ଚନ୍ଦ୍ରଶେଖରପୁର: ସମୟ ମଧ୍ୟାହ୍ନ ପ୍ରାୟ ସାଢ଼େ ଗୋଟିଏ। ଜନତା ମଇଦାନ ପଛପଟେ ଥିବା ଡ୍ରେନ୍ ନିକଟରେ ଆସି ଲାଗିଲା ବିଏମ୍ସର ଏକ ସ୍ୱେରେଜ୍ ଟାଙ୍କି ଗାଡ଼ି। ଗାଡ଼ିରେ ଥିବା କର୍ମଚାରୀ ଟାଙ୍କିରେ ଥିବା ମଇଳାକୁ ପାଇପ ଜରିଆରେ ନିକଟରେ ଥିବା ଡ୍ରେନ୍ରେ ଢାଳି ଦେଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ସେହି ସ୍ୱେରେଜ୍ ଟାଙ୍କି ଗାଡ଼ିରେ ଥିବା ସମସ୍ତ ମଇଳାକୁ ଉକ୍ତ ଡ୍ରେନ୍ରେ ନିଷ୍କାସନ କରିସାରିଥିଲେ। ଏନେଇ କର୍ମଚାରୀମାନଙ୍କୁ ପଚାରିବାରୁ କହିଥିଲେ, ନିୟମ କହୁଛି ମଇଳା ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍ରେ ପକାଇବାକୁ। ନହେଲେ ରାଜଧାନୀ ବାହାରକୁ ନେଇ ଦୂରରେ ପକେଇବାକୁ। ମାତ୍ର ଏତେ ଦୂର କିଏ ଯିବ? ଏମିତି ସବୁଦିନ ବିଭିନ୍ନ ଜାଗାରେ ପକେଇ ଦେଉଛୁ। କେବଳ ଗୋଟିଏ ସ୍ଥାନରେ ଏପରି ହେଉନି। ଜୟଦେବ ବିହାର-ନନ୍ଦନବିହାର ମୁଖ୍ୟ ରାସ୍ତାର ଚନ୍ଦ୍ରଶେଖରପୁର ଦୁର୍ଗାପୂଜା ମେଲଣ ପଡ଼ିଆ ନିକଟରେ ଥିବା ଡ୍ରେନ୍, ଡମଣା ଛକ ମୁଖ୍ୟରାସ୍ତା ନିକଟରେ ଥିବା ଡ୍ରେନ୍ରେ ମଧ୍ୟ ବିଏମ୍ସିର ସ୍ୱେରେଜ ଟାଙ୍କି ଗାଡ଼ି ଦିନ ଦ୍ୱିପ୍ରହରରେ ପାଇପ ଯୋଗେ ଅତ୍ୟନ୍ତ ବେପରୁଆ ଭାବେ ମଇଳା ଛାଡ଼ୁଛନ୍ତି। ବିଏମ୍ସିକୁ ସ୍ୱଚ୍ଛ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା ଅଧିକାରୀମାନେ ଦାବି କରୁଛନ୍ତି। ଏବେ ଏବେ ସ୍ୱଚ୍ଛ ସର୍ବେକ୍ଷଣ ସରିଛି। ଏହି ସର୍ଭେରେ ଉତ୍ତମ ର୍ୟାଙ୍କ ରଖିବା ପାଇଁ ବିଏମ୍ସି ଯଥେଷ୍ଟ ପ୍ରୟାସ କରିଥିଲା। ମାଳ ମାଳ ହୋର୍ଡ଼ିଂ ଆଉ ବ୍ୟାନର ରାଜଧାନୀରେ ଲଗା ଯାଇଥିଲା। ମାତ୍ର ଏପଟେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ରାଜଧାନୀର ବିଭିନ୍ନ ଡ୍ରେନ୍ରୁ ମଇଳା ସଂଗ୍ରହ କରୁଥିବା ଗାଡ଼ି ଗୁଡ଼ିକ ଅତ୍ୟନ୍ତ ଖାମଖିଆଲି ଢଙ୍ଗରେ ପକଉଛନ୍ତି। ନିୟମ ଦୃଷ୍ଟିରୁ ଏହି ସବୁ ମଇଳାକୁ ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍ରେ ପକେଇବା କଥା। ଯେହେତୁ ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍ ନିର୍ମାଣ କାର୍ଯ୍ୟ ଧୀର ମନ୍ଥର ଗତିରେ ଚାଲୁଛି, ତେଣୁ ଏଗୁଡ଼ିକୁ ଅନ୍ତତଃ ବିଶୋଧନ କରି ଢାଳିବା ଉଚିତ। ତାହା ପୁଣି ସହରଠାରୁ ଦୂରରେ। କିମ୍ବା ମୁଖ୍ୟ ଡ୍ରେନ୍ରେ। କଲୋନି ଆଦି ସ୍ଥାନରେ ଥିବା ଡ୍ରେନ୍ରେ ତ’ ଆଦୌ ନୁହେଁ। ମାତ୍ର ସବୁ ନିୟମ ଓ ଜନସାଧାରଣଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଅଣଦେଖା କରି ଏପରି ଭାବରେ କାର୍ଯ୍ୟ କରାଯାଉଛି। ।ଜଧାନୀର ଗୋଟେ ସ୍ଥାନରୁ ମଇଳା ଆଣ ଆଉ ଅନ୍ୟ ଏକ ସ୍ଥାନରେ ଡ୍ରେନ୍ ଦେଖି ଢାଳିଦିଅ। ଦାୟିତ୍ୱ ଶେଷ। ଏହି ସ୍ୱେରେଜ୍ ଟାଙ୍କି ଗାଡ଼ିଗୁଡ଼ିକ କିଏ ତଦାରଖ କରୁଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଏମିତି ବେପରୁଆ ଢଙ୍ଗରେ କଲୋନି ମଧ୍ୟ ଦେଇ ଯାଇଥିବା ଡ୍ରେନ୍ରେ ମଇଳା ଢାଳିବା ବିରୁଦ୍ଧରେ ବିଏମ୍ସି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନ୍ୟାୟରେ ସ୍ମାର୍ଟ ସିଟି କରିବା ନେଇ ବିଏମ୍ସି ଯେତେ ଆଗକୁ ଗଲେ ମଧ୍ୟ ଏହି ପଦକ୍ଷେପ ଭୁବନେଶ୍ୱରକୁ ପଛକୁ ଟାଣୁଛି।
ବାସୁଦେବ ମହାପାତ୍ର, ସମାଜସେବୀ
ଏପରି ଭାବରେ ଯେକୌଣସି ଡ୍ରେନ୍ରେ ମଇଳା ଢାଳିବା ଆଦୌ ଠିକ୍ ନୁହେଁ। ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍ ଶୀଘ୍ର କାର୍ଯ୍ୟକାରୀ ହେବ। ଏନେଇ ଆମେ ଅନୁଧ୍ୟାନ କରିବୁ।
ଶୁଭ୍ରାଂଶୁ ମିଶ୍ର, ବିଏମ୍ସି ଉତ୍ତର ଡେପୁଟି କମିଶନର