ଏଥର ସିଂହାସନରେ ସୁନାବେଶ

ଭୁବନେଶ୍ବର: ଏଥର ଶ୍ରୀଗୁଣ୍ଡିଚାରେ ରାଜଧାନୀରେ ରଥ ଗଡ଼ିବ ନାହିଁ। ହେଲେ ରଥ ସହ ଜଡ଼ିତ ରୀତିନୀତି ମନ୍ଦିର ଭିତରେ ସମ୍ପନ୍ନ ହେବ। ସହରରେ କରୋନା ପରିସ୍ଥିତିକୁ ଦେଖି ମନ୍ଦିର ପରିଚାଳନା କମିଟି ଓ ଟ୍ରଷ୍ଟ ବୋର୍ଡ ମଧ୍ୟ ରଥଯାତ୍ରା ହୋଇପାରିବ ନାହିଁ ବୋଲି ଅନୁଭବ କରି ଏପରି ନିଷ୍ପତ୍ତି ନେଉଥିବା କୁହାଯାଉଛି। ତେଣୁ ରାଜଧାନୀବାସୀ ପ୍ରଥମଥର ପାଇଁ ରଥଯାତ୍ରାର ଉପଲବ୍ଧିରୁ ବଞ୍ଚିତ ହେବେ। ତେବେ ମନ୍ଦିର ଭିତରେ କିପରି ଓ କେଉଁ ଢାଞ୍ଚାରେ ରଥଯାତ୍ରା ରୀତିନୀତି ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସବୁଠୁ ବଡ଼ କଥା ହେଉଛି ଏଥର ହରିଶୟନ ଏକାଦଶୀରେ ପ୍ରଭୁ ରଥ ବଦଳରେ ସିଂହାସନ ଉପରେ ସୁନାବେଶ ହେବେ। ଫଳରେ ସର୍ବସାଧାରଣ ଏହି ମନୋହର ବେଶ ଦେଖିବାରୁ ଏଥର ବଞ୍ଚିତ ହେବେ। ସମସ୍ତ ରୀତିନୀତି ସହ ମନ୍ଦିର ମଧ୍ୟରେ ପ୍ରଭୁଙ୍କ ଏହି ବେଶ କରାଯିବ।

ଜାଗମରା ଧର୍ମବିହାରସ୍ଥିତ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ସତ୍ୟବ୍ରତ ମିଶ୍ରଶର୍ମା କହିଛନ୍ତି, ରଥଯାତ୍ରାର ସମସ୍ତ ନୀତିକାନ୍ତି ମନ୍ଦିର ଭିତରେ ସମ୍ପନ୍ନ ସମ୍ଭବ ନୁହେଁ। ତଥାପି ଏମିତି କିଛି ରୀତିନୀତି ଅଛି ଯାହା ମନ୍ଦିର ମଧ୍ୟରେ କରାଯିବାକୁ ନିଷ୍ପତ୍ତି ହୋଇଛି। ଠାକୁର ଜ୍ବରରେ ପଡ଼ିଥିବାରୁ ଫୁଲୁରି ତେଲରେ ଚିକିତ୍ସା ଚାଲିଛି। ଦଶମୀ ଦିନ ଦଶମୂଳ ମହୌଷଧୀ ଦିଆଯିବ। ପରେ ଖଳିଲାଗି କରାଯିବ। ନେତ୍ର ଉତ୍ସବରେ ଚକ୍ଷୁଦାନ କରାଯିବ। ପରଦିନ ନବଯୌବନ ଦର୍ଶନ କରାଯାଇ ପ୍ରଭୁଙ୍କୁ ଚକା ପିଣ୍ଡିରୁ ରଥକୁ ନିଆ ନ ଯାଇ ସିଧା ସିଂହାସନକୁ ନିଆଯିବ। ରଥଯାତ୍ରା ଦିନ ମଧ୍ୟ ସମସ୍ତ ରୀତିନୀତି କରାଯିବ। ତେବେ ହରିଶୟନ ଏକାଦଶୀରେ ଏଥର ରଥ ବଦଳରେ ସିଂହାସନ ଉପରେ ସୁନାବେଶ କରାଯିବ। ଦ୍ବାଦଶୀରେ ଅଧରପଣା ବଦଳରେ ପଣା ମଧ୍ୟ ସମର୍ପଣ ହେବ। ତ୍ରୟୋଦଶୀରେ ରସଗୋଲା ଭୋଗ କରାଯିବ। ବିଜେ କାହାଳୀ ବାଜିବ। ମାତ୍ର ମାନଭଞ୍ଜନର ପରମ୍ପରା ଦେଖିବାକୁ ମିଳିବ ନାହିଁ ବୋଲି ସେ କହିଛନ୍ତି। ଇସ୍କନର ସୂଚନା ଦାତା ରାଧାକାନ୍ତ ଦାସ କହିଛନ୍ତି ଇସ୍କନ ମଧ୍ୟରେ ଯେତିକି ନୀତିକାନ୍ତି ମନ୍ଦିର ମଧ୍ୟରେ ସମ୍ଭବ ହେବ ଆମେ କରିବୁ। ଏଥିସହ ସୁନାବେଶ ମଧ୍ୟ ମନ୍ଦିର ମଧ୍ୟରେ ଅନୁଷ୍ଠିତ ହେବ। ତେବେ ମନ୍ଦିର ମଧ୍ୟକୁ ପ୍ରବେଶ ସୁବିଧା ମିଳିବ ନାହିଁ। ଭୁବନେଶ୍ବରରେ ୬୫ରୁ ଅଧିକ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ତେବେ କିଛି ମନ୍ଦିର ଟ୍ରଷ୍ଟ ଓ କମିଟି ଏବେ ବି ପୁରୀରେ ହେବାକୁ ଥିବା ରଥଯାତ୍ରାକୁ ଚାହିଁ ବସିଛନ୍ତି। ରଥ ଚଳାଇବା ବ୍ୟତୀତ ସେଠାରେ ହେବାକୁ ଥିବା ଅନ୍ୟ ସମସ୍ତ ବିଧି ବିଧାନକୁ ଅନୁକରଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର