ଏମିତି ନିରାପଦ ଆମ ରାଜଧାନୀ : ମହିଳାଙ୍କ ବେକ କଟିଲା

ଖଣ୍ଡଗିରି: ସାରା ବିଶ୍ୱର ଶ୍ରେଷ୍ଠ ୨୦ଟି ସ୍ମାର୍ଟ ସିଟି ଭିତରେ ସ୍ଥାନ ପାଇଛି ଭୁବନେଶ୍ୱର। ଏପରିକି ନିରାପତ୍ତା କ୍ଷେତ୍ରରେ ଭୁବନେଶ୍ୱର ତାଲିକାର ୧୩ତମ ସ୍ଥାନରେ ରହିଛି। ମାତ୍ର ବାସ୍ତବ ଚିତ୍ର ହେଲା ଦିନକୁ ଦିନ ରାଜଧାନୀ ଅସୁରକ୍ଷିତ ହୋଇ ପଡ଼ୁଛି। ରାଜଧାନୀରେ ମାତିଛନ୍ତି ଲୁଟେରା। ଆଜି ଏଠି ତ କାଲି ସେଠି। ବିଚ୍‌ରାସ୍ତାରେ ଲୁଟୁଛନ୍ତି। କଳା ପଲସର୍‌ରେ ଆସି ଆତଙ୍କ ଖେଳାଉଛନ୍ତି। କେତେବେଳେ ପଥଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟପାଟ୍‌ କରୁଛନ୍ତି ତ ଆଉ କେତେବେଳେ କାହା ଘରେ ପଶି ସର୍ବସ୍ୱ ଲୁଟି ନେଉଛନ୍ତି। ମାତ୍ର ଏମିତି ଲୁଟେରାଙ୍କୁ ସାବାଡ଼ କରିପାରୁନି କମିସନରେଟ୍‌ ପୁଲିସ। କାଁ ଭାଁ ଲୁଟେରା ଧରା ପଡ଼ୁଥିଲେ ମଧ୍ୟ ସଂଘଟିତ ହୋଇ ଲୁଟପାଟ କରୁଥିବା ଗ୍ୟାଙ୍ଗ୍‌କୁ କାବୁ କରି ପାରୁନି। ତେଣୁ ଭୁବନେଶ୍ୱର କେମିତି ବିଶ୍ୱର ଶ୍ରେଷ୍ଠ ନିରାପଦ ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଲା ତା’କୁ ନେଇ ପ୍ରଶ୍ନ ଉଠିଛି। ଲୁଟେରାଙ୍କ ନୃଶଂସତାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମଙ୍ଗଳବାର ସନ୍ଧ୍ୟାରେ। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଫାୟାର୍‌ ଷ୍ଟେସନ ରେଣ୍ଟାଲ କଲୋନି ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଛନ୍ତି। ଆଉ ଏହି ଚେନ୍‌ ଟାଣି ନେଲାବେଳେ ମହିଳାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଶ୍ୟାମପୁର ଅଞ୍ଚଳରେ ରହୁଥିବା ଇନ୍ଦୁମତି ନାୟକ। ଲୁଟ୍‌ ଚେନ୍‌ଟି ପ୍ରାୟ ଅଢ଼େଇଭରି ଓଜନର ବୋଲି ଶ୍ରୀମତୀ ନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ଛାନ୍‌ଭିନ୍‌ କରିଥିଲେ ବି ଦୁର୍ବୃତ୍ତମାନଙ୍କ ଟେର୍‌ ମିଳିନାହିଁ।

ସ୍କୁଟିରେ ଯିବାବେଳେ ସୁନାଚେନ୍‌ ଝାମ୍ପିନେଲେ
ଲୁଟେରାଙ୍କୁ ରୋକି ପାରୁନି କମିସନରେଟ୍‌ ପୁଲିସ

ଗତକାଲି ମାର୍କେଟିଂ ସାରି ଆଇନଜୀବୀ ଗୋବିନ୍ଦଚନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ଇନ୍ଦୁମତି ନାୟକ ଏକ ସ୍କୁଟିରେ ଘରକୁ ଫେରୁଥିଲେ। ସେମାନେ ଫାୟାର୍‌ ଷ୍ଟେସନ ଓଭରବ୍ରିଜ୍‌ ତଳେ ଟ୍ରାଫିକ୍‌ ସିଗ୍‌ନାଲ ପାଇବା ପରେ ଛକ ଅତିକ୍ରମ କରିଥିଲେ। ସେତିକିବେଳେ ତାଙ୍କ ପଛେ ପଛେ ଏକ କଳାରଙ୍ଗର ପଲସର ବାଇକ୍‌ରେ ଦୁଇ ଜଣ ଯୁବକ ଯାଉଥିଲେ। ଟ୍ରାଫିକ୍‌ ଜାମ୍‌ ଯୋଗୁଁ ସବୁ ଗାଡ଼ିଗୁଡ଼ିକ ଧୀରେ ଧୀରେ ଯାଉଥିଲା। ସିଆର୍‌ପିଏଫ୍‌ ଫାଟକ ପୂର୍ବରୁ ହଠାତ୍‌ ପଲସର ପଛରେ ବସିଥିବା ମୋଟା ଯୁବକ ଜଣଙ୍କ ଇନ୍ଦୁମତିଙ୍କ ବେକରୁ ସୁନାଚେନ୍‌ଟି ଝାମ୍ପି ନେଇଥିଲା ଓ ପଲସରଟି ଶ୍ରୀ ନାୟକଙ୍କ ସ୍କୁଟିକୁ ଅତିକ୍ରମ କରି ଯାଇଥିଲା। ଇନ୍ଦୁମତି ଚୋର ଚୋର ବୋଲି ପାଟି କଲାବେଳକୁ ଦୁର୍ବୃତ୍ତମାନେ ନିକଟସ୍ଥ କଲୋନି ଭିତରକୁ ପଶି ଯାଇଥିଲେ। ଶ୍ରୀ ନାୟକ ସେମାନଙ୍କ ପିଛା କରିଥିଲେ ବି ସେମାନେ ଆଖିପିଛୁଳାକେ ଅନ୍ତର୍ଧାନ ହୋଇଯାଇଥିଲେ। ଚେନ୍‌ ଟାଣି ନେବାବେଳେ ଶ୍ରୀମତୀ ନାୟକଙ୍କ ବେକରେ କ୍ଷତ ସୃଷ୍ଟି ହୋଇଥିଲା। ଫାୟାର୍‌ ଷ୍ଟେସନ ଓଭରବ୍ରିଜ୍‌ ତଳେ ଟ୍ରାଫିକ୍‌ ସିଗ୍‌ନାଲକୁ ଅପେକ୍ଷା କରିଥିବାବେଳେ ଦୁର୍ବୃତ୍ତଦ୍ୱୟଙ୍କୁ ଶ୍ରୀମତୀ ନାୟକ ଲକ୍ଷ୍ୟ କରିଥିଲେ। ସେମାନେ ବିନା ହେଲ୍‌ମେଟ୍‌ରେ ଥିବାରୁ ଶ୍ରୀମତୀ ନାୟକ ସେମାନଙ୍କ ହୁଲିଆ ମନେ ରଖିଥିଲେ ଓ ତାହା ସେ ପୁଲିସକୁ ଜଣାଇଛନ୍ତି। ତେଣୁ ଖୁବ୍‌ ଶୀଘ୍ର ସେମାନଙ୍କୁ ଠାବ କରାଯିବ ପୁଲିସ କହିଛି।

ସମ୍ବନ୍ଧିତ ଖବର