ଅତିଥିଙ୍କୁ ସ୍ୱାଗତ ଏମିତି

ଚାଲିଛି ପର୍ଯ୍ୟଟନ ଋତୁ। ପ୍ରତିଦିନ ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ବୁଲିବା ଲାଗି ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି ରାଜଧାନୀକୁ। ବିମାନ, ରେଳ, ବସ୍‌ ଯୋଗେ ଆସି ଐତିହ୍ୟ ସହରରେ ପାଦ ଥାପୁଛନ୍ତି। ଆଉ ପହଞ୍ଚିବା କ୍ଷଣି ସେମାନଙ୍କୁ କିଭଳି ସ୍ୱାଗତ କରୁଛି ସ୍ମାର୍ଟ ସହର ଭୁବନେଶ୍ୱର ତାହାର ନଗ୍ନ ଚିତ୍ରକୁ ତୋଳି ଧରିଥିଲା ‘ସମ୍ବାଦ’।

ସୌନ୍ଦର୍ଯ୍ୟ ବିଗାଡ଼ୁଛି ଶାଢ଼ି

ଓଡ଼ିଶାର ପ୍ରମୁଖ ରେଳଷ୍ଟେସନ ମାଷ୍ଟରକ୍ୟାଣ୍ଟିନ୍‌ ୬ ନମ୍ବର ପ୍ଲାଟ୍‌ଫର୍ମ ରାସ୍ତାର ରୂପରେଖ ବଦଳିଯାଇଛି। କଟକ ରୋଡ୍‌ ରାସ୍ତାରେ ଯିବା ଲାଗି ଦୁଇଟି ସ୍ୱତନ୍ତ୍ର ବାଟ ହୋଇଛି। ଷ୍ଟେସନ ନିକଟରେ ୬ ଲାଇନ୍‌ ରାସ୍ତା କରାଯିବା ସହ ପାର୍କିଂ ଲାଗି ବିଶାଳ ସ୍ଥାନ ରହିଛି। ପ୍ଲାଟ୍‌ଫର୍ମକୁ ପ୍ରବେଶ ପଥର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇଛି। ଗୋଟିଏ ରାସ୍ତା କରାଯାଇ ଅସାମାଜିକଙ୍କ ପ୍ରବେଶ ଉପରେ ବି ରୋକ ଲଗାଯାଇଛି। ୧୫ ଫୁଟ୍‌ ଉଚ୍ଚତାର ପାଚେରି ବି ହୋଇଛି। ଯେମିତି କି ଚୋର, ଲୁଟେରା ସହଜରେ ଷ୍ଟେସନ ବାହରକୁ ଆସିପାରିବେ ନାହିଁ। ପର୍ଯ୍ୟଟକ ଟ୍ରେନ୍‌ ଓହ୍ଲାଇବା କ୍ଷଣି ଭିନ୍ନ ଅନୁଭୂତି ପାଉଛନ୍ତି। କିନ୍ତୁ ବାହାରକୁ ଆସିବା କ୍ଷଣି ସ୍ମାର୍ଟ ସିଟିର ଅପରିସ୍କାର ଚିତ୍ର ସେମାନଙ୍କ ଆଖିରେ ପଡ଼ୁଛି। ପ୍ରବେଶ ପଥ ସମ୍ମୁଖରେ ଲୋକେ ପରିସ୍ରା କରୁଛନ୍ତି। ୩୦ ମିଟର ଦୂରରେ ଶୌଚାଳୟ ଥିବା ନେଇ ବୋର୍ଡ ଲଗାଯାଇଥିଲେ ମଧ୍ୟ ସେଠାକୁ କେହି ଯାଉନାହାନ୍ତି। କଦଳି ଗୋଦାମ ବସ୍ତି ଦେଇ କଳ୍ପନା ଛକ ରାସ୍ତାକୁ ବାହାରିବାକୁ ଥିବା ୫୦୦ ମିଟର ରାସ୍ତା ପାର୍ଶ୍ୱର ଦୃଶ୍ୟ ଦେଖି ଯେ କେହି ମୁହଁ ମୋଡ଼ିବ। ଉଭୟ ପକ୍ଷ ରାସ୍ତା ମଝିରେ ଲାଗିଥିବା ଲୁହା ବାରିକେଡ୍‌ରେ ବସ୍ତିବାସିନ୍ଦାଙ୍କ ଶାଢ଼ୀ, ଲୁଙ୍ଗି, ପ୍ୟାଣ୍ଟ, ସାର୍ଟ ଶୁଖୁଛି। ନୂଆ ରାସ୍ତା ହେବା ଦିନରୁ ଏଭଳି ଚାଲିଥିଲେ ମଧ୍ୟ ବିଏମ୍‌ସି କିମ୍ବା ସ୍ଥାନୀୟ କର୍ପୋରେଟର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି।

ରାସ୍ତାରେ ଭାସୁଛି ପରିସ୍ରା

ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅବସ୍ଥା ମଧ୍ୟ ତଦ୍ରୂପ। ବସ୍‌ରୁ ଓହ୍ଲାଇବା କ୍ଷଣି ପର୍ଯ୍ୟଟକ ତଥା ଯାତ୍ରୀଙ୍କ ଚପଲରେ ଚାଲୁଛି ପରିସ୍ରା। ଷ୍ଟାଣ୍ଡର ପ୍ରବେଶ ପଥଠାରୁ ଆରମ୍ଭ କରି ବସ୍‌ ପାର୍କିଂ ସ୍ଥାନ ପର୍ଯ୍ୟନ୍ତ ସବୁଠି ସମାନ ଚିତ୍ର। ପ୍ରବେଶ ପଥରେ ଯାତ୍ରୀମାନେ ପରିସ୍ରା କରୁଛନ୍ତି, ଯାହାକି ରାସ୍ତାରେ ଭାଶୁଛି। ଭିତରେ ଶୌଚାଳୟ ଥିଲେ ମଧ୍ୟ ସେଠାକୁ ଯାଉନାହାନ୍ତି। ସେମାନଙ୍କୁ ସଚେତନ କରାଯାଉନି କି କାର୍ଯ୍ୟାନୁଷ୍ଠାନ ହେଉଛି। ଦିନ ଦିପହରରେ ମଦ୍ୟପଙ୍କ ଉତ୍ପାତ ଏଠାରେ ଦେଖିବାକୁ ମିଳୁଛି। କଲିକତାରୁ ଆସୁଥିବା ପର୍ଯ୍ୟଟକମାନେ ଦୁଇଦିନ ତଳେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ବିମାନବନ୍ଦର ପାର୍କିଂ ସ୍ଥାନରେ ମଦ ବୋତଲ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ଟର୍ମିନାଲ ଲାଗି ଦୁଇଟି ପାର୍କିଂ ଷ୍ଟାଣ୍ଡ ହୋଇଛି। ଗୋଟିଏ ପାର୍କିଂ ସ୍ଥାନ ଠିକ୍‌ ଠାକ୍‌ କାମ କରୁଥିବା ବେଳେ ଅନ୍ୟଟିରେ ଏପର୍ଯ୍ୟନ୍ତ ଗାଡ଼ି ରହୁନି। ଯେଉଁଥିପାଇଁ ପାର୍କିଂ ସ୍ଥାନର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଅପରାହ୍ନ ହେବା କ୍ଷଣି ଏହି ରାସ୍ତା ପାର୍ଶ୍ୱରେ ପ୍ରେମୀ ଯୁଗଳଙ୍କ ପ୍ରେମ ଅଶ୍ଳିଳତାର ସୀମା ଟପୁଥିବା ବେଳେ ପାର୍କଂ ସ୍ଥାନରେ ଗଡ଼ୁଛି ମଦ ବୋତଲ। ଅସାମାଜିକଙ୍କ ଆଡ୍ଡା ଜମୁଛି। ଗାଳିଗୁଲଜ କରୁଥିବା ବି ନଜରକୁ ଆସୁଛି। ଏହାକୁ ରୋକିବା ଲାଗି ପୁଲିସର ହାତ ଯାଉନି। ବାହାରୁ ଆସୁଥିବା ଅତିଥିଙ୍କ ଆଗରେ ସହରର ବାସ୍ତବ ଚିତ୍ର ପହଞ୍ଚୁଛି।

ଯୁଆଡ଼େ ଚାହିଁଲେ ଆବର୍ଜନା

ସ୍ମାର୍ଟ ସିଟିର ଡେଙ୍ଗୁରା ପିଟୁଥିବା ବିଏମ୍‌ସି ସହରକୁ ସ୍ୱଚ୍ଛତା ରଖିବା ଦିଗରେ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ମିଳୁଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ। ବସ୍‌ଷ୍ଟାଣ୍ଡର ଯୁଆଡ଼େ ଚାହିଁଲେ ଆବର୍ଜନା ଗଦା ହେଉଛି। ସନ୍ଧ୍ୟା ଯାଏ ବି ଉଠାଯାଉନି। କାଁ ଭାଁ ଅଳିଆ ଉଠା ଗାଡ଼ି ପହଞ୍ଚୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୁବନେଶ୍ୱର ପ୍ରତି କିଭଳି ମନୋଭାବ ରହୁଛି ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।

ରାସ୍ତାପାର୍ଶ୍ୱରେ ଖଟୁଛନ୍ତି ଛୋଟ ପିଲା

ଆଉ ଏକ ଦୃଶ୍ୟ ବି ଦେଖିବାକୁ ମିଳୁଛି ଏହି ରାସ୍ତାରେ। ଛୋଟ ପିଲାମାନେ ରାସ୍ତାପାର୍ଶ୍ୱରେ କାମ କରୁଛନ୍ତି। କିଏ ପ୍ଲାଷ୍ଟିକ୍‌ ବୋତଲ ଗୋଟାଉଛି ତ ଆଉ କିଏ ହୋଟେଲରେ ବାସନ ଧୋଉଛି। ଦିନ ଦିପହରରେ ପିଲାଙ୍କୁ କାର୍ଯ୍ୟରେ ଲଗାଯାଉଥିଲେ ମଧ୍ୟ ଏଥିପ୍ରତି କାହାର ବି ନିଘା ନାହିଁ। ଶିଶୁଙ୍କ ଅଧିକାର ପାଇଁ ଗର୍ଜନ ତର୍ଜନ କରୁଥିବା ସ୍ୱେଚ୍ଛାସେବୀ ସଙ୍ଗଠନଙ୍କ ଦୃଷ୍ଟି ଏଠାରେ ପଡ଼ୁନି। ଷ୍ଟେସନ ଭିତରେ ପଡ଼ୁଥିବା ପ୍ଲାଷ୍ଟିକ୍‌ ବୋତଲଗୁଡ଼ିକୁୁ ଗୋଟାଇବା କାର୍ଯ୍ୟରେ ବି ନିୟୋଜିତ ଅଛନ୍ତିି ପିଲା। ରାସ୍ତାକଡ଼ରେ ଏତେ ବୋତଲ ଜମା ହେଉଛି ଯେ ଲାଗୁଛି ସତେ ଯେମିତି ବୋତଲ ଡିପୋ ଏଠାରେ ହୋଇଛି।

ସମ୍ବନ୍ଧିତ ଖବର