ ଚଳିତବର୍ଷ ବି ଜାତୀୟ ରାଜପଥ-୧୬ ଭାସିବା ଆଶଙ୍କା ସୃଷ୍ଟି ହେଲାଣି।

ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଏନେଇ ଯୋଗାଯୋଗ କରିବାରୁ କହିଛନ୍ତି ଯେ, ବିଏମ୍‌ସି କର୍ତୃପକ୍ଷ ଜାତୀୟ ରାଜପଥ କଡ଼ରେ ଡ୍ରେନ୍‌ କରବାକୁ କହିଥିଲେ, ଆମେ କିଛି ଅଞ୍ଚଳରେ କରିଦେଇଛୁ। ଏହାପରେ ପାଣି କିପରି ନିଷ୍କାସନ ହେବ ଏବଂ ନିୟମିତ ସଫେଇ ହେବ ତାହା ବିଏମ୍‌ସି କାମ। ଜାତୀୟ ରାଜପଥ କଡ଼ରେ ନିର୍ମାଣ ହୋଇଥିବା ଡ୍ରେନ୍‌ରେ କେବଳ ଜାତୀୟ ରାଜପଥ ଉପରେ ହେଉଥିବା ବର୍ଷାର ପାଣି ଯିବା ଭଳି ବ୍ୟବସ୍ଥା ହୋଇଛି। ଅନ୍ୟ ପାଣି ଯିବା ପାଇଁ ହୋଇନାହିଁ। ଡ୍ରେନ୍‌ ସଫେଇ ପାଇଁ ଆମର କିଛି ବଜେଟ୍‌ ନଥାଏ। ତେଣୁ ଆମେ କିଛି କରିପାରିବୁନି। ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଏହିଭଳି ବିତଣ୍ଡା ଯୁକ୍ତି ଶୁଣି ବିଏମ୍‌ସି ଅଧିକାରୀ କହିଛନ୍ତି ଯେ, କେବଳ ରାସ୍ତାରେ ବର୍ଷା ହେଲେ ପାଣି ଯିବାକୁ ଡ୍ରେନ୍‌ ନିର୍ମାଣ ହୁଏନି। ସହର ଭିତରେ ଡ୍ରେନ୍‌ ନିର୍ମାଣ ହୋଇଛି ମାନେ ଏଥିରେ ବିଭିନ୍ନ ଅଞ୍ଚଳର ପାଣି ମିଶିବ ଏବଂ ବହିବ। ତେଣୁ ଏହାର ନିୟମିତ ବ୍ୟବଧାନରେ ସଫେଇ କରାଯାଉ। ଏହାବାଦ୍‌ ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ୍‌ଗୁଡ଼ିକୁ କୌଣସି ମୁଖ୍ୟ ନାଳ କିମ୍ବା ଅନ୍ୟ ଡ୍ରେନ୍‌ ସହ ସଂଯୋଗ କରାଯାଇ ନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇନପାରି ରାସ୍ତା ଉପରକୁ ଉଠୁଛି। ତେଣୁ ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ୍‌ଗୁଡ଼ିକୁ ତୁରନ୍ତ ବିଭିନ୍ନ ମୁଖ୍ୟ ଡ୍ରେନ୍‌ ଏବଂ ଅନ୍ୟ ଡ୍ରେନ୍‌ ସହ ସଂଯୋଗ କରାଯାଉ। ବର୍ଷା ସମୟରେ ଜାତୀୟ ରାଜପଥ-୧୬ରେ ପାହଳ ଓଭରବ୍ରିଜ୍‌, ଇସ୍କନ ମନ୍ଦିର ସମ୍ମୁଖ, ଆଇଗିଣିଆ ଛକରେ ଅଣ୍ଟେ ଉଚ୍ଚରେ ପାଣି ଜମୁଥିବାବେଳେ ଦୀର୍ଘ ସମୟ ଧରି ନିଷ୍କାସନ ହୋଇପାରୁନି। ତେଣୁ ଏହାର ନିଷ୍କାସନ ପାଇଁ ଜାତୀୟ ରାଜପଥ କର୍ତୃପକ୍ଷ ଏହାକୁ ମୁଖ୍ୟ ଡ୍ରେନ୍‌ ସହ ସଂଯୋଗ କରନ୍ତୁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ସେହିପରି ଇସ୍କନ ସମ୍ମୁଖରେ ଥିବା ରାସ୍ତାରେ ବ୍ରିଜ୍‌ ତଳ ପାଣି, ଇନ୍ଦ୍ରଧନୁ ମାର୍କେଟ୍‌ ଏବଂ ସିଆର୍‌ପି ଛକ ଦିଗରୁ ଆସୁଥିବା ପାଣି ଜମିବା ସହ ଓଭରବ୍ରିଜ୍‌ ଉପରୁ ପାଣି ଆସି ତଳେ ଜମା ହେଉଛି। ଫଳରେ ଅସରାଏ ବଡ଼ ବର୍ଷା ହେଲେ ରାସ୍ତାରେ ଅଣ୍ଟେ ଉଚ୍ଚରେ ପାଣି ଜମା ହୋଇଯାଉଛି। ଏଥିପାଇଁ ଆମେ ସମାଧାନର ବାଟ କହିଥିଲୁ। କିନ୍ତୁ ଜାତୀୟ ରାଜପଥ କର୍ତୃପକ୍ଷ ଏହାକୁ ମାନୁନାହାନ୍ତି। ଇସ୍କନ ସମ୍ମୁଖରେ ସ୍ଥିତି ସଙ୍ଗିନ୍‌ ହେଉଥିବାରୁ ଇନ୍ଦ୍ରଧନୁ ମାର୍କେଟ ପାର୍ଶ୍ୱରୁ ଆସୁଥିବା ପାଣିକୁ ଜୟଦେବ ବିହାର ଛକ ଦିଗରେ ଡାଇଭର୍ଟ କରି ମୁଖ୍ୟଡ୍ରେନ୍‌ ୪ରେ ମିଶାଇବା ଏବଂ ସିଆର୍‌ପି, ନୂଆପଲ୍ଲୀ ଓ ଓଭରବ୍ରିଜ୍‌ ଉପରୁ ଆସୁଥିବା ପାଣିକୁ ନୂଆପଲ୍ଲୀ ବେହେରା ସାହି ପଛପାର୍ଶ୍ୱରେ ଥିବା ମୁଖ୍ୟ ଡ୍ରେନ୍‌ ୧୦ ରେ ମିଶାଇବାକୁ କହିଛୁ। କିନ୍ତୁ ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅର୍ଥ ଦେଉନାହାନ୍ତି କି ଡ୍ରେନ୍‌ କାର୍ଯ୍ୟ କରୁନାହାନ୍ତି। ଯାହାଦ୍ୱାରା ଜାତୀୟ ରାଜପଥର ଏହି ଅଞ୍ଚଳର ସମସ୍ୟା ଦୂର ହେଉନି।

୯ମାସ ପରେ ଡିପିଆର୍‌ ମାଗିଲେ ଜାତୀୟ ରାଜପଥ କର୍ତୃପକ୍ଷ

ଜାତୀୟ ରାଜପଥ-୧୬ରେ ଯେପରି ପାଣି ନ ଜମିବ ସେଥିପାଇଁ ଜାତୀୟ ରାଜପଥ କର୍ତୃପକ୍ଷ ପଦକ୍ଷେପ ନେବାକୁ ଗତବର୍ଷ ଜୁଲାଇ ୨୨ରେ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା। ଏପରିକି ଏହାର ସ୍ଥାୟୀ ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ବୈଠକରେ ୯ମାସ ପରେ ଜାତୀୟ ରାଜପଥ କର୍ତୃପକ୍ଷଙ୍କ (ଆଞ୍ଚଳିକ ମୁଖ୍ୟ, ଓଡ଼ିଶା) ନିଦ ଭାଙ୍ଗିଛି। ଏହାର ଆଞ୍ଚଳିକ ମୁଖ୍ୟ ଡି.ଷଡ଼ଙ୍ଗୀ ପୂର୍ତ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି ଯେ, ୨୨.୦୭.୧୭ରେ ହୋଇଥିବା ବୈଠକର ନିଷ୍ପତ୍ତିକୁ ଆମେ ମୁଖ୍ୟାଳୟକୁ ପଠାଇଥିଲୁ। ହେଲେ ଏହି ସମସ୍ୟାର ସମାଧାନ ପାଇଁ ପୂର୍ତ ବିଭାଗ କ’ଣ ଡିପିଆର୍‌ ପ୍ରସ୍ତୁତ କରିଛି ତା’ର ରିପୋର୍ଟ ମଗାଯାଇଛି। ଜାତୀୟ ରାଜପଥ-୧୬ରେ କିପରି ବର୍ଷା ଜଳ ନ ଜମିବ ସେଥିପାଇଁ ଜାତୀୟ ରାଜପଥରୁ କେତେ ଜଳ ନିଷ୍କାସନ ହେଉଛି, କେତେ ଲୋକ ପ୍ରଭାବିତ ହେଉଛନ୍ତି, ଡ୍ରେନ୍‌ ଡିଜାଇନ୍‌ କିପରି ହେବା ଦରକାର, କେତେ କିମିର ଡ୍ରେନ୍‌ ହେବ, ଡ୍ରେନ୍‌ କେଉଁଠୁ ଆରମ୍ଭ ହୋଇ କେଉଁଠି ମିଶିବ, କେତେ ମାସ ଲାଗିବ, କେତେ ଅର୍ଥ ଖର୍ଚ୍ଚ ହେବ ତା’ର ଆକଳନ ସହ ଡିପିଆର୍‌ ପ୍ରସ୍ତୁତ କରି ଆମକୁ ଦିଅନ୍ତୁ। ଏହାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ମୁଖ୍ୟାଳୟ ଅନୁମୋଦନ କଲେ ଆମେ କାର୍ଯ୍ୟ କରିବୁ। ଅପରପକ୍ଷେ ରାଜଧାନୀ ଭିତର ଦେଇ ଯାଇଥିବା ଜାତୀୟ ରାଜପଥରେ କେଉଁଠି ସମସ୍ୟା ରହିଛି, ଏହାର କିପରି ସମାଧାନ ହୋଇପାରିବ ସେନେଇ ବିଏମ୍‌ସି ଏକ ଡିପିଆର୍‌ ପ୍ରସ୍ତୁତ କରି ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଦେଇଥିଲା। ଏହାକୁ କାର୍ଯ୍ୟକାରୀ ନକରି ପୁଣି ଡିପିଆର୍‌ ମାଗିବା କର୍ତୃପକ୍ଷଙ୍କ ଭବିଷ୍ୟତ ଯୋଜନା ନେଇ ପ୍ରଶ୍ନ ଉଠାଇଲାଣି।

ସମ୍ବନ୍ଧିତ ଖବର