ଭୁବନେଶ୍ବର: ରାତି ୧୧ଟା ୫୩। ସ୍ଥାନ କ୍ୟାପିଟାଲ୍ ହସ୍ପିଟାଲ୍ ଶିଶୁ ୱାର୍ଡ। ଲୋକଙ୍କଠୁ ଅଭିଯୋଗ ପାଇ ବାସ୍ତବିକତା ପରଖିବାକୁ ପହଞ୍ଚିଥିଲୁ ଶିଶୁ ୱାର୍ଡରେ। ପାହାଚ ଦେଇ ପ୍ରଥମ ଫ୍ଲୋର୍ରେ ଥିବା ୱାର୍ଡକୁ ଉଠିବା ମାତ୍ରେ କୋମଳମତି ପିଲାଙ୍କ ଯନ୍ତ୍ରଣାର କରୁଣ ସ୍ବର କାନରେ ପଡ଼ିଲା। ଶଯ୍ୟା ନୁହେଁ ବରଂ ଚଟାଣରେ ପଡ଼ି ରହିଥିଲେ ଶିଶୁମାନେ। ସେଇଠି ହିଁ ଚାଲିଥିଲା ତାଙ୍କର ଚିକିତ୍ସା। ଜଣେ ନୁହେଁ, ବେଡ୍ ନ ମିଳିବାରୁ ୬ ଜଣ ଶିଶୁ ଚଟାଣରେ ଚିକିତ୍ସିତ ହେଉଥିଲେ। ଅର୍ଥାତ ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା ‘କ୍ୟାପିଟାଲ୍ ହସ୍ପିଟାଲ୍’କୁ ନିଜର ଶିଶୁଙ୍କ ଚିକିତ୍ସା ପାଇଁ ଧାଇଁ ଆସିଥିବା ପରିବାରବର୍ଗ ଏପରି ହିନସ୍ତା ଭୋଗୁଥିଲେ। କିଏ ପାଇଖାନା ନିକଟସ୍ଥ ଚଟାଣରେ ତ କିଏ ଯା’ଆସ ବାଟରେ ନିଜ ରୋଗଣା ପିଲାର ଚିକିତ୍ସା କରାଇବାକୁ ବାଧ୍ୟ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସବୁଠୁ ଆଶ୍ଚର୍ଯ୍ୟ କରୁଥିଲା ଶିଶୁ ୱାର୍ଡ ପ୍ରତି ହସ୍ପିଟାଲ୍ ଅଧିକାରୀଙ୍କ ମନୋଭାବ। ଅର୍ଥାତ ୱାର୍ଡ ପ୍ରବେଶ ପଥରେ ଜଣେ ହେଲେ ସୁରକ୍ଷା କର୍ମୀ ନଥିଲେ। ୱାର୍ଡ ମଧ୍ୟକୁ ପ୍ରବେଶ ପାଇଁ ନିର୍ଧାରିତ ସମୟ ସାରଣୀ ବାହାରେ ଲଗାଯାଇଥିଲା। ହେଲେ ଯିଏ ପାରୁଥିଲା ମନଇଚ୍ଛା ତା ଭିତରକୁ ବିଳମ୍ବିତ ରାତିରେ ପ୍ରବେଶ କରୁଥିଲା। ୱାର୍ଡ ମଧ୍ୟରେ ଅଧିକାଂଶ ଚିକିତ୍ସାଧୀନ ରୋଗୀଙ୍କ ପରିବାର ଓ ସେମାନଙ୍କ ଶିଶୁମାନେ ଶୋଇଯାଇଥିବା ବେଳେ ଅନେକ ନିଜ ରୋଗଣା ଶିଶୁର ସେବାରେ ମଗ୍ନ ଥିଲେ। ତେଣୁ କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ପିଲା ଚୋରଙ୍କ ପାଇଁ ଯେମିତି ବାଟ ମୁକୁଳା ହୋଇଯାଇଥିଲ। ସେଇ ବିଳମ୍ବିତ ରାତିରେ ଅନ୍ୟ ୱାର୍ଡଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳିଥିଲେ ହେଁ ଶିଶୁ ୱାର୍ଡରେ କେବଳ ଓପିଡି ନିକଟରେ ଜଣେ ସୁରକ୍ଷାକର୍ମୀ ଜଗି ରହିଥିଲେ।
ମାଗଣା ଚିକିତ୍ସା ଉପଲବ୍ଧ ଥିବାରୁ ଅନେକ ଏଠାକୁ ବିଶ୍ବାସରେ ଧାଇଁ ଆସୁଛନ୍ତି। ମାତ୍ର ରାଜଧାନୀର ଏତେବଡ଼ ସରକାରୀ ହସ୍ପିଟାଲ୍ରେ ବେଡ୍ର ଅଭାବ ନରହିବାକୁ ଚିକିତ୍ସାଧୀନ ଶିଶୁଙ୍କ ପରିବାର ଗ୍ରହଣ କରିପାରିନାହାନ୍ତି। ଏନେଇ ଗତକାଲିଠୁ ଏକ ଫଟୋ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ଝିଆରୀର ଝାଡ଼ାବାନ୍ତି ହେବା ପରେ ତାକୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇ ଆସିଥିବା ୮ନମ୍ବର ଅଞ୍ଚଳର ଅର୍ଫାନ ଶାହା କହିଛନ୍ତି, ଆମେ ବେଡ୍ ପାଇଁ ଅନୁରୋଧ କରିଥିଲୁ। ହେଲେ ହସ୍ପିଟାଲ୍ରେ ବେଡ୍ ନାହିଁ ବୋଲି ହସ୍ପିଟାଲ୍ କର୍ମଚାରୀ ଶୁଣାଇ ଦେଇଥିଲେ। ବର୍ଷ ବର୍ଷ ଧରି ହସ୍ପିଟାଲ୍ ପରିସରରେ ଏଭଳି ସମସ୍ୟା ଲାଗି ରହିଥିଲେ ହେଁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ।
ୟୁନିଟ୍ ୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଭରସା ପାଉନି
ରାଜଧାନୀରେ ୨୧ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ ଅଛି। ଏମିତି କି ୟୁନିଟ୍ ୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କେବଳ ମହିଳା ଓ ଶିଶୁମାନଙ୍କ ପାଇଁ ସରକାର ଘୋଷଣା କରିଛନ୍ତି। ହେଲେ ଭିତ୍ତିଭୂମି ଓ ଚିକିତ୍ସା ସେବା ନେଇ ଏଠାକୁ ଯିବାକୁ ଲୋକଙ୍କ ଭରସା ପାଉନି। ତେଣୁ ଅଧିକାଂଶ ନିଜ ଶିଶୁର ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍କୁ ଧାଉଁଛନ୍ତି। ଆବଶ୍ୟକତାଠାରୁ ଅଧିକ ଲୋକଙ୍କ ଆଗମନ ଯୋଗୁଁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଏପରି ଅବସ୍ଥା ସୃଷ୍ଟି ହେଉଛି। ବର୍ଷ ବର୍ଷ ଧରି ଏପରି ଅବସ୍ଥା ସତ୍ତ୍ବେ କୌଣସି ବିକଳ୍ପ ବାହାରି ପାରୁନାହିଁ।
ଉତ୍ପାତ କରୁଛି ବିଲେଇ
ଶିଶୁ ୱାର୍ଡ ମଧ୍ୟରେ ନିର୍ଦ୍ବନ୍ଦ୍ବରେ ଘୂରି ବୁଲୁଛନ୍ତି ବିଲେଇ। କେବେ ଖାଦ୍ୟ ଖାଇ ଦେଉଛନ୍ତି ତ ଆଉ କେବେ ତଳେ ଚଟାଣରେ ଚିକିତ୍ସିତ ହେଉଥିବା ଶିଶୁଙ୍କ ନିକଟରେ ବିଳମ୍ବିତ ରାତିରେ ଶୋଇ ଯାଉଛନ୍ତି। ବିଲେଇର ରୁମ ଯୋଗୁଁ ସଂକ୍ରମଣ ହେବାର ଆଶଙ୍କା ରହିଥିଲେ ହେଁ ସେମାନଙ୍କୁ ଜଗିବାକୁ କେହି ନାହିଁ। ୨ ବର୍ଷ ତଳେ ବିଲେଇମାନଙ୍କୁ ତଡ଼ା ଯାଇଥିଲା। ହସ୍ପିଟାଲ୍ ପକ୍ଷରୁ ଏନେଇ ପ୍ରୟାସ ହୋଇଥିଲା। ହେଲେ ସେତିକିରେ ସରିଯାଇଛି ବିଲେଇ ଧରା ଅଭିଯାନ।