ଭୁବନେଶ୍ୱର: ମହାଦେବଙ୍କ ସମୁଦାୟ ୧୨ ଜ୍ୟୋତିର୍ଲିଙ୍ଗ ଦେବଭୂମି ଭାରତର ବିଭିନ୍ନ ସ୍ଥାନରେ ପୂଜା ପାଉଛି। ତେବେ ଏହି ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଗୁଜରାଟର ବିଶ୍ୱପ୍ରସିଦ୍ଧ ସୋମନାଥ ମନ୍ଦିର। ଏହି ସୌନ୍ଦର୍ଯ୍ୟକୁ ଦେଖିଲେ ଆଖି ଝଲସି ଉଠେ। ଏହି ସୋମନାଥ ମନ୍ଦିରର ଅବିକଳ ରୂପ ରାଜଧାନୀର ଝଲସିବାକୁ ଯାଉଛି। ଗଙ୍ଗନଗର ଯୁବ ପରିଷଦ ପକ୍ଷରୁ ଚଳିତ ବର୍ଷ ‘ସୋମନାଥ ମନ୍ଦିର’ ଆକୃତିର ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା।
୧୯୭୯ରୁ ମସିହାରୁ ଆରମ୍ଭ ହୋଇଥିବା ଏହି ପରିଷଦ ପ୍ରତିବର୍ଷ କିଛି ନୂଆ କରିବାକୁ ଚେଷ୍ଟା କରିଆସିଛି। ଚଳିତ ବର୍ଷ ପୂଜା ପାଇଁ ୨୦ ଲକ୍ଷ ଟଙ୍କାର ବଜେଟ୍ ରହିଛି। ତୋରଣର ଉଚ୍ଚତା ୬୦ ଫୁଟ୍ ରହିଥିବା ବେଳେ ମୂର୍ତ୍ତିର ଉଚ୍ଚତା ୧୬ ଫୁଟ୍ ରହିଛି। ପୂଜା ପାଇଁ ଗଙ୍ଗନଗର ଛକରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ କରାଯିବ। ମା’ ଦୁର୍ଗା ଓ ପାର୍ଶ୍ୱ ଦେବଦେବୀ ରୁପା ଅଳଙ୍କାର ପରିଧାନ କରିବେ। ସେହିପରି ଭୋଗର ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। କାକରା, ଖିରି, ଖେଚୁଡ଼ି, ଦହିପଖାଳ ଆଦି ଭୋଗ କରାଯିବ।
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୫୦ ଜଣ ସ୍ୱେଚ୍ଛାସେବୀଙ୍କ ସମେତ ପୁଲିସ କର୍ମଚାରୀ, ଅଗ୍ନିଶମ ବାହିନୀ, ସ୍ବାସ୍ଥ୍ୟ ଶିବିର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ସିସିଟିଭି କ୍ୟାମେରା ନଜରରରେ ସମ୍ପୂର୍ଣ୍ଣ ପୂଜାମଣ୍ଡପ ରହିବ। ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ସହିତ ହ୍ୱିଲଚେୟାରର ମଧ୍ୟ ବ୍ୟବସ୍ଥା ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ସପ୍ତମୀରେ ଛୋଟ ପିଲାଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା, ଅଷ୍ଟମୀ ଓ ନବମୀରେ ମେଲୋଡି ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ସମସ୍ତଙ୍କ ପାଇଁ ଶାରଦୀୟ ଦୁର୍ଗାପୂଜା ଯେପରି ସ୍ମରଣୀୟ ହେବ, ସେଥିପାଇଁ ଗୁରୁତ୍ବ ଦିଆଯିବ। ଚଳିତ ବର୍ଷ ପରିଷଦ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ସମସ୍ତେ ପୂଜାକୁ ଉପଭୋଗ କରିବେ ଏହା ହିଁ କାମନା।
ଅନନ୍ତ ନାରାୟଣ ଜେନା, ସଭାପତି
ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଚଳିତ ବର୍ଷ ଯେପରି ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନେ ମା’ ଦୁର୍ଗାଙ୍କ ଦର୍ଶନ ପାଇଁ କୌଣସିପ୍ରକାର ଅସୁବିଧାରେ ନପଡ଼ିନ୍ତି, ସେଥିପାଇଁ ହ୍ବିଲ ଚେୟାରର ବ୍ୟବସ୍ଥା ହୋଇଛି। ସେହିପରି ଭସାଣି ଉତ୍ସବ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
କମଳ ଲୋଚନ ପାତ୍ର, ସାଧାରଣ ସମ୍ପାଦକ