ଭୁବନେଶ୍ୱର: ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନରେ ଗତ ତିନି ଦିନ ହେଲା ସ୍ୱଚ୍ଛ ସର୍ଭେକ୍ଷଣ ୨୦୧୮ ଆରମ୍ଭ ହୋଇଛି। ଏହି ସର୍ଭେରେ ଯେପରି ଭଲ ର୍ୟାଙ୍କ୍ ମିଳିବ ସେଥିପାଇଁ ଦେଶର ପ୍ରାୟ ସମସ୍ତ ସହରରେ ପ୍ରସ୍ତୁତି ଜୋରଦାର୍ ଆରମ୍ଭ ହୋଇଛି। ହେଲେ ଗତବର୍ଷ ଏହି ସର୍ଭେରେ ସାରା ଦେଶରେ ୯୪ତମ ର୍ୟାଙ୍କ ପାଇଥିବା ଭୁବନେଶ୍ୱରରେ ଏବେ ବି ପ୍ରସ୍ତୁତି ଆରମ୍ଭ ହୋଇନି। ସାରା ରାଜଧାନୀରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଛି।
ସ୍ୱଚ୍ଛ ସର୍ଭେକ୍ଷଣ ଆରମ୍ଭ ହୋଇଥିବାବେଳେ ରାଜଧାନୀ କେତେ ସ୍ୱଚ୍ଛ ଅଛି ତାହା ପରଖିଥିଲା ‘ସମ୍ବାଦ’ ଲେନ୍ସ। ରାଜଧାନୀର ଚାରି ଦିଗରେ ଯେଉଁଠି ବି ପହଞ୍ଚିଥିଲା ସେଠି କୁଢ଼କୁଢ଼ ଆବର୍ଜନା ଗଦା ହୋଇଥିଲା। ସତ୍ୟନଗର ଓଭରବ୍ରିଜ୍ ତଳୁ ଆରମ୍ଭ କରି ଜୟଦେବ ବିହାର ଛକ, ୟୁନିଟ-୨ରେ ବିଏସ୍ଏନ୍ଏଲ୍ ପଛପାଖ ରାସ୍ତାରୁ ଆରମ୍ଭ କରି ବରମୁଣ୍ଡା ବସଷ୍ଟାଣ୍ଡରୁ ଖଣ୍ଡଗିରି ରାସ୍ତା ପର୍ଯ୍ୟନ୍ତ। ସବୁଠି ଗଦା ହୋଇଥିଲା କୁଢ଼କୁଢ଼ ଆବର୍ଜନା। ଦୁର୍ଗନ୍ଧରେ ନାକ ଫାଟି ଯାଉଥିଲା। ଏହି ରାସ୍ତାରେ ଚାଲିକି ଯିବା ତ ଦୂରର କଥା ଗାଡ଼ି ଚଲାଇ ବି ଯାଇ ହେଉ ନଥିଲା। ଏହା ପୁଣି ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟର ଦୃଶ୍ୟ। ଯେତେବେଳେ କି ବିଏମ୍ସି ନିୟମ କରିଛି ଯେ, ସବୁ କଲୋନି, ଆବାସିକ ଅଞ୍ଚଳ ଏବଂ ବିଭିନ୍ନ ଛକରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ଆବର୍ଜନା ଉଠିବ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ କେଉଁଠି ବି ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ କରି ପକାଇବାକୁ ଡଷ୍ଟବିନ୍ ନଥିଲା। ଡଷ୍ଟବିନ୍ରେ ଯେତିକି ଆବର୍ଜନା ଥିଲା ତା’ର ବହୁଗୁଣା ଆବର୍ଜନା ରାସ୍ତାରେ ପଡ଼ିଥିଲା। ଯାହା ଅଧା ରାସ୍ତା ମାଡ଼ି ବସିଥିଲା।
/sambad/media/post_attachments/wp-content/uploads/2018/01/m5-2-300x222.jpg)
ସୂଚନାଯୋଗ୍ୟ ଯେ, ସ୍ୱଚ୍ଛ ସର୍ଭେକ୍ଷଣରେ ପ୍ରତି ଘରୁ ଆବର୍ଜନା ସଂଗ୍ରହ, ଡଷ୍ଟବିନ୍ରେ ଆବର୍ଜନା ପଡ଼ୁଥିବ, ଜୈବିକ ଓ ଅଜୈବିକ ଆବର୍ଜନା ପାଇଁ ପୃଥକ ପୃଥକ ଡଷ୍ଟବିନ୍ ଲାଗିଥିବ, ପ୍ରତ୍ୟେକ ସକାଳୁ ଆବର୍ଜନା ଉଠୁଥିବ, କେବଳ ଅଳିଆ ବୋଝେଇ ଗାଡ଼ିରେ ଆବର୍ଜନା ଯାଉଥିବ, ଅଳିଆ ବୋଝେଇ ଗାଡ଼ି ଜିପିଆର୍ଏସ୍ ମାଧ୍ୟମରେ ଟ୍ରାକିଂ ହେଉଥିଲେ ଭଲ ମାର୍କ ମିଳିବ। ଏମିତିରେ କଠିନ ବର୍ଜ୍ୟବସ୍ତୁ କି ତରଳ ବର୍ଜ୍ୟବସ୍ତୁ ବିଶୋଧନ ପ୍ଲାଣ୍ଟ ନଥିବାରୁ ଭୁବନେଶ୍ୱର ସ୍ୱଚ୍ଛତା ର୍ୟାଙ୍କରେ ୨୦୦ରୁ ଅଧିକ ମାର୍କ ହରାଇବ। ଏହାସତ୍ତ୍ୱେ ବି ଅନ୍ୟ ଉପାଦାନରେ ଯେପରି ଭଲ ମାର୍କ ମିଳିବ ସେଥିପ୍ରତି ବିଏମ୍ସି କର୍ତ୍ତୃପକ୍ଷଙ୍କର ନିଘା ନାହିଁ। ଘରୋଇ ସଫେଇ ସଂସ୍ଥାଙ୍କ ଉପରେ ପୂରା ସଫେଇ ବ୍ୟବସ୍ଥା ଛାଡ଼ି ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଯାଇଥିବା ବିଏମ୍ସି ପାଇଁ ଏହି ସ୍ୱଚ୍ଛ ସର୍ଭେକ୍ଷଣ ମହଙ୍ଗା ପଡ଼ିବାର ଆଶଙ୍କା ସୃଷ୍ଟି ହେଲାଣି।
ଫଟୋ: ବିଭୂତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/m7.jpg)